ଚତୁର୍ଥ ଦିନରେ କେନ୍ଦ୍ରାପଡ଼ା ସୋସାଇଟି କର୍ମଚାରୀଙ୍କ ଧାରଣା, ଏଯାଏଁ ପହଞ୍ଚିଲା ନାହିଁ ପ୍ରଶାସନ

author img

By

Published : Jan 28, 2023, 11:59 AM IST

co operative society employee protest

କ୍ରେଡିଟ କୋ ଅପରେଟିଭ ସୋସାଇଟିରେ କର୍ମଚାରୀଙ୍କ ଧାରଣା । ଆସିଲାନି ପ୍ରଶାସନ । ଅଧିକ ପଢ଼ନ୍ତୁ

ସୋସାଇଟି କର୍ମଚାରୀଙ୍କ ଧାରଣା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟିରେ କର୍ମଚାରୀ ଅସନ୍ତୋଷ । ଗଣଧାରଣାକୁ ପୁରିଲା ୪ଦିନ । ତଥାପି ଏଯାଏଁ ଆସିଲାନି ପ୍ରଶାସନ । ନୂଆ ବସ୍‌ଷ୍ଟାଣ୍ଡସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେଇଛନ୍ତି ସୋସାଇଟିର କର୍ମଚାରୀ । ସଂଘର ସଦସ୍ୟମାନଙ୍କ ଅଭିଯୋଗ ଅନୁଯାୟୀ, ସୋସାଇଟିର ପରିଚାଳନା କର୍ତ୍ତୃପକ୍ଷ କର୍ମଚାରୀଙ୍କ ପ୍ରତି ଆକ୍ରୋଶ ମନୋଭାବ ପୋଷଣ କରି ବାରମ୍ବାର ମନମୁଖୀ ବଦଳି, ନିଲମ୍ବନ ଓ ବରଖାସ୍ତ କରିବା ସହ ଦରମା ବୃଦ୍ଧିରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି ।

ଖାଲି ସେତିକି ନୁହେଁ ସୋସାଇଟି କର୍ତ୍ତୃପକ୍ଷ ମହିଳା କର୍ମଚାରୀଙ୍କ ପ୍ରତି ଅସାଦଚରଣ ମନୋଭାବ ପ୍ରଦର୍ଶନ କରିବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ଏନେଇ ଅଭିଯୋଗ କରାଯାଉଥିଲେ ମଧ୍ୟ ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ପଦୋନ୍ନତିରେ ନିର୍ଦ୍ଦିଷ୍ଟ ନିୟମ ନଥିବା ବେଳେ ଏହାକୁ ଆଳ କରି କର୍ମଚାରୀ ସଂଘ ସହ ସମ୍ପୃକ୍ତ ସୋସାଇଟି ଅଧୀନ ବିଭିନ୍ନ ଶାଖାରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତି କ୍ରୁର ମନୋଭାବ ରଖି କର୍ତ୍ତୃପକ୍ଷ ଦାଉ ସାଧୁଥିବା ଅଭିଯୋଗ ହୋଇଛି ।

ଏହି ବେଆଇନ କାର୍ଯ୍ୟକୁ ବିରୋଧ କରି ସଂଘ ପକ୍ଷରୁ ଗତବର୍ଷ ଡିସେମ୍ବର ୨୦ ତାରିଖ, ଚଳିତବର୍ଷ ଜାନୁଆରୀ ୬ ଓ ୧୬ ତାରିଖରେ ସଂଘ ପକ୍ଷରୁ ଦାବିପତ୍ର ଦିଆ ଯାଇଥିଲା । ତଥାପି ଏହାକୁ କର୍ଣ୍ଣପାତ ନକରି ଗଣଧାରଣାକୁ ଭଣ୍ଡୁର କରିବା ପାଇଁ ସୋସାଇଟିର ଉଚ୍ଚ କର୍ତ୍ତୃପକ୍ଷ ଯୋଜନା କରିଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ସୂଚନାନୁଯାୟୀ, ଗତ ୨୦୧୯ ମସିହାରେ ଏହି ସୋସାଇଟିର ତତ୍କାଳୀନ ସଭାପତି ଜନୈକା ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି ଜେଲ୍‌ ଯାଇଥିଲେ । ତେବେ ଏହି ଗଣଧାରଣାକୁ ୪ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପାରିନାହାଁନ୍ତି ।

ଏ ସମ୍ପର୍କରେ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ରାଜଦୀପ ପଢ଼ିଆରୀ କହିଛନ୍ତି ''ଆମର ୫ ଦଫା ଦାବି ରହିଛି । ୫ ଦଫା ଦାବି ପୂରଣ ନ ହେବାଯାଏଁ ଆମେ ଏହି ଆନ୍ଦୋଳନରୁ ଉଠିବୁନି । ଗତ ୨୦୨୨ ଅଗଷ୍ଟରୁ ଆମେ ଆମ ସଭାପତି ପ୍ରମୋଦ କୁମାର ସାହୁଙ୍କୁ ବିଭିନ୍ନ ପ୍ରକାରର ଦାବି ଜଣାଇ ଆସୁଛୁ । ହେଲେ ସେ କୌଣସି ପ୍ରକାରର ସମାଧାନ କରୁ ନାହାଁନ୍ତି । ବିଶେଷ କରି ମହିଳାମାନଙ୍କ ସୁରକ୍ଷା ରହିଛି । ତେଣୁ ଆମ ସହିତ ଆଲୋଚନା କରିବା ପାଇଁ ଆମେ ବାରମ୍ବାର ଦାବି କରୁଛୁ ।''

ସୂଚନାନୁସାରେ ରାଜ୍ୟ କୋ-ଅପରେଟିଭ ସୋସାଇଟିର ରେଜିଷ୍ଟ୍ରାର୍ ବିଭୁତି ଭୂଷଣ ପଟ୍ଟନାୟକ ୨୦୧୯ରେ କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ବହିଷ୍କାର କରିଥିଲେ । ତାଙ୍କ ସ୍ଥାନରେ ସୋସାଇଟିର ଉପ-ସଭାପତିଙ୍କୁ ସଭାପତି ପଦରେ ନିଯୁକ୍ତ କରିଥିଲେ । କୋ ଅପରେଟିଭ ସୋସାଇଟି ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ଭାଜନ ହେବା ସହିତ ତାଙ୍କ ପଦବୀର ସମ୍ମାନ ବଜାୟ ରଖିବା ଲାଗି ସଭାପତି ପ୍ରମୋଦ ସାହୁଙ୍କୁ ବହିଷ୍କୃତ କରାଗଲା ବୋଲି ରେଜିଷ୍ଟ୍ରାର୍ ଉଲ୍ଲେଖ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.