ବିଲାବନ୍ଧ ଗାଁକୁ ଗ୍ରାସିଛି କିଡନୀ ରୋଗ, ଗଲାଣି ଅନେକ ଜୀବନ

author img

By

Published : Sep 22, 2021, 2:49 PM IST

ବିଲାବନ୍ଧ ଗାଁରେ କିଡନୀ ରୋଗ ଆତଙ୍କ, ଗଲାଣି ଅନେକ ଜୀବନ

ମହାମାରୀ ରୂପ ନେବାକୁ ବସିଛି କିଡନୀ ରୋଗ । ଦୁଇ ତିନି ବର୍ଷ ଭିତରେ ଗଲାଣି ଅନେକ ଅମୂଲ୍ୟ ଜୀବନ । ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବିଲାବନ୍ଧ ଗାଁରେ । ଅଧିକ ପଢନ୍ତୁ...

ଆନନ୍ଦପୁର: ମହାମାରୀ ରୂପ ନେବାକୁ ବସିଛି କିଡନୀ ରୋଗ । ଦୁଇ ତିନି ବର୍ଷ ଭିତରେ ଗଲାଣି ଅନେକ ଅମୂଲ୍ୟ ଜୀବନ । କିଡନୀ ରୋଗରେ ଆକ୍ରାନ୍ତ ହୋଇ କିଏ ସଳଖି ଛିଡା ହୋଇ ପାରୁନି ତ ପୁଣି କିଏ ଦୁର୍ବଳତା କାରଣରୁ ଠିକଭାବେ ଚାଲି ପାରୁନାହାନ୍ତି । ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବିଲାବନ୍ଧ ଗାଁରେ । ଯେଉଁଠି ଅଧିକାଂଶ ଲୋକ ଚାଷବାସ ଓ ଦିନ ମଜୁରୀ କରି ପରିବାର ପ୍ରତି ପୋଷଣ କରନ୍ତି । ହେଲେ ଗାଁକୁ ଏବେ ଘାରିଛି କିଡନୀ ରୋଗ ଭୟ । କାରଣ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଲେ କୌଣସି ପରିବାର ପାଖରେ ନାହିଁ ଆର୍ଥିକ ବଳ ।

ବିଲାବନ୍ଧ ଗାଁରେ କିଡନୀ ରୋଗ ଆତଙ୍କ, ଗଲାଣି ଅନେକ ଜୀବନ
ପୁରୁଣାବାନ୍ଧଗୋଡା ପଞ୍ଚାୟତର ବିଲାବନ୍ଧ ଗାଁରେ ରୁହନ୍ତି 100 ଟି ପରିବାର । ଏମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମବାସୀଙ୍କ କିଡନୀ ରୋଗରେ ପ୍ରାଣ ଗଲାଣି । 7 ମାସ ବ୍ୟବଧାନରେ ଗୋଟିଏ ପରିବାରର ଦମ୍ପତିଙ୍କ ପ୍ରାଣ ଯାଇଥିବା ବେଳେ ଆଉ କିଏ ଦୀର୍ଘ 4 ମାସରୁ କିଡନୀ ରୋଗରେ ଆକ୍ରାନ୍ତ । ତେବେ ପାଣି ପାଇଁ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କିନ୍ତୁ ଗାଁରେ ପାଇପଲାଇନ ପାଣିର ବ୍ୟବସ୍ଥା ଥିବାରୁ ରୋଗ ବ୍ୟାପିବାର ପ୍ରକୃତ କାରଣ ଜଣାପଡିନାହିଁ । ଗାଁରେ କିଡନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଯାହାକୁ ନେଇ ସାରା ବିଲାବନ୍ଧ ଗାଁରେ ସୃଷ୍ଟି ହୋଇଛି କୋକୁଆ ଭୟ ।ସ୍ବାସ୍ଥ୍ୟ ବିଭାଗ ଯଦି ବିଲାବନ୍ଧ ଗାଁକୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ପଠାଇ ଯାଞ୍ଚ କରିବା ସହିତ ସଚେତନ କରିବ ଏହି ମହାମାରୀରୁ ବର୍ତ୍ତି ପାରିବେ ଗ୍ରାମବାସୀ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.