ବିରୂପା ନଦୀବନ୍ଧରେ ୨ଟି ସ୍ଥାନରେ ଘଳିଆ, ବନ୍ୟା ଭୟରେ ଘର ଛାଡିଲେ ଅଞ୍ଚଳବାସୀ

author img

By

Published : Sep 15, 2021, 10:33 PM IST

ବିରୂପା ନଦୀବନ୍ଧରେ ଦୁଇଟି ସ୍ଥାନରେ ଘଲିଆ, ବନ୍ୟା ଭୟରେ ଆଶଙ୍କିତ ଅଞ୍ଚଳବାସୀ

ଲଘୁଚାପଜନିତ ଲଗାଣ ବର୍ଷା ଓ ପରେ ବନ୍ୟା ଆଶଙ୍କା। ବିରୂପା ନଦୀବନ୍ଧରେ ଦୁଇଟି ସ୍ଥାନରେ ଘଳିଆ ସଷ୍ଟି ହେବା କାରଣରୁ କେନ୍ଦ୍ରାପଡା ଡେରାବିଶ୍ ବ୍ଲକ ବାସିନ୍ଦା ଏବେ ଭୟରେ । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ା: ଲଗାଣ ବର୍ଷା ପରେ ଏବେ ବନ୍ୟା ଆଶଙ୍କା । ବୋଝ ଉପରେ ନଳିତା ବିଡା ସଦୃଶ ଦୁର୍ଦ୍ଦଶାକୁ ଦୁଇଗୁଣ କରିବାରେ ଲାଗିଛି । ଗତବର୍ଷର ବନ୍ୟାଜନିତ କ୍ଷୟକ୍ଷତି ଏପର୍ଯ୍ୟନ୍ତ ମନରୁ ଲିଭି ନ ଥିବାବେଳେ ଏବେ ଆଉ ଏକ ବନ୍ୟା ଆଶଙ୍କାରେ ଆତଙ୍କିତ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ବେଣୀପୁର ବାସିନ୍ଦା । ଡେରାବିଶ୍ ବ୍ଲକ ବେଣୀପୁରର ୫ଟି ୱାର୍ଡ ଓ ଯାଜପୁର ବଡଚଣା ବ୍ଲକ ଦେକୁରୀର ୪ଟି ୱାର୍ଡର ମୋଟ ୬ ହଜାରରୁ ଊର୍ଦ୍ଧ୍ବ ବାସିନ୍ଦା ବିରୂପା ନଦୀରେ ବନ୍ୟା ଆଶଙ୍କାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି । ନଦୀବନ୍ଧର ଦୁଇଟି ସ୍ଥାନରେ ଘଳିଆ ସୃଷ୍ଟି ହେବା କାରଣରୁ ଘାଇ ଭାଙ୍ଗିବା ବିପଦ ମଧ୍ୟ ବଢିବାରେ ଲାଗିଛି । ଫଳରେ ନଦୀକୂଳିଆ ଲୋକେ ନିଜର ଆସବାବପତ୍ର ଧରି ସୁରକ୍ଷିତ ସ୍ଥାନ ଅଭିମୁଖେ ବାହାରିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

ବିରୂପା ନଦୀବନ୍ଧରେ ଦୁଇଟି ସ୍ଥାନରେ ଘଲିଆ, ବନ୍ୟା ଭୟରେ ଆଶଙ୍କିତ ଅଞ୍ଚଳବାସୀ

ସୂଚନାନୁଯାୟୀ, ଗତବର୍ଷ ଅଗଷ୍ଟ ୨୮ ତାରିଖରେ ନୂତନ ଭାବେ ନିର୍ମିତ ଘେରିବନ୍ଧ ଭାଙ୍ଗି ଏହି ୯ଟି ୱାର୍ଡକୁ ଜଳବନ୍ଦୀ କରିଥିବାବେଳେ ଏହାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ। ମାତ୍ର କେବଳ ଭାଙ୍ଗିଥିବା ଘେରିବନ୍ଧର ମରାମତି କରି କାମ ଶେଷ କରିଦେଇଥିଲା ଜଳ ସେଚନ ବିଭାଗ । ଆଜି ମରାମତି କରାଯାଇଥିବା ସ୍ଥାନଟିରେ ପୁନଶ୍ଚ ଘଳିଆ ସୃଷ୍ଟିହେବା ସାଧାରଣ ଲୋକଙ୍କୁ ଆତଙ୍କିତ କରିଛି । ଲୋକମାନେ ଆତଙ୍କିତ ଅବସ୍ଥାରେ ନିଜନିଜର ଆସବାବପତ୍ର ନିଜ ନିଜର ଛାତ ଉପରକୁ ଉଠାଉଥିବା ବେଳେ କଚାଘରେ ବାସ କରୁଥିବା ଲୋକେ ପ୍ରମାଦ ଗଣିବା ଆରମ୍ଭ କଲେଣି।

ଗତବର୍ଷ ବନ୍ୟାରେ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରଶାସନିକ ଆକଳନରୁ ଜଣା ପଡିଥିବାବେଳେ ଚଳିତବର୍ଷ ବନ୍ୟା ହେଲେ କ୍ଷୟକ୍ଷତିର ଆକଳନ କରିବା ପ୍ରଶାସନ ପାଇଁ କାଠିକର ପାଠ ହୋଇପାରେ। ତେବେ ବର୍ତ୍ତମାନ ନଦୀଜଳ ସ୍ତର ସ୍ଥିର ରହିଛି ଏବଂ ଦୁଇଟି ସ୍ଥାନରେ ହୋଇଥିବା ଘଳିଆ ମଧ୍ୟ ମରାମତି ସରିଛି। ରାତିସାରା ପାଟ୍ରୋଲିଂ କରାଯିବା ବ୍ୟବସ୍ଥା ସହ ବାଲିଅଖା ପ୍ରସ୍ତୁତ ରହିଛି । ଭୟର କାରଣ ନାହିଁ ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି ।

ପ୍ରତିବର୍ଷ ଏପରି ଦୁର୍ଦ୍ଦଶା ପରେ ଏକ ଦୂରଦର୍ଶୀ ଯୋଜନା କାର୍ଯ୍ୟକାରୀ ପରିବର୍ତ୍ତେ "ତିନ୍ତିଲେ ଘର ଛପର" କରାଯିବା ନ୍ୟାୟରେ ବନ୍ୟାବେଳେ ପ୍ରଶାସନର ମରାମତି କାର୍ଯ୍ୟକୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.