୧୩ ବର୍ଷର ପୁଅ କାନ୍ଧରେ ପରିବାର ବୋଝ: ବାପା ଦିବ୍ୟାଙ୍ଗ, ମାଆ ଦୃଷ୍ଟି ବାଧିତ

author img

By

Published : Jan 19, 2023, 10:17 PM IST

minor boy seeks Government help

ଖେଳକୁଦ ବୟସରେ ମୁଣ୍ଡ ଉପରେ ପରିବାରର ବୋଝ । ବାପା ଭିନ୍ନକ୍ଷମକୁ ମାଆ ଦୃଷ୍ଟିବାଧିତ । ମାଆର ଦୃଷ୍ଟିଶକ୍ତି ଚାଲିଯାଉଥିବା ବେଳେ ଚିକିତ୍ସା ପାଇଁ ଅଧିକ ଅର୍ଥ ଆଶାରେ ବାପା ଯାଇଥିଲେ ଦାଦନ ଖଟି । ହେଲେ ସେଠାରୁ ଭିନ୍ନକ୍ଷମ ହୋଇ ଫେରିଲେ । ପରେ ପରିବାରର ଦୁଃଖ ବଢିଯାଇଥିବା ବେଳେ ଏବେ ସବୁ ଦାୟିତ୍ବ ୧୩ ବର୍ଷର ପୁଅ ଉପରେ । କେନ୍ଦ୍ରାପଡ଼ା ରାଜକନିକା ବ୍ଲକରେ ଏପରି ଦୁଃଖଭରା ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

୧୩ ବର୍ଷର ପୁଅ କାନ୍ଧରେ ପିତାମାତାଙ୍କ ବୋଝ

କେନ୍ଦ୍ରାପଡ଼ା: ୧୩ ବର୍ଷର ନାବାଳକ ଉପରେ ବାପାମାଆଙ୍କ ବୋଝ । ଖେଳକୁଦ ବୟସରେ ମୁଣ୍ଡରେ ଲଦି ହୋଇଛି ଅନେକ ଚିନ୍ତା । ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବାପା ଦୁର୍ଘଟଣାର ଶିକାର ହୋଇ ଭିନ୍ନକ୍ଷମ ହୋଇଯାଇଥିବା ବେଳେ ମାଆର ମଧ୍ୟ ଦୃଷ୍ଟି ପଳାଇଛି । ଏଭଳି ସ୍ଥିତିରେ ୧୩ ବର୍ଷର ବଡ଼ ପୁଅ ଉପରେ ପଡ଼ିଛି ପରିବାରର ବୋଝ । ଏକାବେଳେ ପରିବାର ଉପରେ ଦୁଃଖ ଲଦି ହୋଇପଡ଼ିଥିବା ବେଳେ ବହୁ କଷ୍ଟରେ ଘରର ସମସ୍ତ ଦାୟିତ୍ବ ତୁଲାଉଛନ୍ତି ଜିଲ୍ଲାର ରାଜନଗର ବ୍ଲକ ଶିଳାପୋଖୀର ଗ୍ରାମର ଗିରେନ ବୈଦଙ୍କ ପୁଅ ରାକେଶ ବୈଦ । ଗିରେନ ବହୁ କଷ୍ଟରେ ଦୁଇ ପଇସା ରୋଜଗାର କରି ଘର ଚଳାଉଛନ୍ତି । ତାଙ୍କ ନିକଟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ପହଞ୍ଚିପାରିନାହିଁ ।

ରାଜନଗର ବ୍ଲକ ଭିତରଗଡ଼ ପଞ୍ଚାୟତ ଶିଳାପୋଖରୀ ଗ୍ରାମର ଗିରେନ ବୈଦ ଓ ତାଙ୍କ ସ୍ତ୍ରୀ ରୀନା ବୈଦଙ୍କ ଯନ୍ତ୍ରଣା ଏବେ ଅସହ୍ୟ ହୋଇପଡ଼ିଛି । ବାପାମାଆ ମଧ୍ୟ ଏଠାରେ ଖରାପ ସମୟର ଦାସ ପାଲଟିଛନ୍ତି । ଅସହାୟ ହୋଇ ପଡ଼ି ଏବେ ପୁଅ ଉପରେ ଆଶ୍ରା ପାଲଟିଛନ୍ତି । ଗିରେନଙ୍କ ପରିବାର କହିଲେ ଦୁଇ ପୁଅ ଓ ସ୍ତ୍ରୀ ରୀନା । ଗିରେନ ଜଣେ ଦିନ ମଜୁରିଆ ଭାବେ ଅନ୍ୟ ରାଜ୍ୟରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ଉପରେ ନିର୍ଭର କରନ୍ତି ତିନି ପ୍ରାଣୀ କୁଟୁମ୍ବ । ତାଙ୍କ ସ୍ତ୍ରୀ ରୀନାଙ୍କର ଦୃଷ୍ଟି ଶକ୍ତି ଯେତେବେଳେ କମିବାରେ ଲାଗିଲା ତାଙ୍କୁ ଭଲ କରିବା ପାଇଁ ସେ ଡାକ୍ତର ଦେଖାଇଥିଲେ।

ଏହା ବି ପଢନ୍ତୁ- କେନ୍ଦ୍ରାପଡାରେ ଓଲଟିଲା ବସ୍, ୧୫ ଶ୍ରମିକ ଆହତ

ଆଖି ଭଲ କରିବା ପାଇଁ ଅଧିକ ଅର୍ଥ ଆବଶ୍ୟକ ବୋଲି ଡାକ୍ତର କହିବା ପରେ ସ୍ତ୍ରୀଙ୍କୁ ଘରେ ଛାଡି ରୋଜଗାର ପାଇଁ ବାହାର ରାଜ୍ୟକୁ ଚାଲିଗଲେ ଗିରେନ। ହେଲେ ଏ ସମୟରେ ଦଇବ ତାଙ୍କ ଉପରେ ଦାଉ ସାଧିଲା । ରଡ୍‌ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ୬ ତାଲା କୋଠାରୁ ତଳକୁ ଖସି ପଡିଲେ ଗିରେନ । ଏହି ଦୁର୍ଘଟଣା ପରେ ସେ ଚାଲିବାକୁ ଅକ୍ଷମ ହୋଇପଡ଼ିବା ପରେ ଘରକୁ ଫେରିଲେ। ଘରକୁ ଫେରିବା ବେଳକୁ ତାଙ୍କ ସ୍ତ୍ରୀ ରୀନାଙ୍କ ଦୃଷ୍ଟିଶକ୍ତି ପଳାଇଥିଲା । ପରିବାର ଦୁର୍ଦ୍ଦଶା ଢେର ବଢିଗଲା । ଘରେ ଦୃଷ୍ଟିବାଧିତ ମାଆ ଆଉ ଭିନ୍ନକ୍ଷମ ପାଲଟି ଯାଇଥିବା ବାପାଙ୍କର ଦାୟିତ୍ବ ନେଇଛି ତାଙ୍କର ୧୩ ବର୍ଷର ବଡ ପୁଅ ରାକେଶ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଏହି ଅସହାୟ ପରିବାର ପାଇଁ ଅପହଞ୍ଚ ହୋଇଯାଇଛି । ଜୀବନ ଯନ୍ତ୍ରଣାରେ ଆଉଟପାଉଟ ହେଉଥିବା ଏହି ଦୁଃଖି ଅଭାବୀ ପରିବାରକୁ ସରକାରୀ ବାବୁ ଓ ଲୋକ ପ୍ରତିନିଧି ସାହାଯ୍ୟର ହାତ ବଢାଇବା ତ ଦୂର କଥା ଆହା ପଦେ କହିବାକୁ ମଧ୍ୟ ଯାଇ ନଥିବା ଅଭିଯୋଗ ଆଣିଛନ୍ତି ଗିରେନଙ୍କ ପରିବାର। ପରିବାରର ଦୁଇଜଣ ଭିନ୍ନକ୍ଷମ ହୋଇଥିଲେ ବି ଏପର୍ଯ୍ୟନ୍ତ ଭିନ୍ନକ୍ଷମ ଭତ୍ତା ମିଳିନଥିବା କୁହନ୍ତି ରୀନା । ସରକାର ଗରିବମାନଙ୍କ ପାଇଁ ପୁଳାପୁଳା ଯୋଜନା ପ୍ରଣୟନ ହୋଇଥିବା ବେଳେ ଏହି ପରିବାର ନିକଟରେ ସରକାରୀ ସୁବିଧା କାହିଁକି ଅପହଞ୍ଚ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଯଦି ଏହି ପରିବାରକୁ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ମିଳେ ତେବେ ଏହି ଅଭାବୀ ପରିବାରର ଦୁଃଖ ଲାଘବ ହୋଇପାରନ୍ତା । କେବେ ପ୍ରଶାସନ ଏହି ଅଭାବୀ ପରିବାର ନିକଟରେ ପହଞ୍ଚିବ ଓ ସହାୟତାର ହାତ ବଢାଇବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.