ସହରରେ ସିଟି ହସ୍ପିଟାଲ ସ୍ଥାପନ ଦାବିରେ କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କ ଧାରଣା

author img

By

Published : Jan 25, 2023, 2:28 PM IST

kriyanusthana committe protest

ଆମ ମେଡ଼ିକାଲ ଆମକୁ ଫେରାଇ ଦିଅ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଲେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ । ଅଧିକ ପଢନ୍ତୁ

ସହରରେ ସିଟି ହସ୍ପିଟାଲ ସ୍ଥାପନ ଦାବି

କେନ୍ଦ୍ରାପଡା: ଆମ ମେଡ଼ିକାଲ ଆମକୁ ଫେରାଇ ଦିଅ ନାରାରେ ପ୍ରକମ୍ପିତ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଯାଇଛି । ତେବେ ଗତ ମଙ୍ଗଳବାର ଦିନ ପୁରୁଣା ମେଡିକାଲ ବା ସିଟି ହସ୍ପିଟାଲ ସହରରେ ସ୍ଥାପନ କରିବା ଦାବିରେ ୨୪ ଘଣ୍ଟିଆ କେନ୍ଦ୍ରାପଡା ସହର ଓ ଏହାର ଆଖପାଖ ଅଞ୍ଚଳରେ ବନ୍ଦ ପାଳନ କରାଯାଇଥିଲା।

ତେବେ ଉକ୍ତଦିନ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲେ ସୁଦ୍ଧା ଏଥିପ୍ରତି ପ୍ରଶାସନ କର୍ଣ୍ଣପାତ କରିନଥିଲା । ମାତ୍ର ଗୋଟିଏ ଦିନ ପରେ ଆନ୍ଦୋଳନରେ ସାମିଲ ହୋଇଥିବା ଔଷଧ ବ୍ୟବସାୟୀ , ପାଥୋଲ୍ୟାବ ଏବଂ ନର୍ସିଂହୋମ ଗୁଡିକ ଉପରେ ଆକ୍ରୋଶ ରଖି ଚଢ଼ାଉ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଅନୁରୋଧ ଓ ଦାବିପତ୍ରକୁ ସପ୍ତାହେ ପୁରିବା ପରେ ପୁଣି ରାଜରାସ୍ତାକୁ ଓହ୍ଲାଇଛି କ୍ରିୟାନୁଷ୍ଠାନ କମିଟି । ଆଜି କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ଶହଶହ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି କହିଛନ୍ତି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ।

ସେହିପରି କେନ୍ଦ୍ରାପଡ଼ା ସହରର ସ୍ୱାର୍ଥ ପାଇଁ ସମସ୍ତେ ଏହି ଆନ୍ଦୋଳନରେ ସାମିଲ ହେଉଥିବା ବେଳେ ସୂଚନାଧିକାର ଆଇନରେ ମିଳିଥିବା ତଥ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସହରର ଦାବିକୁ ପ୍ରଶାସନ ଓ ରାଜ୍ୟ ସରକାର ମାନି ନେଇଛନ୍ତି ସେଯାଏଁ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି ସଦସ୍ୟ ।

ପ୍ରକାଶ ଥାଉକି, କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ପୌରାଞ୍ଚଳରେ କେବଳ ଆଉଟଡୋର ଚିକିତ୍ସା ପାଇଁ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ରଖିବା ବିରୁଦ୍ଧରେ ପ୍ରତିବାଦ କରି ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି କେନ୍ଦ୍ରାପଡ଼ା ବନ୍ଦ ଡାକରା ଦେଇଥିଲା । ସକାଳ ୬ଟାରୁ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ସହରରେ ଦୋକାନ ବଜାର ବନ୍ଦ ଥିବାବେଳେ ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଏଥିରୁ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଆମ୍ବୁଲାନ୍ସ ସେବା ଇତ୍ୟାଦିକୁ ବାଦ୍ ଦିଆଯାଇଥିଲା ।

ହେଲେ ଏହି ବନ୍ଦ ଡାକରା ପରେ ପୁରୁଣା ମେଡିକାଲ ନିକଟରେ ଥିବା ବିଭିନ୍ନ ମେଡିସିନ ଦୋକାନ, ପାଥୋଲାବ ଓ ନର୍ସିଂହୋମ ଉପରେ ଚଢାଉ ହୋଇଥିଲା । ଚଢାଉ ସମୟରେ ମେଡିସିନର ବୈଧତା, କାଗଜପତ୍ର ଓ କର୍ମଚାରୀଙ୍କ ଯୋଗ୍ୟତା, ଚିକିତ୍ସା ଉପକରଣ ଓ ରୋଗୀସେବାର ମାନ ଯାଞ୍ଚ କରାଯାଇଥିଲା । ପାଥୋଲାବର ଆବଶ୍ୟକୀୟ କାଗଜପତ୍ର ଓ ଲାଇସେନ୍ସ ନଥିବା ଯୋଗୁଁ ଏହାକୁ ସିଲ୍ କରାଯାଇଥିବା ସୂଚନା ଦିଆଯାଇଥିଲା । ସେହିପରି ଏକ୍ସପାରି ଡେଟ୍ ସରିଯାଇଥିବା ମେଡ଼ିସିନ୍ ପାଇବାରୁ ଔଷଧ ଦୋକାନକୁ ସିଲ କରାଯାଇଥିବା କୁହାଯାଇଛି ।

ଅନ୍ୟପଟେ ଏହି ଆନ୍ଦୋଳନ ପାଇଁ ଆକ୍ରୋଶମୂଳକ ଭାବେ ଏପରି ଅତର୍କିତ ଚଢାଉ କରାଯାଇଥିବା ନେଇ ପାଥୋଲାବ ମାଲିକ ସାଂଘାତିକ ଅଭିଯୋଗ କରିଥିଲେ । ସେପଟେ ଆବଶ୍ୟକୀୟ କାଗଜପତ୍ର ଥାଇ ସୁଦ୍ଧା ଏହି ରେଡ୍ କରାଯାଇଥିବା ଔଷଧ ବ୍ୟବସାୟୀମାନେ ଅଭିଯୋଗ କରିଥିଲେ ।


ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.