ଦୁର୍ଦ୍ଦିନର ଦିନ କାଟୁଛନ୍ତି ମଶ୍ରା ପରିବାର, ମିଳୁନି ସରକାରୀ ସହାୟତା

author img

By

Published : Sep 25, 2022, 10:58 PM IST

ଅଭିଶପ୍ତ ଜୀବନ ଜୀଉଛନ୍ତି ମଶ୍ରା ପରିବାର, ସରକାରୀ ସହାୟତା ଅପେକ୍ଷାରେ ଚାରି ପ୍ରାଣୀ

ଅଭିଶପ୍ତ ଜୀବନ ଜୀଉଛନ୍ତି ମଶ୍ରା ପରିବାର । ନା ଘର ଅଛି ନା ଖାଇବାକୁ ଦାନା ଅଛି । କେବଳ ଏବେ ସରକାରୀ ସହାୟତାକୁ ଅପେକ୍ଷା । ଅଧିକ ପଢ଼ନ୍ତୁ

ଭବାନୀପାଟଣା : ବାପା, ମାଆ ଗୋଟିଏ ସନ୍ତାନ ପାଇଁ କେତେ ଉପାସନା କରନ୍ତି । କେତେ ବ୍ରତ କେତେ ଯେ ଦେବାଦେବୀଙ୍କ ମନ୍ଦିର ଯାଇ ଦୀପ ଜଳାଇଥାନ୍ତି । ଭଗବାନ କୋଳ ଶୂନ୍ୟ କଲେ ନାହିଁ ସତ ହେଲେ ସନ୍ତାନ ଦେଇ ମଧ୍ୟ ପରିବାରରେ ଜୀବନ ସାରା ଦୁଃଖ ଭରି ଦେଲେ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଗଣ୍ଡାମେର ଗାଁରୁ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି । ଏହି ଗାଁରେ ରୁହନ୍ତି ମକରଧ୍ୱଜ ମଶ୍ରା ଓ ଛେଦ ମଶ୍ରା ।

ଅଭିଶପ୍ତ ଜୀବନ ଜୀଉଛନ୍ତି ମଶ୍ରା ପରିବାର, ସରକାରୀ ସହାୟତା ଅପେକ୍ଷାରେ ଚାରି ପ୍ରାଣୀ

ଗତ ୨୦୦୬ ମସିହାରେ ମକରଧ୍ୱଜ ମଶ୍ରା ଓ ଛେଦ ମଶ୍ରାଙ୍କ ଯାଆଁଳା ସନ୍ତାନ ପୁଅଝିଅ ଜନ୍ମ ହୋଇଥିଲେ । ଏହି ଦୁଇ ଛୁଆ ସନ୍ତାନ ହେବାପରେ ଘରେ ଖୁସିର ମାହୋଲ ଥିଲା । ଉଭୟ ପୁଅ ଝିଅଙ୍କ ନାଁ ପ୍ରେମାଞ୍ଚଳ ଓ ପ୍ରେମିଶିଳା ରଖିଥିଲେ ବାପା ମାଆ । ହେଲେ ବିଧାତା ଏହି ଖୁସିକୁ ବେଶିଦିନ ରଖିଲାନି ।

ଜନ୍ମ ହେବାର କିଛି ମାସ ପରେ ୨ ପୁଅ ଝିଅ ଭିନ୍ନକ୍ଷମ ଥିବା ଜଣାପଡ଼ିଥିଲା । ବାପା କିଏ ମାଆ କିଏ ତାହା ମଧ୍ୟ ଏମାନେ ଜାଣି ପାରୁ ନାହାନ୍ତି । ଦୁହିଁଙ୍କ ପାଖରେ କିଏ ନ ଥିଲେ କେଉଁ ଆଡ଼କୁ ଚାଲି ଯାଆନ୍ତି । ଜନ୍ମରୁ ୨ ପୁଅ ଝିଅ ଭିନ୍ନକ୍ଷମ ହୋଇଥିବା ବେଳେ ଏବେ ପତ୍ନୀ ଛେଦ ରୋଗୀଣା ହୋଇ ପଡିଛନ୍ତି । ଏହି ଗରିବ ପରିବାର ପାଇଁ ସରକାରଙ୍କ ସମସ୍ତ ଯୋଜନା ସ୍ୱପ୍ନ ପାଲଟିଛି ।

ମକରଧ୍ୱଜଙ୍କ ପତ୍ନୀ ଛେଦ ମଶ୍ରା ଯେତେବେଳେ ଭଲଥିଲେ ପୁଅଝିଅ ଭିନ୍ନକ୍ଷମ ହେବା ଜାଣି ମଧ୍ୟ ସେମାନଙ୍କଙ୍କୁ ଆୟତ୍ତ କରି ରଖୁଥିଲେ । ଏହାପରେ ଗତ ୨୦୨୦ ମସିହାରେ ଛେଦ ଏକ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ତାଙ୍କୁ ପାରାଲିସସ୍ ହୋଇଥିଲା । ତେଣୁ ଗତ ଦୁଇ ବର୍ଷ ହେବ ସେ ଚାଲି ପାରୁନାହାଁନ୍ତି କି କୌଣସି କାମ ମଧ୍ୟ କରିପାରୁନାହାନ୍ତି । ପତ୍ନୀ ରୋଗୀଣା, ଦୁଇ ପୁଅଝିଅ ଭିନ୍ନକ୍ଷମ । ମକରଧ୍ୱଜ ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ କେମିତି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ପରିବାର ପାଇଁ ରୋଜଗାର କରିବା ସହ ଘର ଅନ୍ୟକାମ ମଧ୍ୟ ମକରଧ୍ବଜଙ୍କୁ ହିଁ କରିବାକୁ ପଡ଼ୁଛି ।

ମକରଧ୍ବଜଙ୍କ ପାଖରେ ପକ୍କା ଘର ଘଣ୍ଡେ ନଥିବା ବେଳେ ଦୁଇ ପିଲାଙ୍କ ପାଇଁ ଭିନ୍ନକ୍ଷମ ଭତ୍ତା ବି ମିଳୁନି । ସରକାରୀ ଯୋଜନା କହିଲେ କେବଳ ୨୦ କେଜି ଚାଉଳ ହିଁ ଏମାନଙ୍କୁ ମିଳୁଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ପରିବାରକୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରି ସହାୟତା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.