ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ, ଶହ ଶହ ଏକର ଜମି ଜଳମଗ୍ନ

ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ, ଶହ ଶହ ଏକର ଜମି ଜଳମଗ୍ନ
କଳାହାଣ୍ଡି ଜିଲ୍ଲାର ଲାଇଫଲାଇନ କୁହାଯାଉଥିବା ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ବାମ ମୁଖ୍ୟ କେନାଲ ଭୁଶୁଡ଼ି ପଡ଼ିଛି । ଫଳରେ ଶହ ଶହ ଏକର ଚାଷ ଜମିରେ ପାଣି ମାଡ଼ି ତଳି ନଷ୍ଟ କରିଦେଇଛି । ଅଧିକ ପଢ଼ନ୍ତୁ
ଭବାନୀପାଟଣା: ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ । ଫଳରେ ଶହଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । କଳାହାଣ୍ଡି ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଥିବାବେଳେ ଚାଷୀ ଏବେ ରବି ଋତୁ ଚାଷ କାମ ଆରମ୍ଭ କରିଛି । କ୍ଷେତରେ ହଳ ବୁଲାଇ ତଳି ପକାଇବା ଆରମ୍ଭ କରିଥିବାବେଳେ କେନାଲ ଭୁଶୁଡିବା ଫଳରେ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇପଡିଛି । ଇନ୍ଦ୍ରାବତୀ ବାମ ମୁଖ୍ୟ ଖେନାଲ ଭୁଶୁଡିବା ଯୋଗୁଁ ଶହଶହ ଏକର ଚାଷ ଜମିରେ ପାଣି ମାଡ଼ି ତଳି ନଷ୍ଟ କରିଦେଇଛି ।
ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ଲାଇଫଲାଇନ କୁହାଯାଉଥିବା ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ବାମ ମୁଖ୍ୟ କେନାଲ ଯୋଗେ ଚାଷୀମାନଙ୍କୁ ରବି ଋତୁ ଚାଷ କାମ ପାଇଁ ଜଳ ଭଣ୍ଡାରରୁ ପାଣି ଛଡାଯାଇଥିଲା । ହେଲେ ନିମ୍ନ ମାନର କାମ ଯୋଗୁଁ ଏହି କେନାଲ ଏବେ ଭୁଶୁଡ଼ି ପଡ଼ିଛି । ଜୟପାଟଣା ବ୍ଲକ ଅନ୍ତର୍ଗତ ଗୁନଗୁନିଆ ଡିଷ୍ଟିବ୍ୟୁଟାରି ରେଙ୍ଗାଲପାଲି ଗାଁ ନିକଟରେ କେନାଲ ଭୁଶୁଡ଼ିବା ଫଳରେ ୩୦ ଫୁଟ ଗଭୀର ଘାଇ ସୃଷ୍ଟି ହୋଇଛି । ଫଳରେ ଶହଶହ ଏକର ଜମିରେ ଚାଷୀ ତଳି ପକାଇଥିବାବେଳେ ସବୁ ଚାଷ ଜମି ଏବେ ଜଳମଗ୍ନ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଅଧିକାରୀ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ପରେ ବାଲି ବସ୍ତା ପକାଇ କେନାଲର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ।
ସେପଟେ କେନାଲ ଭରସାରେ ତଳି ପକାଇଥିବା ତଳମୁଣ୍ଡର ଚାଷୀଙ୍କୁ ସକାଳୁ ଜଳ ଯୋଗାଣ ବନ୍ଦ କରାଯାଇଥିବା ବେଳେ ଚାଷ ନଷ୍ଟ ହେବାର ସମ୍ଭାବନା ରହିଛି । ତେବେ ଗତ ଦୁଇମାସ ତଳେ ଏହି ସ୍ଥାନରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନାଲ ମରାମତି କରାଯାଇଥିଲା । ହେଲେ ନିମ୍ନ ମାନର କାମ ଯୋଗୁଁ କେନାଲ ଭୁଶୁଡି ପଡିଥିବା ଗ୍ରାମବାସୀ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି । ପ୍ରତ୍ୟେକ ବର୍ଷ ରବି ଋତୁ ଧାନ ଚାଷ ସମୟରେ ଏଭଳି କେନାଲ ଭୁଶୁଡି ପଡ଼ିଥାଏ । ହେଲେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବାବେଳେ ଠିକାଦାରଙ୍କ ଲାଭଖୋର ମନୋଭାବ ଯୋଗୁଁ ଚାଷୀ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି ।
ଇଟିଭି ଭାରତ, କଳାହାଣ୍ଡି
