ସରକାରଙ୍କ ନଜର ଆଢୁଆଳରେ ସାହାଜପଡା, ବିକାଶ ଏଠି ସାତସପନ

author img

By

Published : Jan 22, 2023, 9:58 AM IST

not getting Govt facilities in Sahajapada village

ସରକାରୀ ଯୋଜନାରୁ ବଞ୍ଚିତ ସାହାଜପଡ଼ା ଗ୍ରାମ । ବିକାଶରେ ବାଟ ଓଗାଳୁଛି ନଦୀ । ନା ପହଞ୍ଚୁଛି ସ୍ବାସ୍ଥ୍ୟ ସେବା ନା ଅଛି ଗ୍ରାମକୁ ରାସ୍ତା । ଅଧିକ ପଢନ୍ତୁ

ବିକାଶ ଠୁ ଦୂରରେ ସାହାଜପଡ଼ା ଗାଁ

ଭବାନୀପାଟଣା: ଗାଁକୁ ଚାଲ ଗାଁକୁ ଗଢ଼ । ଏଭଳି କିଛି ସ୍ଲୋଗାନ ନେଇ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଆଜିବି ଉପାନ୍ତ ଅଞ୍ଚଳରେ ପହଞ୍ଚିପାରି ନାହିଁ ସରକାରଙ୍କ ବିକାଶ ରଥ । ତେଣୁ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଜେପୁର ପଞ୍ଚାୟତସ୍ଥିତ ସାହାଜପଡ଼ା ଗାଁରେ । ୧୫୦ ପରିବାରର ୫ଶହ ଲୋକଙ୍କୁ ନେଇ ଏହି ଗାଁ । ଏହି ସାହାଜପଡ଼ା ଗାଁକୁ ଯିବାପାଇଁ ନାହିଁ ରାସ୍ତା ।

ସାଇକେଲ କିମ୍ବା ବାଇକ କଥା ତ ଦୂରେ ଥାଉ ଚାଲିକି ଯିବା ବି ମୁସ୍କିଲ । ଗାଁକୁ ଯିବାକୁ ହେଲେ ପାରି ହେବାକୁ ପଡେ ନଦୀ । ସେ ରୋଗୀ ହେଉ ଅବା ସାଧାରଣ ଲୋକ ସମସ୍ତେ ଏମିତି ନଦୀ ପାରି ହୋଇ ଯିବା ଆସିବା କରନ୍ତି । ଯେଉଁଠି ରାସ୍ତାଘାଟ ପାଇଁ ଅବ୍ୟବସ୍ଥା ସେଠାରେ ସ୍ବାସ୍ଥ୍ୟ ଓ ଶିକ୍ଷାର ଅବସ୍ଥା ବି ନକହିବା ଭଲ । ଏଠି କେହି ବି ରୋଗାଗ୍ରସ୍ତ ହେଲେ ତାକୁ ଡାକ୍ତରଖାନା ନେବାକୁ ମୁସ୍କିଲ ହୋଇପଡ଼େ । ସବୁ ଠୁ ବଡ଼ କଷ୍ଟ ହୋଇଥାଏ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା । କାରଣ ରାସ୍ତା ଖରାପ ଥିବାରୁ କୌଣସି ଆମ୍ବୁଲାନ୍ସ ଗାଁକୁ ଆସିପାରେ ନାହିଁ । ଫଳରେ ଜଣେ ଗର୍ଭବତୀଙ୍କୁ ଡାକ୍ତରଙ୍କ ପାଖକୁ ନେବାକୁ ହେଲେ ତାକୁ କାଠଝୁଲାରେ ଲୁଗା ବାନ୍ଧି ନଦୀ ପାର ହୋଇ ନେବାକୁ ପଡେ ।

ଏ ସମମ୍ପର୍କରେ ସାହାଜପଡା ଗ୍ରାମର କୈଳାସ ସାହୁ କହିଛନ୍ତି ''ଆମ ଗାଁକୁ ଯିବାପାଇଁ ରାସ୍ତା ନାହିଁ । ସହରକୁ ଯିବାକୁ ହେଲେ ପ୍ରଥମେ ଆମକୁ ଖାଲଖମା ଦେଇ ଯିବାକୁ ପଡ଼ିଥାଏ । ଆଉ ଏହାପରେ ଏକ ନଦୀ ଆସେ । ସେହି ନଦୀ ଭିତରେ ଆମେ ବହୁ କଷ୍ଟରେ ଚାଲି ଚାଲି ମୁଖ୍ୟ ରାସ୍ତାରେ ପହଞ୍ଚି ଥାଉ। ତେବେ ଯଦି ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନା ନେବାକୁ ପଡ଼ିଥାଏ ସେତେବେଳେ ବହୁ କଷ୍ଟ ହୋଇଥାଏ । ଏହାସହ ଡର ବି ଲାଗୁଥାଏ । ଭଗବାନଙ୍କୁ ଡାକି ଡାକି ଆମେ ନଦୀ ପାର ହୋଇଥାଉ । ଏନେଇ ଅନେକ ବେଳେ ଆମ ଅସୁବିଧାରେ ବି ପଡ଼ିଛୁ'' ।

ଏଠିକାର ଗାଁ ଲୋକେ ଚାଷ କରି ଜୀବିକା ନିର୍ବାହ କରନ୍ତି । ଏପରିକି ପିଡିଏସ ସାମଗ୍ରୀ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡ଼େ । ଘଞ୍ଚ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଖାଲଖମା ରାସ୍ତା ସହ ନଦୀ ପାର ହୋଇ ଯାଇଥାନ୍ତି ଗ୍ରାମବାସୀ । ଅନ୍ୟପକ୍ଷରେ ରାସ୍ତା ସୁବିଧା ନଥିବାରୁ ପିଲାମାନଙ୍କ ପାଠପଢ଼ାରେ ମଧ୍ୟ ଡୋରି ପଡ଼ିଯାଇଛି । ଗାଁ ପାଖରେ ଏକ ସ୍କୁଲ ଅଛି । ହେଲେ ସେଠିକି ଯିବାକୁ ହେଲେ ପିଲାଙ୍କୁ ନାଳ ପାର୍ ହୋଇ ଯିବାକୁ ପଡ଼ିଥାଏ । ତେବେ ଅନ୍ୟ ଋତୁ ମାନଙ୍କରେ ଯେନେତେନ ପ୍ରକାର ପିଲାମାନେ କେବେ କେବେ ସ୍କୁଲ ଯାଆନ୍ତି । ହେଲେ ବର୍ଷା ଋତୁରେ ସ୍କୁଲ ଯିବା ପୁରା ବନ୍ଦ ହୋଇଯାଏ ।

ସମସ୍ତ ଗାଁକୁ ପକ୍କା ରାସ୍ତା ବ୍ରିଜ ନିର୍ମାଣ କରି ସଂଯୋଗ କରୁଥିବା ସରକାର କହୁଥିବା ବେଳେ ଏହି ଗାଁକୁ ନା ଅଛି ପକ୍କା ରାସ୍ତା ନା ଅଛି ନାଳ ଉପରେ ବ୍ରିଜ । ନାଳ ପାଇଁ ସାହାଜପଡ଼ା ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନରେ ଏହି ଗ୍ରାମବାସୀ ଏକ ପ୍ରକାର ଜଳବନ୍ଦୀ ଜୀବନ କାଟୁଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁକୁ ଏକ ପକ୍କା ରାସ୍ତା ଓ ନଦୀ ଉପରେ ବ୍ରିଜ ଟିଏ ପାଇଁ ଅନେକ ଥର ସରପଞ୍ଚ ଠୁ ଆରମ୍ଭ କରି ନେତା ସରକାରୀ ବାବୁ ସମସ୍ତଙ୍କୁ ଗୁହାରି ଜଣାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ । ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକ ଭଳି ଦୁର୍ଗମ ଇଲାକାରେ ଏଭଳି ଅନେକ ଗାଁ ଅବସ୍ଥା ସମାନ । ନିତିଦିନିଆ ସଉଦା ହଉ ଅବା ପଞ୍ଚାୟତକୁ ରାସନ ପାଇଁ ଚାଲିକି ଯିବାକୁ ହୁଏ ମାଇଲ ମାଇଲ ବାଟ ।

ଗାଁର ସମସ୍ୟା ନେଇ ଗତ ପଞ୍ଚାୟତ ନିର୍ବାଚନ ସମୟରେ ଭୋଟ ବର୍ଜନ କରିଥିଲେ ଗ୍ରାମବାସୀ । ତଥାପି ମଧ୍ୟ ଆଜି ପର୍ଯ୍ୟନ୍ତ କାଣିଚାଏଁ ବିକାଶର ଛିଟା ପଡ଼ି ନାହିଁ ଏହି ଗାଁରେ । ଏ ସମ୍ପର୍କରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ କହିଥିଲେ, ''ଆମ ନିର୍ବାଚନମଣ୍ଡଳୀରେ ଅନେକ ଗାଁକୁ ଏପରି ରାସ୍ତା ସମସ୍ୟା ଅଛି । ହେଲେ ଆମେ ସାହାଜପଡା ଗାଁକୁ ବ୍ରିଜ ଓ ରାସ୍ତା ପାଇଁ ଖସଡ଼ା ପ୍ରସ୍ତୁତ କରିବୁ । ଏହାସହ ତୁରନ୍ତ ପଦକ୍ଷେପ ନେବୁ ''।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.