Odisha Cabinet Meeting: ୧୮ଟି ପ୍ରସ୍ତାବକୁ ଅନୁମୋଦନ, 'ମୋ ଘର' ଯୋଜନାକୁ ମୋହର

author img

By

Published : May 29, 2023, 2:06 PM IST

several proposals approved in cabinet meetin

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ମୋଟ 18ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଆଜି ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ଭିତ୍ତିଭୂମି ସୁଦୃଢ କରିବା ପାଇଁ ବୈଠକରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି । କ୍ୟାବିନେଟରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ପୂର୍ତ୍ତ, ମହିଳା ଏବଂ ଶିଶୁ ବିକାଶ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଗୃହ ଏବଂ ନଗର ଉନ୍ନୟନ, ସ୍ୱାସ୍ଥ୍ୟ, କୃଷି, ଓଡ଼ିଆ, ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ, ଅବକାରୀ, ଦକ୍ଷତା ବିକାଶ, ଉଚ୍ଚଶିକ୍ଷା ବିଭାଗର ଯୋଜନା ସହ 'ମୋ ଘର' ଯୋଜନାରେ ମୋହର ବାଜିଛି ।

ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ‘ମୋ ଘର’ ଯୋଜନାକୁ କ୍ୟାବିନେଟର ଅନୁମୋଦନ ମିଳିଛି । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି । ମୋ ଘର ଯୋଜନା ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ଏହି ଯୋଜନାରେ ସାମିଲ ହେବେ । 'ମୋ ଘର' ଯୋଜନା ନେଇ ଆସିଥିବା ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି ।

'ମୋ ଘର' ଯୋଜନା କଣ: ଏହି ଯୋଜନାରେ ନୂଆ ଘର ନିର୍ମାଣ, ଘର ସମ୍ପ୍ରସାରଣ, ପୁନଃ ନିର୍ମାଣ ଓ ଅଧା କାମ ସମ୍ପୂର୍ଣ୍ଣ ହେବ । ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ସୁଲଭ ମୂଲ୍ୟରେ ସବସିଡି ଯୁକ୍ତ ଲୋନ ଯୋଗାଇ ଦେବେ ସରକାର । 4ଟି ସ୍ଲାବରେ ଲୋନ ମିଳିବ । ଉଭୟ ସାଧାରଣ ଓ ଏସିଏସଟିଙ୍କ ଲୋକଙ୍କ ପାଇଁ ସବସିଡି ବ୍ୟବସ୍ଥା ରହିଛି । ଘର ପାଇନଥିବା ହିତାଧିକାରୀ ମୋ ଘର ଯୋଜନାରେ ଘର ପାଇପାରିବେ । ସ୍ବଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ ଯୋଗୁଁ ବାଦ ପଡିଥିବା ହିତାଧୀକାରୀ ଓ କମ ଗୃହ ନିର୍ମାଣ ସହାୟତା ରାଶି ପାଇଥିବା ହିତାଧିକାରୀ ମଧ୍ୟ ଏହି ଯୋଜନା ଜରିଆରେ ଉପକୃତ ହେବେ । ହିତାଧିକାରୀଙ୍କୁ ଘର ତିଆରି ପାଇଁ 1 ଲକ୍ଷରୁ 3 ଲକ୍ଷ ଯାଏଁ ଋଣ ମିଳିବ । rhodisha.gov.in/moghara ଜରିଆରେ ଆବେଦନ କରି ହେବ । 15 ଜୁନ 2023 ସୁଦ୍ଧା ଆବେଦନ ଗ୍ରହଣ କରାଯିବ ।

ପ୍ରତିଷ୍ଠା ହେବ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ: ସେହିପରି ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଓ ପ୍ରଗତିଶୀଳ ଡାକ୍ତରୀ ଶିକ୍ଷା ଯୋଗାଇବା ପାଇଁ 'ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ' ପ୍ରତିଷ୍ଠା ହେବ । ଏଥିପାଇଁ ଆବଶ୍ୟକ ବଜେଟକୁ କ୍ୟାବିନେଟ ମୋହର ମାରିଛି । ୩୩୦.୧୭ କୋଟିର ପ୍ରସ୍ତାବ ଆଗତ ହୋଇଛି । ଏହା ରାଜ୍ୟର ସରକାରୀ ଡାକ୍ତରଖାନାରେ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫଙ୍କ ନିଯୁକ୍ତି ସୁନିଶ୍ଚିତ କରିବ । ନବକଳେବର ହେବ ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲେଜି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ VSSUTର ଉନ୍ନତୀକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । ୨୦୨୬ ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା କରାଯିବ । ଏଥିପାଇଁ ୩ଟି ପର୍ଯ୍ୟାୟରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

୬ଟି ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ: ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବଲାଙ୍ଗୀର ଜିଲ୍ଲା ପାଇଁ ୬ଟି ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ୨୨୨ଟି ଗାଁର ୧.୬୧ ଲକ୍ଷରୁ ଅଧିକ ବାସିନ୍ଦା ଉପକୃତ ହେବେ । ସେହିପରି ଗଜପତିର ଜିଲ୍ଲା ପାଇଁ ୨ଟି ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୩୪୬ଟି ଗାଁର ୧ ଲକ୍ଷ ୩୧ ହଜାରରୁ ଅଧିକ ବାସିନ୍ଦା ଉପକୃତ ହେବେ । ଉଭୟ ଖରିଫ ଓ ରବି ଫସଲ ଋତୁରେ ଚାଷଜମିକୁ ଜଳ ସୁନିଶ୍ଚିତ କରିବା ପାଇଁ ଜଳକ୍ଳିଷ୍ଟ ଅଞ୍ଚଳରେ ଭୂତଳ ଜଳର ପୋଷଣୀୟ ବିନିଯୋଗ ଯୋଜନାରେ ୩୬୪.୪୦ କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ମଞ୍ଜୁର କରିଛି । ଏଥିରେ କ୍ଲଷ୍ଟର ଭିତ୍ତିରେ ଅଗଭୀର ନଳକୂପ ଖନନ ସହ ସୌର ଶକ୍ତିରେ ଜଳ ଉତ୍ତୋଳନ ବ୍ୟବସ୍ଥା ଦ୍ୱାରା ଉତ୍ପାଦନ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇବ ।

ବିକଶିତ ହେବ କୋଣାର୍କ ମନ୍ଦିର ପରିସର: ସେହିପରି କୋଣାର୍କ ମନ୍ଦିର ପରିସର ଓ ଚର୍ତୁପାର୍ଶ୍ବକୁ ବିକଶିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଐତିହ ଓ ସ୍ମାରକୀ ଏବଂ ପର୍ଯ୍ୟଟନ ଆକର୍ଷଣର ସମନ୍ବିତ ବିକାଶ ଯୋଜନା ଅଧିନରେ କୋଣାର୍କ ଐତିହ୍ୟସ୍ଥଳୀ ବିକାଶ ଯୋଜନା ମାଧ୍ୟମରେ କୋଣାର୍କ ମନ୍ଦିର ଆଖପାଖରେ ଭିତ୍ତିଭୂମିର ଉନ୍ନତି ଓ ପର୍ଯ୍ୟଟକଙ୍କ ଅନୁଭବକୁ ଉନ୍ନତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ବିପି କନଷ୍ଟ୍ରକସନ ସଂସ୍ଥାକୁ ୨୦୯ କୋଟି ୭୩ ଲକ୍ଷ ୭୦ ହଜାର ଟଙ୍କା ମଞ୍ଜୁର ହୋଇଛି । ୧୮ ମାସରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଡେଲିଭରୀ ବୟ ଓ ଜ୍ବିଗାଟୋ ଫିଲ୍ମ ଟ୍ୟାକ୍ସ ଫ୍ରି: ସେହିପରି ଏକାମ୍ର କ୍ଷେତ୍ର ଯୋଜନାରେ ପୁରୁଣା ଭୁବନେଶ୍ୱର ଅଞ୍ଚଳ ବିଭିନ୍ନ ପ୍ରାଚୀନ ସ୍ମାରକୀର ପୁନରୁଦ୍ଧାର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ୧୫୬ କୋଟି ୨୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହା ସହ ଦୁଇଟି ସିନେମାକୁ କର ମୁକ୍ତ ନିଷ୍ପତ୍ତିକୁ କ୍ୟାବିନେଟ ମୋହର ବାଜିଛି । ଡେଲିଭରୀ ବୟ ଏବଂ ଜ୍ବିଗାଟୋ କର ମୁକ୍ତ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.