ଲୋକପ୍ରତିନିଧିଙ୍କ ଭିକ୍ଷା ଘଟଣା: ଜିଲ୍ଲାପାଳ କହିଲେ 50-100 ଟଙ୍କାରେ କିଛି ହେବନି, ନିନ୍ଦା କଲେ ବୁଦ୍ଧିଜୀବୀ

author img

By

Published : Sep 16, 2022, 8:04 PM IST

Updated : Sep 16, 2022, 8:20 PM IST

ଲୋକପ୍ରତିନିଧିଙ୍କ ଭିକ୍ଷା ମାଗିବା ଘଟଣା, ଜିଲ୍ଲାପାଳଙ୍କ ମନ୍ତବ୍ୟକୁ ସାଧାରଣରେ ନିନ୍ଦା

କେନ୍ଦ୍ରାପଡ଼ା ରାଜକନିକା ବ୍ଲକ୍‌ର ପେଗରପଡ଼ା ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ଭିକ୍ଷା ମାଗିବା ଘଟଣାରେ ଜିଲ୍ଲାପାଳଙ୍କ ବିବାଦିୟ ମନ୍ତବ୍ୟ । ୫୦-୧୦୦ ଟଙ୍କା ଭିକ୍ଷାରେ ରାସ୍ତା ହୋଇପାରିବନି କହିଲେ ଜିଲ୍ଲାପାଳ । ଏଭଳି ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା: ଖୋଦ ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସରପଞ୍ଚ ଓ ସମିତିସଭ୍ୟ ଭିକ୍ଷା ମାଗିବା ଘଟଣାରେ ଜିଲ୍ଲାପାଳଙ୍କ ବିବାଦିୟ ମନ୍ତବ୍ୟ । କହିଲେ ୫୦ -୧୦୦ ଟଙ୍କା ଭକ୍ଷାରେ ହୋଇପାରିବନି ରାସ୍ତାକାମ । ଜିଲ୍ଲାପାଳଙ୍କ ଏଭଳି ମନ୍ତବ୍ୟ ପରେ ଅସନ୍ତୋଷ ପ୍ରକାଶ କଲେ ସାଧାରଣ ଜନତା । ସାଧାରଣ ଜନତାଙ୍କ ଟଙ୍କାରେ ସମଗ୍ର ଦେଶ ଚାଲିଥାଏ । ତେଣୁ ଏଭଳି ଘୃଣ୍ୟ ମନ୍ତବ୍ୟରୁ ଜିଲ୍ଲାପାଳ ନିବୃତ ରୁହନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଗ୍ରାମାଞ୍ଚଳ ବା ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସରକାର ମାଳମାଳ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ଅନେକ କାରଣରୁ ଲୋକଙ୍କ ପାଖରେ ଏହି ଯୋଜନା ପହଞ୍ଚି ପାରୁନାହିଁ । କେତେବେଳେ ଲୋକଙ୍କ ସେବା କରିବାକୁ ଜନ ପ୍ରତିନିଧି ମନ ବଳାଉନଥିବା ବେଳେ କେତେବେଳେ ଜନ ପ୍ରତିନିଧିଙ୍କୁ ସହଯୋଗ କରୁନାହାଁନ୍ତି ପ୍ରଶାସନ ଅଧିକାରୀ । ଫଳରେ ବାଧ୍ୟ ହୋଇ ଜନ ପ୍ରତିନିଧିଙ୍କୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଭିକ୍ଷାବୃତ୍ତି କରିବାକୁ ପଡ଼ିଛି । ଏହାର ଏକ ଜ୍ବଳନ୍ତ ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ର ପେଗରପଡ଼ା ପଞ୍ଚାୟତରେ ଦେଖିବାକୁ ମିଳିଥିଲା । ପଞ୍ଚାୟତର ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ମଲ୍ଲିକ ଓ ସମିତିସଭ୍ୟ ପ୍ରବେଶନ ମଲ୍ଲିକ ସେହି ପଞ୍ଚାୟତର ସର୍ପାବାଦ ଦାଣ୍ଡି ରାସ୍ତା ନିର୍ମାଣ ପାଇଁ ଦ୍ବାରଦ୍ବାର ବୁଲି ଭିକ୍ଷା ସଂଗ୍ରହ କରିଥିଲେ (Pegarpada ward member and Sarpanch seen begging) ।

ଲୋକପ୍ରତିନିଧିଙ୍କ ଭିକ୍ଷା ଘଟଣା: ଜିଲ୍ଲାପାଳ କହିଲେ 50-100 ଟଙ୍କାରେ କିଛି ହେବନି, ନିନ୍ଦା କଲେ ବୁଦ୍ଧିଜୀବୀ

କ'ଣ ଥିଲା ସମସ୍ୟା

ଭିକ୍ଷା ମାଗିବାର ୧୦ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୨୯ ତାରିଖ ଦିନ ମିଳିତ ଜନ ଅଭିଯୋଗ ଶୁଣାଣୀରେ ହାଜର ହୋଇ ଏହି ରାସ୍ତା ନିର୍ମାଣ ପାଇଁ ଉଭୟ ଲୋକ ପ୍ରତିନିଧି ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ତୁରନ୍ତ ଏହି ଗାଁ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରଦିନ ରାଜକନିକା ବ୍ଲକର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ପେଗରପଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି ଗାଁକୁ ଯାଇ ମାପଚୁପ କରିଥିବା ବେଳେ ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ଏବଂ ସମିତିସଭ୍ୟ ପ୍ରବେଶନଙ୍କୁ କାମ କରିବା ପାଇଁ କହି ଆସିଥିଲେ । ପରେ ଏହି ୬୩୦ ମିଟର ଦୀର୍ଘ ଗାଁ ରାସ୍ତା ନିର୍ମାଣ ପାଇଁ ଲୋକ ପ୍ରତିନିଧି ଦୁହେଁ ବାଲି ଏବଂ ମେଣ୍ଟାଲ ପକାଇବା ପରେ ଆରମ୍ଭ ହୋଇଥିଲା ପ୍ରଶାସନିକ ଅସହଯୋଗର ଖେଳ । ଏହି କାମକୁ ବନ୍ଦ କରାଯାଇ ଗ୍ରାମସଭା, ପଲ୍ଲୀସଭା ହେଲେ କାମ ହେବ ବୋଲି କହିଥିଲା ପ୍ରଶାସନ । ପରେ ରାସ୍ତା କାମ ପାଇଁ ପଡ଼ିଥିବା ବାଲି ବର୍ଷାରେ ଧୋଇଯାଇଥିଲା । ଏନେଇ ପ୍ରଶାସନିକ ଅଧିକାରୀଙ୍କ ଅସହଯୋଗକୁ ଦାୟୀ କରି ଘରଘର ବୁଲି ଭିକ ମାଗି ରାସ୍ତା କାମ ପାଇଁ ଅର୍ଥ ସଂଗ୍ରହ କରିଥିଲେ ଏହି ଦୁଇ ଲୋକ ପ୍ରତିନିଧି ।

ସରପଞ୍ଚଙ୍କ ଦୋଷ ରହିଥିବା କହିଲେ ମନ୍ତ୍ରୀ

ରାଜ୍ୟ ସରକାରଙ୍କର ଖୋଦ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଦୃଶ୍ୟକୁ ବିଭିନ୍ନ ସ୍ତରରେ ନିନ୍ଦା କରାଯାଇଥିଲା । ଏନେଇ ସମସ୍ତ ଦୋଷ ସରପଞ୍ଚଙ୍କ ଉପରେ ଲଦି ଦେଇଥିଲେ ମନ୍ତ୍ରୀ ପ୍ରତାପ ଦେବ । ମନ୍ତ୍ରୀ କହିଥିଲେ ଯେ, ''ସରପଞ୍ଚଙ୍କ ତ୍ରୁଟି ରହିଛି । ବିନା ଗ୍ରାମସଭାରେ ସେମାନେ ପ୍ରକଳ୍ପ ନେଇଥିବା କାରଣରୁ କାମ ହୋଇ ପାରୁନାହିଁ । ସେମାନେ ପ୍ରଥମେ ନିଜେ ଠିକ୍ ହୁଅନ୍ତୁ ।'' ଅନ୍ୟପଟେ ଦୀର୍ଘ ୭ ମାସ ହେବ ପଞ୍ଚାୟତ ପ୍ରତିନିଧିମାନେ ନିର୍ବାଚିତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଗୋଟିଏ ମଧ୍ୟ ଗ୍ରାମସଭା କରାଇ ନଦେବା ପଛରେ ଶାସକ ଦଳର କିଛି ସମର୍ଥକଙ୍କ ହାତ ରହିଥିବା ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ପେଗରପଡା ପଞ୍ଚାୟତ ପ୍ରତିନିଧି ଭିକ୍ଷା ମାଗିବା ଘଟଣା, ଏମିତି କହିଲେ ମନ୍ତ୍ରୀ

୫୦-୧୦୦ ଟଙ୍କା ଭିକ୍ଷାରେ ରାସ୍ତାକାମ ହୋଇପାରିବନି କହିଲେ ଜିଲ୍ଲାପାଳ

ଏନେଇ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ପଚରାଯିବାରୁ ସେ ଦେଇଥିବା ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ସେ କହିଛନ୍ତି, "୫୦-୧୦୦ ଟଙ୍କା ଭିକ୍ଷାରେ ରାସ୍ତା କାମ ହୋଇପାରିବ ନାହିଁ । କୌଣସି ଉନ୍ନତିମୂଳକ କାର୍ଯ୍ୟ ପାଇଁ ପଞ୍ଚାୟତର ଫଣ୍ଡ ପର୍ଯ୍ୟାପ୍ତ ହୋଇନଥାଏ । ଏଥିପାଇଁ ପଞ୍ଚାୟତ ସମିତି ଫଣ୍ଡ ମଧ୍ୟ ଆବଶ୍ୟକ । ପ୍ରଥମେ ଗ୍ରାମ ସଭାରେ କାର୍ଯ୍ୟ ଖସଡ଼ା ପାରିତ ହେବା ଆବଶ୍ୟକ ।"

ତେବେ ଏହି ସାଧାରଣ ଜନତାଙ୍କ ସ୍ବଳ୍ପ ଟିକସରେ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଧାୟକ ଓ ସାଂସଦ ଚଳିଥାନ୍ତି । ସରକରୀ କାର୍ଯ୍ୟ ମଧ୍ୟ ଏଥିରୁ ହିଁ ହୋଇଥାଏ । ତେଣୁ ଏଭଳି ମନ୍ତବ୍ୟରୁ ଜିଲ୍ଲାପାଳ ନିବୃତ ରୁହନ୍ତୁ ବୋଲି ବୁଦ୍ଧିଜୀବୀ କହିଛନ୍ତି । ପଞ୍ଚାୟତର ବିକାଶ ପାଇଁ ଯାହା ସମ୍ଭବ ସେଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଲୋକପ୍ରତିନିଧିଙ୍କ ସହ ପ୍ରଶାସନ ଉଚିତ ବ୍ୟବହାର କରୁ

କିଛିଦିନ ପୂର୍ବରୁ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ଜିଲ୍ଲାପାଳଙ୍କ ଏଭଳି ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଥିଲେ । ସେ କହିଛନ୍ତି, "ସାଧାରଣ ଲୋକଙ୍କ ଦ୍ବାରା ନିର୍ବାଚନରେ ଜିତିଥିବା ଲୋକପ୍ରତିନିଧି ମାନଙ୍କୁ କେନ୍ଦ୍ର ସରକାର ଯଥେଷ୍ଟ ସମ୍ମାନ କରନ୍ତି । ତେଣୁ ପ୍ରଶାସନିକ ଅଧିକାରୀଙ୍କର ଲୋକପ୍ରତିନିଧିମାନଙ୍କୁ ଏଭଳି ବ୍ୟବହାର କରିବା ଉଚିତ ହୋଇନାହିଁ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated :Sep 16, 2022, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.