ମେଡିକାଲ ସ୍ଥାନାନ୍ତର ବିରୋଧରେ ବିଦ୍ରୋହ, ୧୨ଘଣ୍ଟିଆ ଜିଲ୍ଲା ବନ୍ଦ ଚେତାବନୀ

author img

By

Published : Jan 16, 2023, 8:29 PM IST

Updated : Jan 16, 2023, 8:36 PM IST

Kendrapara District Head quarter hospital

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ପ୍ରସଙ୍ଗ । ପୁରୁଣା ହସ୍ପିଟାଲକୁ ବନ୍ଦ କରି ଦିଆଯିବା ଘଟଣାରେ ଅସନ୍ତୋଷ ପ୍ରକାଶ କରି ୧୨ଘଣ୍ଟିଆ ଜିଲ୍ଲା ବନ୍ଦ ଚେତାବନୀ ଦେଇଛି ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ

ମେଡିକାଲ ସ୍ଥାନାନ୍ତର ବିରୋଧରେ ବିଦ୍ରୋହ, ୧୨ଘଣ୍ଟିଆ ଜିଲ୍ଲା ବନ୍ଦ ଚେତାବନୀ

କେନ୍ଦ୍ରାପଡ଼ା: ଚଞ୍ଚକତା କରି ଉଠାଇନେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏବେ ସହରାଞ୍ଚଳରେ ବସବାସ କରୁଥିବା ୧ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣଙ୍କୁ ଭରସା ପାଲଟିଛି ୫ କିଲୋମିଟର ଦୂରରେ ଥିବା ନୂତନ ମେଡିକାଲ । ମେଡିକାଲ କଲେଜ ଦାବିରେ ଆନ୍ଦୋଳନ କରୁଥିବା ସହରର ସାଧାରଣ ଜନତା ଏବେ ପୂର୍ବରୁ ରହିଥିବା ସ୍ଥାନରେ ମେଡିକାଲକୁ ରଖିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି । ଏଥିପାଇଁ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ଗଢି ମଙ୍ଗଳବାର ୧୨ ଘଣ୍ଟିଆ ସହର ବନ୍ଦ ଡାକରା ଦେଇଛନ୍ତି ।

ଅନ୍ୟପଟେ ମନ୍ତ୍ରୀ ଏନେଇ ବିଚାର ବିମର୍ଶ ହେଉଥିବା କହିଥିବା ବେଳେ ବିଧାୟକ କିନ୍ତୁ ଯାହା ହୋଇଛି ଭଲ ହୋଇଛି କହି ଖସି ଯିବାକୁ ଚେଷ୍ଟା ଚଳାଇଥିବା ଅଭିଯୋଗ ହୋଇଛି । ଦୀର୍ଘବର୍ଷ ସମୟ ଧରି ରାଜ୍ୟର ସର୍ବ ପ୍ରଥମ ପୌରାଞ୍ଚଳ ଅଧୀନରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶ୍ୟାମଗୁଡ଼ିଆକୁ ସ୍ଥାନାନ୍ତର କରାଯିବା ଓ ପୁରୁଣା ହସ୍ପିଟାଲକୁ ବନ୍ଦ କରି ଦିଆଯିବା ଘଟଣାରେ ଅସନ୍ତୋଷ ଜାହିର କରିଛନ୍ତି ଲୋକେ । ଏ ନେଇ ସହରବାସୀଙ୍କ ସମେତ ବ୍ୟବସାୟୀ ସମୁଦାୟ ରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଲେଣି । ଗତ ୨୦୧୩ ମସିହାରେ ଇଚ୍ଛାପୁରସ୍ଥିତ ଶ୍ୟାମଗୁଡ଼ିଆଠାରେ କେବଳ ନୂତନ ଭାବେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

ଏହା ବି ପଢନ୍ତୁ- କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ BJD ପ୍ରତିଷ୍ଠା ଦିବସ ପାଳିତ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂତନ ସ୍ଥାନରେ ଖୋଲିବା ନେଇ କୌଣସି ବ୍ୟବସ୍ଥା ହୋଇନଥିବା ବେଳେ ନୂତନ ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ରକୁ ସ୍ବାଗତ କରିଥିଲେ ସହରବାସୀ ଓ ଜିଲ୍ଲାବାସୀ । ତେବେ ସହରର ଜନସଂଖ୍ୟା ୧ ଲକ୍ଷରୁ ଅଧିକ ରହିଥିବା ବେଳେ ଗତ ୯ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୌରାଞ୍ଚଳରୁ ଶ୍ୟାମଗୁଡ଼ିଆକୁ ସ୍ଥାନାନ୍ତର କରି ନେଇ ଜିଲ୍ଲା ପ୍ରଶାସନ ଏହି ସ୍ଥାନଟିରେ କେବଳ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର (ଆଉଟ ଡୋର) ରଖିଥିବା ନେଇ ଅସନ୍ତୋଷ ବଖାଣିଛନ୍ତି ସହର ବାସିନ୍ଦା । ସହରଠାରୁ ନୂତନ ସ୍ଥାନର ଦୂରତା ୫ କିଲୋମିଟରରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ସହରବାସୀଙ୍କ ଚିକିତ୍ସା ପାଇଁ ଚିନ୍ତା ପ୍ରକଟ କରିବା ସହ ଜୀବିକା ବୁଡିଯିବା ଆଶଙ୍କା କରିଛନ୍ତି ବୁଦ୍ଧିଜୀବୀ ।

ଯେଉଁଥିପାଇଁ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ଗଢି ଆସନ୍ତାକାଲି(ମଙ୍ଗଳବାର) ୧୨ ଘଣ୍ଟିଆ ସହର ବନ୍ଦ କରିବେ କମିଟି ସଦସ୍ୟ । କେବଳ ସ୍ଵାସ୍ଥ୍ୟ ସେବା ପାଇଁ ନୁହେଁ, ମେଡିକାଲ ନିକଟରେ ଗଢି ଉଠିଥିବା ଦୋକାନ ବଜାରଗୁଡିକ ମେଡିକାଲ ଉଠିଯିବା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଦଳମତ ନିର୍ବିଶେଷରେ ସମସ୍ତେ ଆନ୍ଦୋଳନରେ ସାମିଲ ହେବେ । ଏ ନେଇ ସୂଚନା ଦେଇଛନ୍ତି ବିଜେଡି ଦଳିତ ନଗର ସଭାପତି ତଥା ପୁରୁଣା ବସଷ୍ଟାଣ୍ଡ ବ୍ୟବସାୟୀ ସଂଘ ସଦସ୍ୟ । ଅନ୍ୟପଟେ ଏହି ମେଡିକାଲ ଉଠିଯିବା ଦ୍ବାରା କୌଣସି ଅସୁବିଧା ହେବ ନାହିଁ ବୋଲି କେନ୍ଦ୍ରାପଡା ବିଧାୟକ କହୁଥିବା ଅଭିଯୋଗ ହୋଇଛି ।

ସମବାୟ ମନ୍ତ୍ରୀ ଅତନୁ କହିଛନ୍ତି ଯେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲ ମାନ୍ୟତା ଦେବା ପାଇଁ ଓ ୨୪ ଘଣ୍ଟିଆ ସ୍ଵାସ୍ଥ୍ୟସେବା ଜାରି ରଖିବା ପାଇଁ ସରକାର ବିଚାର କରୁଛନ୍ତି । ଅପରପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୮୭ ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ଏବେ ମାତ୍ର ୧୭ ଜଣ ଡାକ୍ତରରେ ନୂତନ ମେଡିକାଲ ଚାଲିଥିବା ସୂଚନା ମିଳିଛି । ଆସନ୍ତାକାଲି ପୁରୁଣା ମେଡିକାଲ ଫେରାଇ ଆଣିବା ପାଇଁ ଏକ ବିରାଟ ଜନ ଆନ୍ଦୋଳନ ପୁନରାୟ ପଶ୍ଚିମ ଓଡିଶାର ବରଗଡ଼ ଜିଲ୍ଲା ସ୍ମୃତିକୁ ଉଜ୍ଜୀବିତ କରିବାର ସମ୍ଭାବନା ଥିବା ବେଳେ ଜିଲ୍ଲା ପ୍ରଶାସନ ଏହା ପୂର୍ବରୁ ଆନ୍ଦୋଳନ ପ୍ରଶମିତ କରିବାର ଆବଶ୍ୟକତା ରହିଛି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated :Jan 16, 2023, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.