ଶ୍ରୀବଳଦେବଜୀଉଙ୍କ ନିକଟରେ ମକର ଚାଉଳ ଲାଗି, ୮୪ ବ୍ୟଞ୍ଜନରେ ଆପ୍ୟାୟିତ ହେଲେ ପ୍ରଭୁ

author img

By

Published : Jan 14, 2023, 4:10 PM IST

Updated : Jan 14, 2023, 5:18 PM IST

Special Puja offered to Lord Shri Baladev jew

ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ଶ୍ରୀବଳଦେବଜୀଉ ମନ୍ଦିରରେ ଲାଗିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ପ୍ରଭୁ ବଳଦେବଜୀଉଙ୍କୁ ୮୪ ବ୍ୟଞ୍ଜନରେ ଆପ୍ୟାୟିତ କରାଯିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ଶ୍ରୀବଳଦେବଜୀଉଙ୍କ ନିକଟରେ ମକର ଚାଉଳ ଲାଗି

କେନ୍ଦ୍ରାପଡ଼ା: ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଛି । ଏହି ପବିତ୍ର ଦିନ ଅବସରରେ ମନ୍ଦିରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ୍ଙ୍କ ଭିଡ଼ ଜମିଥିବା ବେଳେ ପ୍ରଭୁ ବଳଦେବଜୀଉଙ୍କୁ ୮୪ ବ୍ୟଞ୍ଜନରେ ଆପ୍ୟାୟିତ କରାଯିବ । ମୋକ୍ଷ ପ୍ରାପ୍ତି ସହ ନୂଆ ଚାଉଳ ତଥା ମକର ଚାଉଳ ଶ୍ରୀଜୀଉଙ୍କ ନିକଟରେ ଲାଗି କରିବା ପାଇଁ କାହିଁ କେତେ ଦୁରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

ଲୋକ କଥା ଓ ବିଶ୍ବାସ ଅନୁଯାୟୀ, ଆଜି ଦିନରେ ନୂଆ ଚାଉଳ ସହ ଗୁଡ଼, କଦଳୀ, ଛେନା, କ୍ଷୀର ଓ ନଡ଼ିଆ କୃଷି ଓ କୃଷକର ଦେବତା ମହାପ୍ରଭୁ ହଳାୟୁଧଙ୍କ ନିକଟରେ ଲାଗି କଲେ ବର୍ଷ ସାରା ଚାଷୀର କଷଣ ଦୂର ହୋଇ ଭଲ ଫସଲ ହୋଇଥାଏ। ଏହି ପ୍ରଥା ଓ ପରମ୍ପରାକୁ ବଜାୟ ରଖି ଆଜି ଜିଲ୍ଲାର ଅନ୍ୟୁନ ୩ ଲକ୍ଷରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ କେନ୍ଦ୍ରାପଡ଼ା ଇଚ୍ଛାପୁରସ୍ଥିତ ବଳଦେବଜୀଉଙ୍କ ମନ୍ଦିରରେ ଭିଡ଼ ଲଗାଇଥିଲେ । ଆଜି ଦିନରେ ସୂର୍ଯ୍ୟଙ୍କ ମକର ରାଶିକୁ ଚଳନ ଓ ଉତ୍ତରାୟଣ ଗତି ଯୋଗୁଁ ଦିନ ସାମାନ୍ୟ ବଡ଼ ହେଉଥିବାରୁ ଆଜି ଦିନରେ ନିଜ ଆରାଧ୍ୟଙ୍କ ଦର୍ଶନ କରି କୃତାର୍ଥ ହୋଇଥାନ୍ତି ଶ୍ରଦ୍ଧାଳୁ ।

ଏହା ବି ପଢନ୍ତୁ- Crocodile Census: ଭିତରକନିକାରେ ବଢିଲେ ୯ କୁମ୍ଭୀର

ପୂର୍ବପୁରୁଷମାନେ ଆଜି ଦିନରେ ମନୋକାମନା ପୂରଣ ଉଦ୍ଦେଶ୍ୟରେ ଆଜି ଦିନରେ ଦର୍ଶନ କରୁଛନ୍ତି ଭକ୍ତ । ଗତକାଲି ବିଳମ୍ବିତ ରାତିରେ ଶ୍ରୀଜୀଉଙ୍କୁ ମକର ବେଢ଼ା ପରିକ୍ରମା କରି ଆଜି ପ୍ରତ୍ୟୁଷରୁ ମଙ୍ଗଳ ଆଳତି ପରେ ଭକ୍ତଙ୍କ ଦର୍ଶନ ଜାରି ରହିଛି । ଏହାବ୍ୟତୀତ ଏହି ମକର ସଂକ୍ରାନ୍ତିର ଅନ୍ୟ ଏକ ପରମ୍ପରା ହେଉଛି, ମହାଲକ୍ଷ୍ମୀ ପୌଷ ମାସ ଧନୁ ସଂକ୍ରାନ୍ତିରେ ବାପଘରକୁ ଯାଇ ମକର ସଂକ୍ରାନ୍ତି ପୂର୍ବଦିନ ଫେରିଥାନ୍ତି। ତେବେ ଫେରିବା ସମୟରେ ବାପଘରୁ ୮୪ ପ୍ରକାର ଖାଦ୍ୟପେୟ ଆଣିଥିବା ବେଳେ ଏହି ବ୍ୟଞ୍ଜନକୁ ପ୍ରଭୁ ବଳଦେବ ଓ ଶ୍ରୀଜଗନ୍ନାଥଙ୍କ ନିକଟରେ ପରଷି ଦେଇଥାନ୍ତି ।

ସେଥିପାଇଁ ଆଜି ଭୋର ସମୟରୁ ମନ୍ଦିରରେ ସ୍ବତନ୍ତ୍ର ନୀତି କରାଯାଇ ଅପରାହ୍ନରେ ମକର ବେଢ଼ା ବୁଲାଯିବା ପରେ ୪ଟି ପଡାର ମୁରବୀମାନଙ୍କୁ ବସାଯାଇ ଏହି ବ୍ୟଞ୍ଜନମାନ ବଣ୍ଟା ଯାଇଥାଏ । ତେବେ ଗତବର୍ଷ କୋଭିଡ଼ ପାଇଁ ମନ୍ଦିରରେ ଦର୍ଶନ ବନ୍ଦ ରହିଥିବା ବେଳେ ଚଳିତବର୍ଷ ଚର୍ମ ଚକ୍ଷୁରେ ଈଶ୍ବର ଦର୍ଶନ କରି ବିମୋହିତ ହୋଇଛନ୍ତି ଶ୍ରଦ୍ଧାଳୁ। ଗତବର୍ଷ ଦୂରରୁ ରହି ଭକ୍ତ ଭଗବାନଙ୍କ ଦର୍ଶନ କରିଥିବା ବେଳେ ଚଳିତ ବର୍ଷ ମହାପ୍ରଭୁଙ୍କ ଦର୍ଶନ ଫଳରେ କୋଟି ଜନ୍ମର ଫଳ ଅର୍ଜନ କରିଥିବା କହିଛନ୍ତି ଭକ୍ତ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated :Jan 14, 2023, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.