କେନ୍ଦ୍ରାପଡ଼ାରେ ବର୍ଷା ବିତ୍ପାତ: ୭ ଲକ୍ଷରୁ ଅଧିକ ପ୍ରଭାବିତ, ୨ ମୃତ

author img

By

Published : Sep 13, 2021, 10:46 PM IST

କେନ୍ଦ୍ରାପଡ଼ାରେ ବର୍ଷା ବିତ୍ପାତ: ୭ ଲକ୍ଷରୁ ଅଧିକ ପ୍ରଭାବିତ, ୨ ମୃତ

ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାର ହାଲ୍‌ ବେହାଲ୍‌ ହୋଇଛି । ବିଭିନ୍ନ ସ୍ଥାନରୁ ବର୍ଷା ଜଳ ନିଷ୍କାସିତ ହୋଇ ପାରୁନାହିଁ । ଅଧିକ ପଢ଼ନ୍ତୁ...

କେନ୍ଦ୍ରାପଡ଼ା: ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାର ହାଲ ବେହାଲ ହୋଇଛି । ବିଭିନ୍ନ ସ୍ଥାନରୁ ବର୍ଷା ଜଳ ନିଷ୍କସିତ ହୋଇପାରୁନାହିଁ । ଫଳରେ ପ୍ରଶାସନର ବର୍ଷା ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଇଚ୍ଛାପୁରରୁ ତିନିମୁହାଣି ଓ ୱାର୍ଡ ନଂ 1ରୁ 21 ସବୁଆଡ଼େ ପାଣି ହିଁ ପାଣି। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଓ ଏସପିଙ୍କ ଆବାସିକ କାର୍ଯ୍ୟାଳୟ ସହ କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟରେ ଲହଡି ଭାଙ୍ଗି ବହି ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି ।

କେନ୍ଦ୍ରାପଡ଼ାରେ ବର୍ଷା ବିତ୍ପାତ: ୭ ଲକ୍ଷରୁ ଅଧିକ ପ୍ରଭାବିତ, ୨ ମୃତ

ରବିବାର ଜିଲ୍ଲାରେ 438 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ପୂର୍ବରୁ ଡ୍ରେନ୍ ଗୁଡ଼ିକ ସଫେଇ କରାଯାଇନଥିବାରୁ ଘରୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇ ପଡ଼ିଛି । ମ୍ୟୁନିସିପାଲିଟିରେ ଘର ତିଆରି ପୂର୍ବରୁ ସଠିକ ପ୍ଲାନିଂ କରାଯାଇନଥିବା ଅଭିଯୋଗ କରିଛି । ତେବେ ବର୍ଷାଦିନ ପୂର୍ବରୁ ଡ୍ରେନ ସଫେଇ କରାଯାଇଥିଲା ବୋଲି ସଫେଇ ଦେଇଛନ୍ତି ପୌରନିର୍ବାହୀ ଅଧିକାରୀ ।

ଦୁଇଦିନ ଲଘୁଚାପ ଜନିତ ଲଗାଣ ବର୍ଷାକୁ ନେଇ ଜାରି ହେଲା ପ୍ରଶାସନିକ ରିପୋର୍ଟ । 5ଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲିଟିରେ ମୋଟ 126 ପଞ୍ଚାୟତ ବର୍ଷାରେ ପ୍ରଭାବିତ ହୋଇଛନ୍ତି । ଲଗାଣବର୍ଷା ଫଳରେ 811ଟି ଗାଁ ଦୁର୍ଦ୍ଦଶା ଭୋଗୁଛନ୍ତି । 2ଟି ମ୍ୟୁନିସିପାଲିଟିର 22ଟି ୱାର୍ଡର ଲୋକ ବର୍ଷାରେ ବେହାଲ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ 7 ଲକ୍ଷ 79 ହଜାର 241ଜଣ ଲୋକ ବର୍ଷାର କରାଳ ରୂପ ଦେଖିଛନ୍ତି ।

କେନ୍ଦ୍ରାପଡ଼ା, ଡେରାବିଶ୍, ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ବ୍ଲକରେ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । 14ଟି ସେଣ୍ଟରକୁ ମୋଟ 532ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। 15ଟି ବାସଗୃହ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ 2ଟି ଗୁହାଳ ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି।

କୁନ୍ଦୁପୁର-ବାବର-ଜମ୍ବୁ ରାସ୍ତା, ମାର୍ଶାଘାଇ-ଜମ୍ବୁ ରାସ୍ତା,କଟକ-ଚାନ୍ଦବାଲି ରାସ୍ତା, କେନ୍ଦ୍ରାପଡ଼ା-ଗୋଲରାହାଟ ରାସ୍ତା, କଟିକଟା-ଯାଜପୁର ରାସ୍ତା ଓ ପାଇକା ନଦୀର ବାମପାର୍ଶ୍ୱ ଏମ୍ବାକମେଣ୍ଟ ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି । ମୂଷଳଧାରା ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ କେନାଲର ବାରିମୂଳ ନିକଟରେ ଏକ ଛୋଟ ଘାଇ ସୃଷ୍ଟି ହୋଇଛି ।

ଲଗାଣ ବର୍ଷାରେ ଜିଲ୍ଲାରେ 2ଜଣଙ୍କ ମୃତ୍ୟୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ରିପୋର୍ଟରେ ଦର୍ଶାଇଛନ୍ତି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ । ଉକ୍ତ ରିପୋର୍ଟରେ ଚାଷର କ୍ଷୟକ୍ଷତି ସମ୍ପର୍କିତ ସମସ୍ତ ଆକଳନ କରାଯାଇନାହିଁ । ଏହି ରିପୋର୍ଟକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିକଟକୁ ପଠାଇଛି ଜିଲ୍ଲା ପ୍ରଶାସନ।

ବାରମ୍ବାର ଅଭିଯୋଗ ଓ ଦାବି ପରେ ମଧ୍ୟ ଲଘୁଚାପ ଜନିତ ଲଗାଣ ବର୍ଷାକୁ ନେଇ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନର ଖାମଖିଆଲ ମନୋଭାବ କରିଥିଲା । ଲଘୁଚାପ ଜନିତ ବର୍ଷାରେ କେନ୍ଦ୍ରାପଡ଼ା ପ୍ରଶାସନ କାର୍ଯ୍ୟକଳାପ ପଦାରେ ପଡ଼ିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.