ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଲୋକେ, ଆନ୍ଦୋଳନକୁ ଓହ୍ଲାଇଲା CPI (ML)

author img

By

Published : Sep 24, 2022, 1:06 PM IST

ସିପିଆଇ (ଏମଏଲ) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କଳାହାଣ୍ଡି ସିପିଆଇ (ଏମଏଲ) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ସିପିଆଇ (ଏମଏଲ) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ଶୁକ୍ରବାର ମଧ୍ୟ ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହେଉଥିବା ଅଭିଯୋଗ କରିଛି ସିପିଆଇ (ଏମଏଲ) । ଏଭଳି ଅନେକ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ସିପିଆଇ (ଏମଏଲ) ।

ସିପିଆଇ (ଏମଏଲ) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ସିପିଆଇ (ଏମଏଲ)ର ଅଭିଯୋଗ ଅନୁଯାୟୀ ଜିଲ୍ଲାର ଅନେକ ଆଦିବାସୀ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ନଥିବା ବେଳେ ଯେଉଁ କିଛି ଅଞ୍ଚଳରେ ଲୋକେ ଯୋଜନା ପାଇଛନ୍ତି ସେଠି ଲୋକଙ୍କୁ ଗୃହ ନିର୍ମାଣ ପାଇଁ ଟଙ୍କା ମିଳିପାରିନାହିଁ । ଏହା ସହିତ ଆଜି ମଧ୍ୟ ଅପହଞ୍ଚ ଇଲାକାର ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଗମନାଗମନର ବ୍ୟବସ୍ଥା ନଥିବା କାରଣରୁ ଅନେକ ସମୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଖଟିଆରେ ରୋଗୀକୁ ବୋହି ନେଉଛନ୍ତି । ହେଲେ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସିପିଆଇ (ଏମଏଲ)ର କଳାହାଣ୍ଡି ସମ୍ପାଦକ କେଶବ ପ୍ରଧାନ ।

ଦୀର୍ଘ ଦିନରୁ କଳାହାଣ୍ଡି ଜିଲ୍ଲାବାସୀଙ୍କ ଦାବି ହୋଇ ଆସୁଥିବା ନର୍ଲା ରେଳ ମରାମତି କାରଖାନା ମଧ୍ୟ ଆରମ୍ଭ ହୋଇ ପାରିନାହିଁ । ରେଳ ମରାମତି କାରଖାନା ହେଲେ ଜିଲ୍ଲାର ଅନେକ ଲୋକ ରୋଜଗାର ମଧ୍ୟ ପାଇ ପାରିବେ । ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ତାହା ମଧ୍ୟ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଇଛି ବୋଲି କହିଛି ସିପିଆଇ (ଏମଏଲ) । ତେବେ ଏନେଇ ଶୁକ୍ରବାର ଜିଲ୍ଲା ସିପିଆଇ (ଏମଏଲ) ପକ୍ଷରୁ ଭବାନୀପାଟଣା କଲେଜ ଛକ ଠାରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ବାହାରିଥିଲା । ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.