ପ୍ରିମିୟମ ଟଙ୍କା ଦେଇ ଫସଲ ବୀମା ଅପେକ୍ଷାରେ ଚାଷୀ, ମିଳୁନି କ୍ଷତିପୂରଣ

author img

By

Published : Nov 29, 2022, 10:05 PM IST

ପ୍ରିମିୟମ ଟଙ୍କା ଦେଇ ଫସଲ ବୀମା ଅପେକ୍ଷାରେ ଚାଷୀ, ମିଳୁନି କ୍ଷତିପୂରଣ

ପ୍ରିମିୟମ ଟଙ୍କା ଦେଇ ଫସଲ ବୀମା ଅପେକ୍ଷାରେ ଚାଷୀ । ମିଳୁନି କ୍ଷତିପୂରଣ । ମରୁଡି ସମୟରେ ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା । ବାରମ୍ବାର ଚାଷୀ ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ୟ ମିଳିପାରୁନାହିଁ କ୍ଷତିପୂରଣ । ଏନେଇ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ପ୍ରିମିୟମ ଟଙ୍କା ଦେଇ ଫସଲ ବୀମା ଅପେକ୍ଷାରେ ଚାଷୀ । ମିଳୁନି କ୍ଷତିପୂରଣ । ମରୁଡି ସମୟରେ ଚାଷୀଙ୍କ ଆର୍ଥିକ ଓ ସାମାଜିକ ସଙ୍କଟକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଣୟନ କରିଥିଲେ । କିନ୍ତୁ ବାସ୍ତବରେ ଚାଷୀଙ୍କ କାମରେ ଆସୁନି ସରକାରଙ୍କ ଏହି ଯୋଜନା । ବାରମ୍ବାର ଚାଷୀ ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ୟ ମିଳିପାରୁନାହିଁ କ୍ଷତିପୂରଣ । କାରଣ ଯୋଜନାରେ ହୋଇଛି ବଡ଼ ଧରଣର ଜାଲିଆତି । ପ୍ରିମିୟମ ଟଙ୍କା ନେଇ ବୀମା କମ୍ପାନୀ ଚୁପ ବସିଥିବାବେଳେ ଚାଷୀଙ୍କ ଗୁହାରୀ ଶୁଣିବାକୁ କେହି ନାହାନ୍ତି ।

ପ୍ରିମିୟମ ଟଙ୍କା ଦେଇ ଫସଲ ବୀମା ଅପେକ୍ଷାରେ ଚାଷୀ, ମିଳୁନି କ୍ଷତିପୂରଣ

ହୋଇଛି ବ୍ୟାପକ ଦୁର୍ନୀତି !

୨୦୨୦-୨୧ ମସିହାରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ ବର୍ଷା ଅଭାବ ଯୋଗୁଁ ବ୍ୟାପକ ମରୁଡି ସ୍ଥିତି ଦେଖା ଦେଇଥିଲା । ଯାହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । କେବଳ ଏହି ୨୦୨୦-୨୧ ବର୍ଷ ନୁହେଁ, ପ୍ରତ୍ୟେକ ବର୍ଷ ଏଠାରେ ମରୁଡି ସ୍ଥିତି ଦେଖା ଦେଇଥାଏ । ଅଣ ଜଳସେଚିତ ମରୁଡି ପ୍ରପିଡିତ ବ୍ଲକ ଭାବରେ ପରିଚିତ ଗୋଲାମୁଣ୍ଡା । ୨୦୨୦-୨୧ ମସିହାରେ ଖରିଫ ଋତୁରେ ଚାଷୀ ଚାଷ କାମ ଆରମ୍ଭରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନାମ ପଞ୍ଜିକରଣ କରିବା ସହ ପ୍ରିମିୟମ ଟଙ୍କା ମଧ୍ୟ ପୌଠ କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ମିଳି ପାରୁନାହିଁ ବୀମା ଟଙ୍କା । ଫଳରେ ଏହି ଯୋଜନାରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି ।

ଏମିତି ଧରାପଡ଼ିଲା ଜାଲିଆତି

କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବନ୍ଧା ଗାଁର ଚାଷୀ ନୀଳକଣ୍ଠ ସୁନାନୀ ନିଜ ଚାଷ ପାଇଁ ସରକାରଙ୍କ ବୀମା ଯୋଜନାରେ ୨୦୨୧ ମସିହାରେ ବୀମା ଟଙ୍କା ବାବଦକୁ ୨ ହଜାର ୪ ଶହ ୬୭ ଟଙ୍କା ଓ ୩୬ ପଇସା ପୈଠ କରିଥିଲେ । ଏହା ବାବଦକୁ ବୀମା କମ୍ପାନୀ ପକ୍ଷରୁ ୧ ଲକ୍ଷ ୨୩ ହଜାର ୩୭୧ ଟଙ୍କା ଓ ୧୨ ପଇସା ପାଇବା କଥା । ହେଲେ ବର୍ତ୍ତମାନ ସୁଦ୍ଧା ଏହି ଟଙ୍କା ପାଇବାରୁ ସେ ବଞ୍ଚିତ । ଏନେଇ ସିଏସସି ସେଣ୍ଟରକୁ ଯାଇ ଚାଷୀ ଜଣକ ନିଜ ଫସଲ ବୀମା ଯୋଜନା ବିଷୟରେ ବୁଝିବାରୁ ତାଙ୍କ ବୀମା ରାଶି ପୈଠ ହୋଇଆସୁଥିବା ଜାଣିବାକୁ ପାଇଥିଲେ । ପରେ ଏନେଇ ବ୍ଲକ କୃଷି ଅଧିକାରୀଙ୍କୁ ଜଣାଇବାରୁ ସମ୍ପୃକ୍ତ କୃଷି ଅଧିକାରୀ ଏ ବିଷୟରେ କମ୍ପାନୀ କର୍ତ୍ତୃପକ୍ଷ ହିଁ ସୂଚନା ଦେଇ ପାରିବେ ବୋଲି କହିଥିଲେ ।

ଶତାଧିକ ଚାଷୀଙ୍କର ହଡ଼ପ ହୋଇଛି ବୀମା ଟଙ୍କା

ଏହାପରେ ବନ୍ଧା ଗାଁର ୪୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ଫସଲ ବୀମା ଯୋଜନାରେ ଜାଳିଆତି ହୋଇଥିବା ସନ୍ଦେହ କରି ଚାଷୀମାନେ ଏନେଇ ସ୍ଥାନୀୟ କୃଷି ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ସେପଟେ ବିଜେଡି ନେତାଏ ଗତ ଅକ୍ଟୋବର ୩୧ ତାରିଖରେ ଚାଷୀଙ୍କ ଫସଲ ବୀମା ଟଙ୍କା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତଥାପି ଫଳ ଶୂନ । କହିବାକୁ ଗଲେ ଜିଲ୍ଲାବ୍ୟାପି ଶତାଧିକ ଚାଷୀଙ୍କ ବୀମା ଟଙ୍କା ହଡପ ହୋଇଛି । ତେବେ ଏନେଇ ଅଭିଯୋଗ ପରେ ଧର୍ମଗଡ଼ ଉପଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.