ଓଡିଶୀ ପ୍ରେମରେ ମୁସଲିମ ଯୁବତୀ, ଦେଶ ବିଦେଶରେ ନୃତ୍ୟାଭିନୟରେ କରୁଛନ୍ତି ମତୁଆଲା

author img

By

Published : Jan 28, 2023, 7:09 AM IST

ଓଡିଶୀ ପ୍ରେମରେ ମୁସଲିମ ଯୁବତୀ

ଓଡିଶୀ ଓ ଜଗନ୍ନାଥ ପ୍ରେମରେ ଅଣହିନ୍ଦୁ ଯୁବତୀ । ଭିନ୍ନ ସମ୍ପ୍ରଦାୟ ଭିନ୍ନ ପରମ୍ପରା ସତ୍ତ୍ବେ ଓଡିଶୀକୁ ଜୀବନର ବ୍ରତ କରି ନୃତ୍ୟାଭିନୟ କରୁଛନ୍ତି ମୁସଲିମ୍ ଝିଅ ସିମ୍ରନ ଜମାଁ । ଦେଶ ବିଦେଶରେ ନିଜର ନିଖୁଣ ନୃତ୍ୟ ପରିବେଷଣ କରି ଓଡିଶାର ନାଁକୁ ବିଶ୍ବ ଦରବାରରେ ପରିଚିତ କରିବାକୁ ଚେଷ୍ଟିତ ଅଛନ୍ତି । ଅଧିକ ପଢନ୍ତୁ

ଓଡିଶୀ ପ୍ରେମରେ ମୁସଲିମ ଯୁବତୀ

କେନ୍ଦ୍ରାପଡା: ଓଡିଶୀ ପ୍ରେମରେ ଅଣହିନ୍ଦୁ ଯୁବତୀ । ଭିନ୍ନ ସମ୍ପ୍ରଦାୟ, ଭିନ୍ନ ପରମ୍ପରା ଓ ଚାଲିଚଳଣି ସତ୍ତ୍ବେ ଓଡ଼ିଆ କଳା, ସଂସ୍କୃତି, କୋଟି ଓଡିଆଙ୍କ ଆରାଧ୍ୟ ଜଗନ୍ନାଥ ଓ ଓଡିଶୀ ମୋହରେ ବାନ୍ଧି ହୋଇଛନ୍ତି । ପାଦରେ ଅଳତା, ପେନ୍ଥି ଘୁଙ୍ଗୁର ଓ ଆଖିରେ ଗାଢ କଜଳ ଟାଣି ମଞ୍ଚରେ ନୃତ୍ୟାଭିନୟ କରୁଛନ୍ତି ମୁସଲିମ ଝିଅ । କେବଳ ନୃତ୍ୟ ନୁହେଁ, ଓଡିଶୀକୁ ଜୀବନର ବ୍ରତ କରି ଦେଶ ବିଦେଶରେ ଏହାର ପ୍ରଚାର ପ୍ରସାର କରୁଛନ୍ତି । ତାଙ୍କର ନିଖୁଣ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରୁଥିବା ବେଳେ ଓଡିଶୀ ପ୍ରତି ତାଙ୍କର ଶ୍ରଦ୍ଧା ଓ ଆଗ୍ରହକୁ ଏବେ ଚାରିଆଡେ ପ୍ରଶଂସା କରାଯାଉଛି । ଏହି ଯୁବତୀ ହେଉଛନ୍ତି ଦିଲ୍ଲୀ ନିବାସୀ ସିମ୍ରନ ଜମାଁ ।

କେନ୍ଦ୍ରାପଡା ସହର ଖଡିଅଙ୍ଗର ମୂଳନିବାସୀ ଅଟନ୍ତି ସିମ୍ରନ । ତାଙ୍କ ବାପାଙ୍କ ନାମ ଏମ.ଏସ ଜମାଁ ଓ ମାଆ ସାହେଦା ତୟେବା । ବାପାଙ୍କ ବ୍ୟବସାୟ ଓ ମାଆଙ୍କର ଓକିଲାତି ପାଇଁ ସିମ୍ରନ କେନ୍ଦ୍ରାପଡା ଛାଡି ରାଜଧାନୀ ନୂଆଦିଲ୍ଲୀରେ ରହୁଛନ୍ତି । ସେ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରୁ ଓକିଲାତି ପାସ୍ କରିଥିବା ବେଳେ ଏବେ ସାମ୍ବାଦିକତାରେ ପିଜି ଛାତ୍ରୀ ଭାବେ ଅଧ୍ୟୟନରତ ଅଛନ୍ତି । ସିମ୍ରନ ମାତ୍ର ୪ ବର୍ଷ ବୟସରେ ଟିଭିରୁ ଦେଖି ନୃତ୍ୟ କରିବା ଆରମ୍ଭ କରିଥିଲେ । ଏହା ଦେଖି ତାଙ୍କର ବାପା ଓ ମାଆ ଝିଅକୁ ପାରମ୍ପରିକ ନୃତ୍ୟ ଶିଖାଇବା ପାଇଁ ମନସ୍ଥ କରିଥିଲେ । ବିଶେଷକରି ଓଡିଶୀ ନୃତ୍ୟ ପ୍ରତି ସିମ୍ରନଙ୍କ ରୁଚି ଥିବାରୁ ପରବର୍ତ୍ତୀ ସମୟରେ ସେ ଗୁରୁ ପିତାମ୍ବର ବିଶ୍ବାଳଙ୍କ ଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ।

ସିମ୍ରନ ଜମାଁ ବିଭିନ୍ନ ରାଜ୍ୟ ସହ ମାଲେସିଆ, କଲମ୍ବିଆ, ଇକ୍ବାଡର ଭଳି ଅନେକ ଦେଶରେ ଓଡିଶୀ ନୃତ୍ୟ ପରିବେଷଣ କରି ପ୍ରଶଂସା ସାଉଁଟିଛନ୍ତି । ଏଥିସହ "ଲାସ୍ୟାୟନ" ନାମକ ନିଜସ୍ବ ଅନୁଷ୍ଠାନ ଖୋଲି ସେଠାରେ ପରବର୍ତ୍ତୀ ପିଢିକୁ ଓଡିଶୀ ଶିଖାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଭାରତ ଓ ଭାରତ ବାହାରେ ଓଡ଼ିଶୀକୁ ପରିଚିତ କରିବା ପାଇଁ ତାଙ୍କର ଏହି ଉଦ୍ୟମ ବୋଲି କହିଛନ୍ତି ସିମ୍ରନ । ନିକଟରେ କଟକରେ ଆୟୋଜିତ ହକି ଉଦଘାଟନୀ ଉତ୍ସବରେ ମଧ୍ୟ ସେ ନୃତ୍ୟ ପରିବେଷଣ କରିଛନ୍ତି । ଝିଅର ଏହି ପ୍ରତିଭା ପାଇଁ ଉଭୟ ବାପାମାଆ ମଧ୍ୟ ଖୁବ୍ ଗର୍ବିତ ଥିବା କହିଛନ୍ତି ।

ନୂଆଦିଲ୍ଲୀର ସାକେତରେ ବ୍ୟବସାୟ କରୁଥିବା ସିମ୍ରନଙ୍କ ବାପା କୁହନ୍ତି, ''ଛୋଟବେଳୁ ଓଡିଶୀ ନୃତ୍ୟ ପାଇଁ ବ୍ୟବହୃତ ପୋଷାକ ଓ ଅଳଙ୍କାର ସିମ୍ରନଙ୍କୁ ଆକୃଷ୍ଟ କରିଥିଲା । ସେଥିପାଇଁ ସେ ଓଡିଶୀ ନୃତ୍ୟ ଶିଖିବାକୁ ମନା ବଳାଇଥିଲେ ।'' ତେବେ ଝିଅ ଜଣେ ପ୍ରଶାସନିକ ଅଧିକାରୀ ହେଉ ବୋଲି ବାପାମାଆ ଆଶା ରଖିଥିବା ବେଳେ ଓଡିଶୀ ପ୍ରତି ସିମ୍ରନଙ୍କ ତ୍ୟାଗ ଓ ଆଗ୍ରହକୁ ଦେଖି ସେମାନେ ନିଜର ନିଷ୍ପତ୍ତି ବଦଳାଇନ୍ତି । ଶିକ୍ଷା ଆରମ୍ଭରୁ ପ୍ରତ୍ୟେକ ଶ୍ରେଣୀରେ ୯୪% ନମ୍ବର ରଖୁଥିବା ସିମ୍ରନଙ୍କ ପାଇଁ ସରକାରୀ ଚାକିରୀ ଓଡିଶୀ ନୃତ୍ୟ ଆଗରେ ତୁଚ୍ଛ ହୋଇଛି । ଜଣେ ଅଣହିନ୍ଦୁ ଯୁବତୀ ହୋଇ ଓଡିଶୀ ପ୍ରତି ତାଙ୍କର ଏହି ତ୍ୟାଗ ଓ ଶ୍ରଦ୍ଧା ପାଇଁ ସେ ବେଶ୍ ପ୍ରଶଂସିତ ହେଉଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.