ସାମାନ୍ୟ ବର୍ଷାରେ ବେହାଲ ଫୁଲବାଣୀର ୬ନଂ ୱାର୍ଡ, ଘରେ ପଶୁଛି ପାଣି

author img

By

Published : May 17, 2022, 3:56 PM IST

ସାମାନ୍ୟ ବର୍ଷାରେ ବେହାଲ ଫୁଲବାଣୀର ୬ନଂ ୱାର୍ଡ, ଘରେ ପଶୁଛି ପାଣି

କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦର ୬ ନମ୍ବର ୱାର୍ଡରେ ଡ୍ରେନେଜ ସମସ୍ୟା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ୬ ନମ୍ବର ୱାର୍ଡ ସୁନା ମିଶ୍ର ଗଳି ରାସ୍ତାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ରାସ୍ତାର ଉଭୟ ପାର୍ଶ୍ବକୁ ଲୋକେ ଜବରଦଖଲ କରି ନେଉଛନ୍ତି । ଦିନକୁ ଦିନ ରାସ୍ତା ସଂକୁଚିତ ହେବାରେ ଲାଗିଛି । ଫଳରେ ଅସରାଏ ବର୍ଷାରେ ଜଳମଗ୍ନ ହେଉଛି ଏଠାକାର ରାସ୍ତା । ସ୍ଥାନୀୟ ବାସିନ୍ଦାଙ୍କ ଘର ଭିତରେ ପାଣି ପଶୁଥିବା ହୋଇଛି ଅଭିଯୋଗ ।

ସାମାନ୍ୟ ବର୍ଷାରେ ବେହାଲ ଫୁଲବାଣୀର ୬ନଂ ୱାର୍ଡ, ଘରେ ପଶୁଛି ପାଣି

ଏପରିକି କିଛି ଲୋକ ଘରକୁ ଲାଗିଥିବା ରାସ୍ତା ପାର୍ଶ୍ବରେ ୨ ଫୁଟ ପର୍ଯ୍ୟନ୍ତ କଂକ୍ରିଟ ବିମ୍ ଏବଂ ପଥର ପୋତି ପକାଉଛନ୍ତି । ଗୋଟିଏ କାର ସାହି ଭିତରକୁ ପଶିଲେ ବାଇକଟିଏ ଅପର ପାର୍ଶ୍ବରୁ ଆସିପାରିବ ନାହିଁ । ସବୁଠୁ ବଡ ସମସ୍ୟା ଉପୁଜାଇଛି ଡ୍ରେନେଜ ବ୍ୟବସ୍ଥା । ରାସ୍ତା କଂକ୍ରିଟ କରିବା ପୂର୍ବରୁ ଡ୍ରେନେଜ କରାଯାଇ ନାହିଁ । ତରବରିଆ ଭାବେ କଂକ୍ରିଟ ରାସ୍ତା ନିର୍ମାଣ ହେବାରୁ ଏବେ ଡ୍ରେନ ପାଇଁ ସ୍ଥାନ ହିଁ ନାହିଁ । ରାସ୍ତାର ଉଭୟ ପଟକୁ ଲଗାଇ ଲୋକେ ବଡ଼ ବଡ଼ ବିଲ୍ଡିଂ ନିର୍ମାଣ କରିଛନ୍ତି ।

ସାମାନ୍ୟ ବର୍ଷା ହେଲେ ଗରିବ ଲୋକଙ୍କ ଘରେ ପାଣି ପଶୁଛି । ଖାଲି ଏତିକି ନୁହେଁ, ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ୫ରୁ ୬ ଦିନ ପର୍ଯ୍ୟନ୍ତ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଛି । ଅଳ୍ପ ବର୍ଷା ହେଲେ ରାସ୍ତାର ମଝିରେ ପାଣି ଜମି ରହୁଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ପାଣି ଜମିବା ଯୋଗୁଁ ଯିବା ଆସିବାରେ ଅସୁବିଧା ହେଉଛି । ୨୦୧୮ ଆର୍ଥିକ ବର୍ଷରେ ୬ନଂ ୱାର୍ଡ ସୁନାମିଶ୍ର ଗଳି ରାସ୍ତା ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ବ୍ୟୟ ବରାଦରେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା । ହେଲେ ବିନା ପ୍ଲାନରେ ଏହା କରି ଦିଆଗଲା ।

ଯତି ସେତେବେଳେ ଡ୍ରେନ ପାଇଁ ବ୍ୟବସ୍ଥା ହୋଇଥାନ୍ତା ତାହାଲେ ଆଜି ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନ ଥାନ୍ତା ବୋଲି ଅଞ୍ଚଳବାସୀ ଗଙ୍ଗାଧର ସାହୁ ପ୍ରକାଶ କରିଛନ୍ତି । ଏ ନେଇ ପୌର ପରିଷଦ ଯନ୍ତ୍ରୀ ନୀଳକଣ୍ଠ ନାୟକଙ୍କୁ ପଚାରିବାରୁ ପାଣି ନିଷ୍କାସନ ପାଇଁ କ'ଣ ବ୍ୟବସ୍ଥା କରି ହେବ ତାହା ଦେଖିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.