ମାଟ୍ରିକ ପରୀକ୍ଷା ସୁପରିଚାଳନାରେ ବିଫଳ ରାଜ୍ୟ ସରକାର: ABVP
Published: Mar 16, 2023, 4:21 PM


ମାଟ୍ରିକ ପରୀକ୍ଷା ସୁପରିଚାଳନାରେ ବିଫଳ ରାଜ୍ୟ ସରକାର: ABVP
Published: Mar 16, 2023, 4:21 PM
ମାଟ୍ରିକ ପରୀକ୍ଷାରେ ଅନେକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ପରେ ସରକାର ୧୦ମ ପରୀକ୍ଷା ସୁପରିଚାଳନାରେ ବିଫଳ ବୋଲି ଅଭିଯୋଗ ଆଣିଛି ଏବିଭିପି । ଏହା ବିରୋଧରେ ଆଜି ସନ୍ଧ୍ୟାରେ କରିବ ଆନ୍ଦୋଳନ । ଅଧିକ ପଢନ୍ତୁ
ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ସୁପରିଚାଳନାରେ ରାଜ୍ୟ ସରକାର ବିଫଳ ବୋଲି ଅଭିଯୋଗ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) । ଏନେଇ ଆଜି ଏବିଭିପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଆଜି ସନ୍ଧ୍ୟାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦେଇଛି । ଗତ କିଛି ବର୍ଷ ଧରି ଅନେକ ମାଟ୍ରିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହୁଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା ସଂଗଠନ ଅଭିଯୋଗ କରିଛି ।
ଏବିଭିପି ଅଭିଯୋଗ କରିଛି ଯେ ଗତ କିଛି ବର୍ଷ ହେଲା ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ଭଳି ଉତ୍କଟ ସମସ୍ୟା ହେଲେ ବି ସରକାର ଏହାକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେଉନାହାନ୍ତି । ଯାହାଦ୍ବାରା ବିଗତ ଦିନରେ ମାଟ୍ରିକ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା କମ ଥିବା ସମୟରେ ଚଳିତ ବର୍ଷ ୧୫,୦୦୦ରୁ ଊର୍ଦ୍ଧ୍ବ ଓ ଇଂରାଜୀରେ ୧୬,୦୦୦ରୁ ଊର୍ଦ୍ଧ ବିଦ୍ୟାର୍ଥୀ ଅନୁପସ୍ଥିତ ଅଛନ୍ତି । ଯାହା ଗ୍ରହଣୀୟ ନୁହେଁ ବୋଲି କହିଛି ଏବିଭିପି । ଶିକ୍ଷାବର୍ଷ ଆରମ୍ଭରୁ ସରକାର ପଦକ୍ଷେପ ନନେବାରୁ ଏପରି ଅବସ୍ଥା ଉପୁଜିଛି ।
ଆଗକୁ ଏହି ସଂଖ୍ୟା ଆହୁରି ବଢି ଉତ୍କଟ ସମସ୍ୟା ସୃଷ୍ଟି କରିପାରେ । ଏପରିକି ବେକାରୀ ସମସ୍ୟାର ମୂଳଦୁଆ ସରକାର ଏଠାରେ ହିଁ ପକାଉଥିବା ସଂଗଠନ କହିଛି । ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ ପ୍ରାୟ ୧୫,୦୦୦ରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀଙ୍କ ଅନୁପସ୍ଥିତ ରହିବା ନିହାତି ଭାବେ ଚିନ୍ତାଜନକ ଏବଂ ସମ୍ବେଦନଶୀଳ ବିଷୟ । ସେହିପରି ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ନାବାଳିକା ବିବାହ, ଶିଶୁ ଦାଦନ ଶ୍ରମିକ ସମସ୍ୟା ଏବଂ ପରିବାରର ଆର୍ଥିକ ସମସ୍ୟା ବିଦ୍ୟାର୍ଥୀଙ୍କ ପାଠ ପଢ଼ାରେ ଡୋରି ବାନ୍ଧି ଦେଇଛି ।
ଏହା ବି ପଢନ୍ତୁ- ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଭୁବନେଶ୍ବରରେ ୨୨୫ ପିଲା ଅନୁପସ୍ଥିତ
ସେହିଭଳି ଉପାନ୍ତ ଜିଲ୍ଲାଗୁଡ଼ିକରେ ଏ ସମସ୍ୟା ଅଧିକ ମାତ୍ରାରେ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ମତ ନିହାତି ଭାବେ ହାସ୍ୟାସ୍ପଦ ଏବଂ ଚିନ୍ତାର ବିଷୟ । ଯଦି ମନ୍ତ୍ରୀଙ୍କ କଥା ଅନୁଯାୟୀ ପରୀକ୍ଷା ପରେ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ତର୍ଜମା କରାଯାଏ, ଯଦି ନାବାଳିକା ବିବାହ ପ୍ରଥା ରାଜ୍ୟରେ ପ୍ରଚଳିତ ତେବେ ରାଜ୍ୟର ସୁରକ୍ଷା, ଶିକ୍ଷା, ରୋଜଗାର ସ୍ଥିତି କଣ ତାହା ଏଥିରୁ ସ୍ପଷ୍ଟ ଜଣା ପଡ଼ିଯାଉଛି ।
ଯଦି ମାଟ୍ରିକ ବିଦ୍ୟାର୍ଥୀ ପରୀକ୍ଷା ଦେଉ ନାହାନ୍ତି, ତେବେ ମିଡ ଡେ ମିଲ ବା ଆଡ଼ମିଶନ ପଇସାକୁ ହରିଲୁଟ କରିବା ପାଇଁ ସରକାର ତଳ ସ୍ତରରେ ମନଇଚ୍ଛା ପିଲାଙ୍କୁ କ୍ଲାସରେ ଆଡମିସନ କରି ପରୀକ୍ଷା ଦେବା ପାଇଁ ତାଙ୍କ ଫର୍ମ ପୂରଣ କରୁଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହେଲାଣି । ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଆଲୋକପାତ କରିବା ସହ, ପରୀକ୍ଷା ଦେଇ ନଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଚିହ୍ନଟ କରି ତାଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରୁଛି । ସମସ୍ୟାର ସମାଧାନ ନ କଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ଏବିଭିପି ।
ଇଟିଭି ଭାରତ, ଭୁବନେଶ୍ବର
