ଇଚ୍ଛାଶକ୍ତି ଆଗରେ ହାର ମାନିଲା ଅକ୍ଷମତା, ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ମରାମତି କଲେ ଦିବ୍ୟାଙ୍ଗ

author img

By

Published : Sep 25, 2022, 8:10 AM IST

Updated : Sep 25, 2022, 12:47 PM IST

ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ମରାମତି କଲେ ଦିବ୍ୟାଙ୍ଗ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ମରାମତି କଲେ ଦିବ୍ୟାଙ୍ଗ । ଅଧିକ ପଢ଼ନ୍ତୁ

ଭବାନୀପାଟଣା: କଥାରେ ଅଛି ଇଚ୍ଛା ଥିଲେ ଅସମ୍ଭବ ବି ସମ୍ଭବ ହୋଇଯିବ । ଆଉ ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଦିବ୍ୟାଙ୍ଗ । ସେ ଜଣେ ଦିବ୍ୟାଙ୍ଗ ହେଲେ ବି ତାଙ୍କ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଗୁରୁଣ୍ଡି ଗୁରୁଣ୍ଡି କରିଛନ୍ତି ରାସ୍ତା ମରାମତି । ଆଉ ତାଙ୍କର ଏଭଳି କାମକୁ ଦେଖି ଛୁଟୁଛି ପ୍ରଶଂସାର ସୁଅ ।

ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ମରାମତି କଲେ ଦିବ୍ୟାଙ୍ଗ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ୍ ଡୁମେରଗୁଡ଼ା ପଞ୍ଚାୟତ ଯୋରପଡ଼ା ଗାଁରେ ରୁହନ୍ତି ଗଣେଶ ନାଏକ । ଗଣେଶ ଆଜନ୍ମ ଦିବ୍ୟାଙ୍ଗ । ଦୁଇଟି
ଯାକ ଗୋଡ଼ ପୋଲିଓ ଆକ୍ରାନ୍ତ । ଫଳରେ ନିଜ ଗୋଡ଼ରେ ଛିଡ଼ା ହେବା ତାଙ୍କ ପକ୍ଷେ ସମ୍ଭବନୁହେଁ । ହେଲେ ଦୁନିଆ ଆଗରେ ସ୍ଵାଭିମାନର ସହ ମୁଣ୍ଡ ଟେକି ଛିଡା ହୋଇଛନ୍ତି ଗଣେଶ । କେବେ କାହାର ଦୟାର ପାତ୍ର ହୋଇନାହାଁନ୍ତି । ଏପରି କି ନିଜ ସହ ନିଜ ବାପା ଏବଂ ସାନ ଭାଇର ସବୁତକ ବୋଝ ବି ସେ ମୁଣ୍ଡାଇଛନ୍ତି । ଖାଲି ସେତିକି ନୁହେଁ ଗାଁକୁ ରାସ୍ତାଟିଏ ନଥିବାରୁ ନିଜେ ତିଆରି କରିଛନ୍ତି ଗାଁକୁ ଯାତାୟତ ପାଇଁ ରାସ୍ତା ।

ଯେଉଁଠି ସୁସ୍ଥସବଳ ଲୋକ ରାସ୍ତାର ଖାଲକୁ ଆଡ଼ ଆଖିରେ ଚାହୁଁନାହାନ୍ତି, ସେଠି ଗାଁର ସମସ୍ୟାକୁ ଅଣଦେଖା କରି ପାରିନାହାଁନ୍ତି ବିଦ୍ୟାଙ୍ଗ ଜଣକ । ତିନି ଚକିଆକୁ ସାଇଡ୍ କରି କେତେବେଳେ ଫାଉଡ଼ାରେ ମାଟି କୋଡୁଛନ୍ତି ତ ଆଉ କେତେବେଳେ ହାତରେ ମାଟି ସାଉଁଟି ରାସ୍ତାର ଖାଲଖମା ପୋତୁଛନ୍ତି । ଏହାର ଭିଡିଓ କେହି ଜଣେ ସୋସିଆଲ ମିଡିଆରେ ଛାଡ଼ିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଦିବ୍ୟାଙ୍ଗଙ୍କ ପାଇଁ ଯେତିକି ପ୍ରଶଂସା ଫୁଟି ଉଠିଛି ତାଠାରୁ ଅଧିକ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ପାଇଁ ଅସନ୍ତୋଷ ପ୍ରକାଶ ପାଉଛି । ଗଣେଶଙ୍କ ଦୁଇଟି ଯାକ ଗୋଡ଼ ପୋଲିଓ ଆକ୍ରାନ୍ତ । ହେଲେ ଯାତାୟାତ ବେଳେ ବିଭିନ୍ନ ସମୟରେ ତାଙ୍କ ପାଇଁ ବାଟ ହୁଡ଼ିଥାଏ ଗାଁର ଶୋଚନୀୟ ରାସ୍ତା। ଖାଲଖମାରେ ଭରା ଯୋରପଡ଼ାରୁ କେରମୁଣ୍ଡା ରାସ୍ତାରେ ଯିବାଆସିବା ବେଳେ ଏକାଧିକଥର ସେ ଟ୍ରାଇସାଇକେଲରୁ ଖସିପଡିଛନ୍ତି । ଉକ୍ତ ରାସ୍ତା ମରାମତି ପାଇଁ ପୂର୍ବରୁ ଅନେକଥର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଗୁହାରି କରିଛନ୍ତି । ଏମିତିକି ଧର୍ମଗଡ଼ ବ୍ଳକ୍‌ କାର୍ଯ୍ୟାଳୟକୁ ମଧ୍ୟ ଯାଇ କେରମୁଣ୍ଡା ଗାଁ ରାସ୍ତାର ମରାମତି ପାଇଁ ସରକାରୀ ବାବୁମାନଙ୍କୁ ଅନୁରୋଧ କରିଛନ୍ତି । କିନ୍ତୁ କୌଣସି ସୁଫଳମିଳିନାହିଁ ।

କେରମୁଣ୍ଡା ଗାଁର ପ୍ରାୟ ଶହେ ପରିବାର ଏହି ରାସ୍ତା ଉପରେ ନିର୍ଭର କରନ୍ତି । କେରମୁଣ୍ଡାରୁ ଏହି ରାସ୍ତା ଦେଇ ଗୋଲାମୁଣ୍ଡାକୁ ମାତ୍ର ୧୦ କିମି ପଡୁଥିବା ବେଳେ ବୃନ୍ଦାବାହାଲକୁ ୪ କିମି ପଡିଥାଏ । ଲୋକେ ଦୈନନ୍ଦିନ କାମରେ ଏହି ରାସ୍ତା ଦେଇ ଯାତାୟାତ କରନ୍ତି । ହେଲେ ରାସ୍ତାର ଅବସ୍ଥା ଖରାପ ଥିବାରୁ ପ୍ରାୟତଃ ଛୋଟବଡ଼ ଦୁର୍ଘଟଣାର ଶିକାର ହୋଇଥାନ୍ତି ଲୋକେ । ତେବେ ଗଣେଶଙ୍କ କଥା କେହି ନଶୁଣିବା ପରେ ଆଉ କାହାକୁ ଅପକ୍ଷା କରି ନଥିଲେ ।

ଟ୍ରାଇସାଇକେଲକୁ ସାଇଡ୍ କରି ଫାଉଡ଼ା ଧରି ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ମରାମତି କରିବା ଆରମ୍ଭ କରିଥିଲେ । ତାଙ୍କୁ ଏଭଳି ରାସ୍ତା ମରାମତି କରୁଥିବା ଦେଖି ଅଞ୍ଚଳର ଜଣେ ଯୁବକ ଭିଡିଓ ଉତ୍ତୋଳନ କରିବା ସହ ଭିଡିଓକୁ ସୋସିଆଲ୍ ମିଡିଆରେ ମଧ୍ୟ ଛାଡିଥିଲେ । ଘଟଣାଟି କେବଳ ଦିବ୍ୟାଙ୍ଗ ଗଣେଶଙ୍କ ଦୃଢ଼ ମନୋବଳକୁ ପରିପ୍ରକାଶ କରୁନାହିଁ, ବରଂ ଲୋକଙ୍କ ମୌଳିକ ସୁବିଧା ଯୋଗାଇବା ଦିଗରେ ସରକାରୀ ଉଦାସୀନତାର ତୀବ୍ର କଟାକ୍ଷ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated :Sep 25, 2022, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.