ପାଣି ପାଇଁ ଗରା ବାଲଟି ଧରି ରାସ୍ତାରେ ବସିଲେ ଗାଁ ଲୋକେ

author img

By

Published : Sep 18, 2022, 11:09 PM IST

ପାଣି ପାଇଁ ଗରା ବାଲଟି ଧରି ରାସ୍ତାରେ ବସିଲେ ଗାଁ ଲୋକେ

ଗାଁରେ ପିଇବା ପାଣି ନମିଳିବାରୁ ରାସ୍ତାରୋକ କଲେ ଗ୍ରାମବାସୀ । ଜାତୀୟ ରାଜପଥ ଉପରେ ହଣ୍ଡା ଗରା ରଖି ରାସ୍ତା ଅବରୋଧ । ଅଧିକ ପଢନ୍ତୁ

ଫୁଲବାଣୀ: ବର୍ଷା ଦିନେ ମଧ୍ୟ ଜଳକଷ୍ଟ ଭୋଗୁଛନ୍ତି ଲୋକମାନେ । ଏହିପରି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରର ଶଗଡ଼ିଆସାହିରେ । ପାଣି ପାଇଁ ସାହିବାସିନ୍ଦା ରାସ୍ତା ଉପରକୁ ଚାଲି ଆସିଛନ୍ତି । ସାହିର ମହିଳାମାନେ ସାହି ନିକଟ ଦେଇ ଯାଇଥିବା ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥ ଉପରେ ହଣ୍ଡା ଗରା ରଖି ରାସ୍ତା ଅବରୋଧ କରିଛନ୍ତି ।

ପାଣି ପାଇଁ ଗରା ବାଲଟି ଧରି ରାସ୍ତାରେ ବସିଲେ ଗାଁ ଲୋକେ

ଫଳରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଫୁଲବାଣୀ ଟାଉନ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରେ ଲାଗିଛନ୍ତି । ସାହିର ମହିଳା ମାନଙ୍କ କହିବା ଅନୁସାରେ, ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ସାହିବାସିନ୍ଦା ମାନଙ୍କୁ ପାଇପ ଲାଇନରେ ଜଳ ଯୋଗାଣ ସଠିକ ଭାବେ କରାଯାଉନାହିଁ । ଦୈନିକ ପାଇପ ଲାଇନରେ ପାଣି ଦେବା ଯାଗାରେ 4/5 ଦିନରେ ଥରେ ଘଣ୍ଟାଟେ କିମ୍ବା ଦୁଇ ଘଣ୍ଟା ପାଣି ଆସୁଛି । ଆଉ ଏବେ ୫ଦିନ ହେଲାଣି ପାଇପ ଲାଇନରେ ବିଲକୁଲ ପାଣି ଛାଡ଼ିନାହାଁନ୍ତି । ଯାହାଫଳରେ ସାହିବାସିନ୍ଦା ପାଣି ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।

ଏନେଇ ସାହିବାସିନ୍ଦା ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ଏକ ମେସିନ ଖରାପ ହୋଇଛି ତାହା ଠିକ ହେଲେ ପାଇପ ଲାଇନରେ ପାଣି ଛଡ଼ାଯିବ ବୋଲି ସାହିବାସିନ୍ଦା ମାନଙ୍କୁ କହିଥିଲେ । କିନ୍ତୁ କେବେ ସେହି ମେସିନ ତିଆରି ହେବ ଏବଂ ପାଇପ ଲାଇନରେ ପାଣି ଆସିବ ତାହା ସଠିକ ଭାବେ କହୁନାହାଁନ୍ତି ।

ଏଭଳିସ୍ଥଳେ ସାହିବାସିନ୍ଦା ପାନୀୟଜଳ ମୁନ୍ଦାଏ ପାଇ ପାରୁନାହାଁନ୍ତି । ତେଣୁ ବର୍ତ୍ତମାନ ଯେଉଁ ପର୍ଯ୍ୟନ୍ତ ପାଇପ ଲାଇନରେ ପାଣି ଛଡ଼ାଯିବନି ସେହି ପର୍ଯ୍ୟନ୍ତ ମହିଳାମାନେ ରାସ୍ତାରୋକରୁ ଓହରିବେ ନାହିଁ ବୋଲି କହିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗ୍ରାମବାସୀ ପାଣି ପାଇଁ ଟଙ୍କା ପୈଠ କଲେ । ହେଲେ ଘରକୁ ଆସୁନି ପାଣି । ମାସକୁ ୨ଦିନ ପାଣି ଆସୁଥିବା ବେଳେ ବାକି ସବୁଦିନ ପାଣି ବନ୍ଦ ।

ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ । ଆମେ ଖାଇବୁ କେମିତି ବଞ୍ଚିବୁ କେମିତି ବୋଲି ସ୍ବର ଉଠାଇଛନ୍ତି ଗ୍ରାମବାସୀ । ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଥିବା ଗ୍ରାମବାସୀ ଜିଲ୍ଲାପାଳଙ୍କ ଠାରେ ବି ଗୁହାରି କରିଥିଲେ । ହେଲ ଜିଲ୍ଲାପାଳ ପ୍ରତିଶୃତି ଦେଲେ ସିନା କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଲେନି । ଯାହାକୁ ନେଇ ଆଜି ଚିଇଁ ଉଠିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.