BJD ସାଂସଦଙ୍କ ପ୍ରତିନିଧିଙ୍କୁ ଲାଲବାହିନୀର ଚେତାବନୀ, ବେଳ ଥାଉ ସୁଧୁରି ଯାଅ

author img

By

Published : Sep 3, 2022, 9:39 AM IST

ବିଜେଡି ସାଂସଦ ପ୍ରତିନିଧିଙ୍କ ବିରୋଧରେ ମାଓ ପୋଷ୍ଟର

ବିଜେଡି ସାଂସଦ ପ୍ରତିନିଧି ମନୋଜ କୁମାର ସାବତଙ୍କ ବିରୋଧରେ ମାଓ ପୋଷ୍ଟର ଲଗାଯାଇଛି । ବେଳ ଥାଉ ଥାଉ ଯଦି ନ ସୁଧୁରିବେ ତାହେଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମାଓବାଦୀମାନେ ପୋଷ୍ଟରରେ ଚେତାବନୀ ଦେଇଛନ୍ତି ।

ଫୁଲବାଣୀ: କୋଟଗଡ ବ୍ଲକ ବିଜେଡି ସାଂସଦ ପ୍ରତିନିଧିଙ୍କ ବିରୋଧରେ ଲାଗିଲା ମାଓ ପୋଷ୍ଟର । ଶୁକ୍ରବାର ମାଓବାଦୀମାନେ ଏକ ଗଛରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି । ବିଜେଡି ସାଂସଦ ପ୍ରତିନିଧି ମନୋଜ କୁମାର ସାବତଙ୍କ ବିରୋଧରେ ଏହି ପୋଷ୍ଟର ଲଗାଯାଇଛି । ବେଳ ଥାଉ ଥାଉ ଯଦି ନ ସୁଧୁରିବେ ନିଶ୍ଚିତ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମାଓବାଦୀମାନେ ପୋଷ୍ଟରରେ ଚେତାବନୀ ଦେଇଛନ୍ତି ।

ବିଜେଡି ସାଂସଦ ପ୍ରତିନିଧିଙ୍କ ବିରୋଧରେ ମାଓ ପୋଷ୍ଟର

ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ ବିଜେଡି ସାଂସଦ ପ୍ରତିନିଧି ମନୋଜ କୁମାର ବିରୋଧରେ ଏହି ମାଓ ପୋଷ୍ଟର ଲଗାଯାଇଛି । ପୋଷ୍ଟର ସାଂସଦ ପ୍ରତିନିଧି ମନୋଜ କୁମାର ସାବତଙ୍କୁ କୋଟଗଡ଼ ବ୍ଲକର ପୂର୍ବତନ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ ଏବଂ ବର୍ତ୍ତମାନର ବ୍ଲକ କ୍ୟାସିୟର ଛବି ବାବୁ ମିଶି ସାହାଯ୍ୟ କରୁଛନ୍ତି । ଏଥିସହ ବ୍ଲକର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅନୁଦାନରେ କୌଣସି କାର୍ଯ୍ୟ କରାଯାଉ ନ ଥିବା ନେଇ ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ।

ଏହା ସହିତ ଏମ୍‌ପି ପ୍ରତିନିଧି ମନୋଜ କୁମାର ସାବତ ଆଦିବାସୀ, ହରିଜନମାନଙ୍କୁ ଶୋଷଣ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଯଦି ବେଳ ଥାଉ ଥାଉ ନ ସୁଧୁରିବେ ନିଶ୍ଚିତ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମାଓବାଦୀମାନେ ପୋଷ୍ଟରରେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଖବର ଲେଖାହେବା ସୁଦ୍ଧା ଘଟଣାସ୍ଥଳରେ ପୋଲିସ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନାହାନ୍ତି ।

ସେହିପରି ନିକଟରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସଲି ପଞ୍ଚାୟତର ବିଭିନ୍ନ ଜାଗାରେ ମାଓବାଦୀ ବିରୋଧୀ ପୋଷ୍ଟର ଗୁଡିକ ଦେଖିବାକୁ ମିଳିଥିଲା । ନିୟମଗିରି ସୁରକ୍ଷା ସମିତି ତରଫରୁ ମାଓ ବିରୋଧୀ ପୋଷ୍ଟର ଲାଗିଥିବାର ଦେଖିବାକୁ ମିଳିଥିଲା । ବିଭିନ୍ନ ସମୟରେରେ ନିୟମଗିରି ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳୁଥିବାବେଳେ ଏବେ ଏହି ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି । ପୋଷ୍ଟରରେ ନିୟମଗିରି ଅଞ୍ଚଳରେ ନୀରିହ ଝିଅଙ୍କୁ ମାଓ ସଙ୍ଗଠନରେ ସାମିଲ କରି ଯୌନ ନିର୍ଯାତନା ଦେବା ଗର୍ଭବତୀ ଅବସ୍ଥାରେ ଅସମୟରେ ସେମାନଙ୍କ ହାତ ଛାଡ଼ି ଦେଉଥିବା ମୁଖ୍ୟତଃ ଦର୍ଶାଯାଇଛି ।

କିଛି ନିୟମଗିରିର ଆତ୍ମଘୋଷିତ ନିୟମଗିରି ସୁରକ୍ଷାକର୍ମୀ, ମାନବାଧିକାର କର୍ମୀ ଜନଜାତି ସୁରକ୍ଷାକର୍ମୀ ନିୟମଗିରି ସୁରକ୍ଷା ନାଁରେ ମାଓବାଦୀଙ୍କୁ ଭିତିରିଆ ସହଯୋଗ କରୁଥିବା ସହ ନୀରିହ ଡଙ୍ଗରିଆଙ୍କ ସୁଯୋଗ ନେଇ ନିୟମଗିରି ସୁରକ୍ଷା ସମିତିକୁ ମାଓବାଦୀ ହାତକୁ ଟେକିଦେଇଥିବା ଉଲ୍ଲେଖ ରହିଥିଲା ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.