୧୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲା ABVP

author img

By

Published : Jan 22, 2023, 10:09 AM IST

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ABVP ଆନ୍ଦୋଳନ

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କଲେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଶହ ଶହ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଶିକ୍ଷା, ସୁରକ୍ଷା ଓ ରୋଜଗାର ଦାବିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କଲେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଶହ ଶହ ଛାତ୍ରଛାତ୍ରୀ । କେନ୍ଦ୍ରାପଡ଼ା ତିନିମୁହାଣୀ ରାମ ମନ୍ଦିରରୁ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରା ବାହାରି ସହର ଅତିକ୍ରମ କରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଏକ ବିରାଟ ଛାତ୍ରଛାତ୍ରୀ ସମାବେଶ ପୂର୍ବକ ସଭାର ଆୟୋଜନ କରାଯାଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଅଗ୍ରଣୀ ଜିଲ୍ଲାର ପରିଚୟ ଦେଇଥିବା ବେଳେ ବାସ୍ତବିକ ଏଠାକାର ଶିକ୍ଷା ବ୍ୟବସ୍ଥା ଚିନ୍ତାଜନକ । ଡିଜିଟାଲ ଦୁନିଆରେ ମହାବିଦ୍ୟାଳୟ ଗୁଡିକର ଡିଜିଟାଲୀକରଣ ହୋଇ ପାରୁନଥିବା ବେଳେ ପ୍ରତିବର୍ଷ ଆଡ଼ମିଶନ ଏବଂ ରି-ଆଡ଼ମିଶନ ଫି ବଢ଼ାଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରୁ ବଞ୍ଚିତ କରାଉଛନ୍ତି ବୋଲି ଅଭିଯୋଗ ହୋଇଛି ।

ସେହିପରି ସ୍ପୋର୍ଟସ କମ୍ପ୍ଲେକ୍ସ ନଥିବା ଏବଂ କ୍ରୀଡ଼ା ଉପକରଣ ନଥିବା କାରଣରୁ ଜିଲ୍ଲାର ଯୁବବର୍ଗଙ୍କ ମଧ୍ୟରେ ଜଣେ ଜାତୀୟ କିମ୍ବା ଅନ୍ତର୍ଜାତୀୟ ଖେଳାଳି ପ୍ରସ୍ତୁତ କରିବାରେ ବିଫଳ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ସୁରକ୍ଷା ଦୃଷ୍ଟିକୋଣରୁ ଜିଲ୍ଲାର ସମୁଦ୍ର ଉପକୂଳ ଖୋଲାମେଲା ହୋଇ ପଡ଼ିଥିବା କାରଣରୁ ବାଂଲା ଅନୁପ୍ରବେଶକାରୀ ସେମାନଙ୍କ ଅପରାଧିକ ଚରାଭୁଇଁ ଭାବେ କେନ୍ଦ୍ରାପଡ଼ାରେ ଆଡ୍ଡା ଜମାଇଛନ୍ତି । ସେହିପରି ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ପଶୁପକ୍ଷୀଙ୍କୁ ସୁରକ୍ଷା ଦେବାରେ ଜିଲ୍ଲା ପ୍ରଶାସନ ଅସମର୍ଥ ହୋଇଥିବା କାରଣରୁ ଏହି ଆନ୍ଦୋଳନ ଏକମାତ୍ର ବିକଳ୍ପ ଥିଲା ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଏହି ୧୪ ଗୋଟି ଦାବିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ଏବିଭିପିର ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ସହ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.