ଫୁଲବାଣୀରେ ପତ୍ନୀର ମୃତଦେହକୁ ପତି ଏକାକୀ ବୋହିବା ଘଟଣା; କାର୍ଯ୍ୟାନୁଷ୍ଠାନ ନେଲେ ସିଡିଏମଓ

author img

By

Published : Jul 2, 2021, 5:49 PM IST

Kandhamal

ସ୍ତ୍ରୀର ମୃତଦେହକୁ ସ୍ବାମୀ କାନ୍ଧରେ ବୋହିନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କନ୍ଧମାଳ ସିଡିଏମଓ ଡାକ୍ତର ରାଜଶ୍ରୀ ପଟ୍ଟନାୟକ । 3 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ :

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀର ମୃତଦେହକୁ ସ୍ବାମୀ କାନ୍ଧରେ ବୋହିନେବା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ରବେଗରେ ଅସନ୍ତୋଷ ବଢିବାରେ ଲାଗିଛି । ଷ୍ଟାଫ ନର୍ସ ମାମିନା ପାତ୍ର ଓ ଆଟେଣ୍ଡାଣ୍ଟ ପ୍ରିୟଙ୍କା ମୁଖୀଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଥିବା ବେଳେ ଡେକ୍ସ କର୍ମଚାରୀ ଅଜିତ କହଁରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଏହାସହ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

ଏହି ମାମଲାରେ କନ୍ଧମାଳ ସିଡିଏମଓ ଡାକ୍ତର ରାଜଶ୍ରୀ ପଟ୍ଟନାୟକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସେହି ରିପୋର୍ଟ ଆଧାରରେ ସିଡିଏମଓ 3 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ କନ୍ଧମାଳ ଫିରିଙ୍ଗିଆ ମୋତିଙ୍ଗିଆ ଗ୍ରାମର ବାଳକୃଷ୍ଣ କହଁର ନିଜ ଅସୁସ୍ଥ ପତ୍ନୀଙ୍କ ଚିକିତ୍ସା ପାଇଁ ଗତ ଜୁନ 29 ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ପରଦିନ ଅର୍ଥାତ ୩୦ ତାରିଖରେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ପତ୍ନୀଙ୍କ ମୃତ୍ୟୁ ହେବାପରେ ମୃତଦେହକୁ ଉଠାଇ ମହାପ୍ରୟାଣ ଗାଡି ପର୍ଯ୍ୟନ୍ତ ଉଠାଇ ନେବା ପାଇଁ ପତି ବାଳକୃଷ୍ଣ ଯେତେ ଅନୁରୋଧ କଲେ ମଧ୍ୟ କାହାର କୃପାଦୃଷ୍ଟି ପଡିନଥିଲା । ମୃତଦେହ ଉଠାଇବା ତ ଦୂରର କଥା ମେଡିକାଲ କର୍ମଚାରୀ ବାଳକୃଷ୍ଣଙ୍କୁ କୌଣସି ଆବଶ୍ୟକ ସହଯୋଗ ମଧ୍ୟ କରିନଥିଲେ । ଆଉ ସବୁଠାରୁ ବିଡମ୍ବନା ଯେ ବାଳକୃଷ୍ଣଙ୍କ ସହ ଥିବା ଛୋଟ ଶିଶୁକୁ ମଧ୍ୟ ମେଡିକାଲ କର୍ମଚାରୀ ଧରିନଥିଲେ । ଶେଷରେ ସେ କୌଣସି ଉପାୟ ନପାଇ ମୃତ ପତ୍ନୀଙ୍କୁ ନିଜେ କାନ୍ଧରେ ବୋହି 2 ମହଲା କୋଠାରୁ ତଳକୁ ଆଣିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.