କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ BJD ପ୍ରତିଷ୍ଠା ଦିବସ ପାଳିତ

author img

By

Published : Jan 15, 2023, 9:44 PM IST

bjd celebrate fondation day

ଆଜି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମୁଖ୍ୟ ଅତିଥି କରି ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ଶଶୀଭୂଷଣ ବେହେରା। ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ BJD ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡା: ଅଣ୍ଡାମାଡ଼ ଭୟରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେଲା ବିଜେଡି ପ୍ରତିଷ୍ଠା ଦିବସ । ଗତମାସରେ କେନ୍ଦ୍ରାପଡ଼ା ବିଧାୟକ ତଥା ବିଜେଡି ନେତା ଶଶୀଭୂଷଣ ବେହେରାଙ୍କୁ ଗୋଟିଏ ଦିନରେ ଲଗାତାର ତିନୋଟି ସ୍ଥାନରେ ଅଣ୍ଡାମାଡ଼ ଘଟଣାରେ ଜିଲ୍ଲା ରାଜନୀତି ସରଗରମ ହୋଇଥିଲା । ଏପରିକି ଅଣ୍ଡାମାଡ଼ କରିଥିବା ଯୁବକ ଜଣଙ୍କ ଥାନାରେ ନେତାଙ୍କ ସମ୍ପର୍କରେ ନିଜ ଆକ୍ରୋଶ ଜାହିର କରିଥିଲେ।

ତେବେ ଡିସେମ୍ବର ୨୬ ତାରିଖରେ ବିଜେଡି ଦଳ ପୁରୀରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରିଥିଲା । ଏନେଇ ଉକ୍ତ ଦିନଠାରୁ ୧୫ ଦିନ ମଧ୍ୟରେ ନିର୍ବାଚନ ମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ରହିଥିଲା । କିନ୍ତୁ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପରିସ୍ଥିତି ଅନୁକୂଳ ନଥିବା କାରଣରୁ ପ୍ରତିଷ୍ଠା ଦିବସକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଆଜି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମୁଖ୍ୟ ଅତିଥି କରି ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ଶଶୀଭୂଷଣ ବେହେରା ।

ଆଜି ପ୍ରତିଷ୍ଠା ଦିବସ ପାଳନ ହୋଇଥିବା ବେଳେ ଦଳୀୟ ଫାଟ କିନ୍ତୁ ଜଳଜଳ ହୋଇ ବାହାରକୁ ଦିଶିଛି । ପ୍ରତିଷ୍ଠା ଦିବସ ପାଳନ ସମୟରେ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ହେଲେ ମହିଳା ସଶକ୍ତିକରଣ କଥା କହୁଥିବା ବିଜେଡି ଦଳର ନା କେନ୍ଦ୍ରାପଡା ମ୍ୟୁନିସିପାଲିଟି ଅଧ୍ୟକ୍ଷା ନା ବ୍ଲକ ଅଧ୍ୟକ୍ଷା ନା ଜିଲ୍ଲା ପରିଷଦ ଅଧ୍ୟକ୍ଷା କେହି ସାମିଲ ହୋଇନଥିଲେ। ଏମିତିକି ବିଧାୟକଙ୍କ ବକ୍ତବ୍ୟ ସମୟରେ ସମାବେଶ ଭାଙ୍ଗିବାକୁ ଲାଗିଥିଲା । ଯାହାକି କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ଭିତରେ ବିଦ୍ରୋହର ବହ୍ନିକୁ ସୂଚାଉଛି ।

ଅନ୍ୟପଟେ ଆଜି କେନ୍ଦ୍ରାପଡା ଇଚ୍ଛାପୁର ମାଉସୀ ମାଆ ମନ୍ଦିର ପରିସରରେ ହୋଇଥିବା ଏହି ପ୍ରତିଷ୍ଠା ଦିବସରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଥିବା ବେଳେ ଯୋଜନାର ନାଁ ବଦଳାଇ ଦେଲେ ଗରିବ ଲୋକର ମୁହଁରେ ହସ ଫୁଟେ ନାହିଁ ବୋଲି କହିଥିଲେ । ରାଜ୍ୟବାସୀ ଶତାବ୍ଦୀର ଏକ ଚତୁର୍ଥାଂଶ ସମୟ ବିଜେଡିକୁ ଭରଷା କରିଛନ୍ତି ତେଣୁ ସେମାନଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.