ସ୍କୁଲ ମିଶ୍ରଣକୁ ନେଇ ବିବାଦ: ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ସୁନେଲୀ ଭବିଷ୍ୟତ

author img

By

Published : Sep 23, 2021, 3:55 PM IST

ସ୍କୁଲ ମିଶ୍ରଣକୁ ନେଇ ବିବାଦ;ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ସୁନେଲୀ ଭବିଷ୍ୟତ

ସ୍ଥାଣୁ ପାଲଟିଛି ଶିକ୍ଷା ବିଭାଗ । କେନ୍ଦ୍ରାପଡ଼ା ଉଚ୍ଛରପଡା ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ନେଇ ଦେଖାଦେଇଛି ବିବାଦ । ଅନ୍ଧାରରେ ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସୁନେଲୀ ଭବିଷ୍ୟତ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା : ସ୍କଲ ମିଶ୍ରଣରୁ ଉପୁଜିଛି ବିବାଦ । କେନ୍ଦ୍ରାପଡ଼ା ମଣ୍ଡଳ ଶିକ୍ଷା ବିଭାଗ ଅଧିନ ଉଚ୍ଛରପଡା ପ୍ରାଥମିକ ବିଦ୍ୟାଳୟଟି ଗତବର୍ଷ ନଭେମ୍ବର ୯ରେ ମିର୍ଜାପୁର ବିଦ୍ୟାଳୟ ସହ ମିଶ୍ରଣ ହୋଇଥିଲା । ପରେ ସେହିଦିନ ଠାରୁ ମିର୍ଜାପୁର ସ୍କୁଲରୁ ମଧ୍ୟାହ୍ନ ଭୋଜନ ଚାଉଳ ନା କୌଣସି ସରକାରୀ ସହାୟତା ଛାତ୍ରଛାତ୍ରୀ ନେଉ ନାହାଁନ୍ତି । କୋଭିଡ ମହାମାରୀ ଯୋଗୁଁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବାରୁ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ଘରେ ମଧ୍ୟାହ୍ନ ଭୋଜନ ଚାଉଳ ପହଞ୍ଚାଇବା ସହ କୁକିଙ୍ଗ କଷ୍ଟ ବାବଦୀୟ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ପ୍ରଦାନ କରୁଛନ୍ତି । ଏପରିକି ପୋଷାକ, ଶିକ୍ଷାବର୍ଷରେ ବହିପତ୍ର ଯୋଗାଉଛନ୍ତି । କିନ୍ତୁ ସେ ଗୁଡିକୁ ନେଇ ନାହାଁନ୍ତି ଛାତ୍ରଛାତ୍ରୀ । ଏପରିକି ଅନଲାଇନ କ୍ଲାସରେ ବି ଉପସ୍ଥିତ ରହୁନାହାଁନ୍ତି ଉଚ୍ଛରପଡା ପ୍ରାଥମିକ ବିଦ୍ୟାଳୟରେ ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ।

ସ୍କୁଲ ମିଶ୍ରଣକୁ ନେଇ ବିବାଦ;ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ସୁନେଲୀ ଭବିଷ୍ୟତ

ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ଏହି ବିଦ୍ୟାଳୟଟି ବହୁ ପୁରୁଣା । ଗାଁ ଭିତରେ ହୋଇଥିବାରୁ ପିଲାମାନଙ୍କ ପାଠପଢା ପାଇଁ ସୁବିଧା ହେଉଥିଲା । କିନ୍ତୁ ମିର୍ଜାପୁର ବିଦ୍ୟାଳୟ ଗାଁ ଠାରୁ ବହୁ ଦୂରରେ ରହିଛି । ଏପରିକି ଗମନାଗମନ ସମସ୍ୟା ରହିଛି । ଏଥିପାଇଁ ନିଜ ପିଲାଙ୍କୁ ସେହି ସ୍କୁଲକୁ ଛାଡୁ ନାହାଁନ୍ତି ଅଭିଭାବକ । ୨୦୧୯-୨୦ ଶିକ୍ଷାବର୍ଷରେ ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ରହିଥିବାବେଳେ କେଉଁ ଆଧାରରେ ଏହି ସ୍କୁଲକୁ ମିର୍ଜାପୁର ସହ ମିଶ୍ରଣ କରାଗଲା ।

ମିଶ୍ରଣ ପୂର୍ବରୁ କାହିଁକି କୌଣସି ଆଲୋଚନା ବିଦ୍ୟାଳୟ କମିଟି ସହ କରାଗଲା ନାହିଁ ସେନେଇ ଦ୍ଵନ୍ଦ ଉପୁଜିଛି । ସରକାରୀ ଗାଇଡ଼ଲାଇନ ଅନୁଯାୟୀ,ମିଶ୍ରଣ ହେବା ପୂର୍ବରୁ ଶିକ୍ଷା କମିଟି ସହ ବୈଠକ କରାଯିବା କଥା । ହେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, କି ବ୍ଲକ ଶିକ୍ଷାଧିକାରୀ ଏନେଇ ଥରୁଟିଏ ମଧ୍ୟ ବୈଠକ କରିନାହାନ୍ତି ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ମିର୍ଜାପୁର ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା ଉଚ୍ଛରପଡା ବିଦ୍ୟାଳୟ ଠାରୁ କମ ରହିଥିବା ବେଳେ ସେଠାରେ କିପରି ଏହି ବିଦ୍ୟାଳୟ ମିଶ୍ରଣ ହେଲା । ଯାହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ । ଉଚ୍ଛରପଡାକୁ ସ୍କୁଲ ନଫେରିବା ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ମିର୍ଜାପୁର ଯିବେ ନାହିଁ ବୋଲି ଅଭିଭାବକ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.