ଚିରଞ୍ଜୀବ ଓ ମୋକିମକୁ AICCର କାରଣ ଦର୍ଶାଅ ନୋଟିସ, ଶରତ କହିଲେ ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ

author img

By

Published : May 28, 2023, 10:46 PM IST

Updated : May 29, 2023, 6:39 AM IST

ଚିରଞ୍ଜୀବ ଓ ମୋକିମକୁ ଏଆଇସିସିର କାରଣ ଦର୍ଶାଅ ନୋଟିସ

ଦଳୀୟ ଅନୁଶାସନ ଉଲ୍ଲଙ୍ଘନ ଅଭିଯୋଗରେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ ଓ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଏଆଇସିସି । ସେପଟେ ବିଶୃଙ୍ଖଳିତ ଆଚରଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: କଂଗ୍ରେସରେ ବଢୁଛି ତୀବ୍ର ଅସନ୍ତୋଷ ଓ ଦଳୀୟ କନ୍ଦଳ । ଏହାରି ଭିତରେ ଦଳୀୟ ଅନୁଶାସନ ଉଲ୍ଲଙ୍ଘନ ଅଭିଯୋଗରେ ବରିଷ୍ଠ ନେତା ତଥା ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଓ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଅଖିଳ ଭାରତ କଂଗ୍ରେସ କମିଟି । ୧୫ ଦିନ ମଧ୍ୟରେ ନୋଟିସର ଜବାବ ରଖିବାକୁ ଉଲ୍ଲେଖ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ଅଭିଯୋଗ ଆଧାରରେ ଏଆଇସିସି ପକ୍ଷରୁ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

କଂଗ୍ରେସ ଅନୁଶାସନ ଓ ଦଳୀୟ ନିୟମକୁ ଉଲଂଘନ କରି ପ୍ରତିକ୍ରିୟା ଦେବା ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଏବଂ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପଡିଲା ମହଙ୍ଗା । ୧୫ ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛି ଏଆଇସିସି । ନହେଲେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସମ୍ଭାବନା ମଧ୍ୟ ରହିଛି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଏ ସମ୍ପର୍କରେ ମୁଁ ଅଧିକ କିଛି କହିବିନି । ଯାହା ଅଭିଯୋଗ ଆସିଥିଲା ତାକୁ ଆମେ AICCକୁ ପଠାଇ ଦେଇଥିଲୁ । AICC ଯାହା ନିଷ୍ପତ୍ତି ନେଇଥିବ । ମୁଁ ସମସ୍ତଙ୍କୁ ନେଇ ବିଜେପି ଓ ବିଜେଡି ବିରୋଧରେ ଲଢ଼ିବାକୁ ଚେଷ୍ଟା କରୁଛି । ସେହି ରାସ୍ତାରେ ଯଦି କିଏ ବିରୋଧ କରେ ବା ବିଶୃଙ୍ଖଳିତ ଆଚରଣ କରେ, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ହାଇ କମାଣ୍ଡଙ୍କ ନିଷ୍ପତି ।"

ପ୍ରକାଶ ଥାଉ କି, ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ବାରା 'ଜାନକୀ-ବସନ୍ତଙ୍କ ଯୋଡି ରାଜ୍ୟ କଂଗ୍ରେସର ସୁବର୍ଣ୍ଣ ଯୁଗ' ଶୀର୍ଷକ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୋକିମ ଓ ଚିରଞ୍ଜୀବଙ୍କ ବୟାନକୁ ନେଇ ବିବାଦ ହୋଇଥିଲା । ଏଠାରେ ପିସିସି ସଭାପତିଙ୍କୁ ଟାର୍ଗେଟ କରି ଚିରଞ୍ଜୀବ ବିଶ୍ବାଳ କହିଥିଲେ, "ଯିଏ ପିସିସି ସଭାପତି ହେଉଛି, ସେ ଆଉ କାହାକୁ ପଚାରୁନି । ଆଗାମୀ ୨୦୨୪ ନିର୍ବାଚନରେ ୧୪୭ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇ ପାରିବ କି ନାହିଁ ସନ୍ଦେହ । ଏବେ ଆମ ଦଳରେ ୯ ଜଣ ବିଧାୟକ ଥିବା ବେଳେ ୨୦ ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀ ।" ସମାନ ଭାବରେ କଂଗ୍ରେସର ଶୀର୍ଷ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ୍ । ସେ କହିଥିଲେ, "ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ଆଦର୍ଶରୁ ଅନେକ କିଛି ଶିଖିବାର ଅଛି । କାହାକୁ ଅଣଦେଖା ନକରି, ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିଲେ ଦଳ ଉଠି ପାରିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :May 29, 2023, 6:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.