ବାଉଁଶ ବଣର ଦେବୀ ମା’ ଡୋକରୀଙ୍କ ବିଜୟ ଦଶମୀ ସମ୍ପନ୍ନ

author img

By

Published : Oct 15, 2021, 9:02 PM IST

ବାଉଁଶ ବଣର ଦେବୀ ମାଁ ଡୋକରୀଙ୍କ ବିଜୟ ଦଶମୀ ସମ୍ପନ୍ନ

ବାଉଁଶ ବଣର ଦେବୀ ମା' ଡୋକରୀ । ଶହ ଶହ ବର୍ଷ ଧରି ଗଙ୍ଗ ବଂଶ ଓ ନାଗ ବଂଶର ଉତ୍ତରାଧିକାରୀଙ୍କ ଦ୍ଵାରା ପୂଜା ପାଇ ଆସୁଛନ୍ତି ଦେବୀ ମା' । ଅଧିକ ପଢ଼ନ୍ତୁ...

ଭବାନୀପାଟଣା: ବାଉଁଶ ବଣର ଦେବୀ ମା' ଡୋକରୀ । ଶହ ଶହ ବର୍ଷ ଧରି ଗଙ୍ଗ ବଂଶ ଓ ନାଗ ବଂଶର ଉତ୍ତରାଧିକାରୀଙ୍କ ଦ୍ଵାରା ପୂଜା ପାଇ ଆସୁଛନ୍ତି ଦେବୀ ମା' । ଏହି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜା ପାଉଛନ୍ତି ବାଉଁଶ ବଣର ଦେବୀ ମାଁ ଡୋକରୀ । ମା'ଙ୍କ ନିକଟରେ ଆଜି ବିଜୟା ଦଶମୀ ପୂଜାର୍ଚ୍ଚନା ଶେଷ ହୋଇଛି ।

ବାଉଁଶ ବଣର ଦେବୀ ମାଁ ଡୋକରୀଙ୍କ ବିଜୟ ଦଶମୀ ସମ୍ପନ୍ନ
ଜୟପାଟଣାର ପୂର୍ବରେ ଅବସ୍ଥିତ ଉଦୟଗିରି ପାହାଡ଼ ସ୍ଥିତ ତାଳଗୁଡ଼ ଗ୍ରାମରେ ମା'ଙ୍କ ମନ୍ଦିର । ପ୍ରାକୃତିକ ପରିବେଶରେ ଐତିହାସିକ ପୃଷ୍ଟଭୂମୀରେ ଦେବୀ ମା'ଙ୍କ ମନ୍ଦିର । ବନଦୁର୍ଗା ମନ୍ତ୍ରରେ ଷୋଡ଼ଶ ଉପଚାରରେ ପୂଜା ପାଉଥିବା ମା' ଡୋକରୀଙ୍କ ଶାରଦୀୟ ନବରାତ୍ରୀ ପୂଜା ଆଶ୍ୱିନ ମାସ ପ୍ରତିପଦାରୁ ଆରମ୍ଭ ହୋଇ ମହାନବମୀ ପର୍ଯ୍ୟନ୍ତ ଚାଲିଥାଏ । ମହାଳୟା ମଧ୍ୟରାତ୍ରିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ମାଟି ଆଣି ପ୍ରତିପଦାରେ ମାଙ୍କ ମସ୍ତକ ରୋପଣ କରାଯାଏ । ଏହାପରେ ମା'ଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଏ । ମା' ଡୋକରୀ ଦକ୍ଷିଣକାଳୀ ଭାବରେ ପୂଜା ପାଆନ୍ତି । ପାଇକ ସମ୍ପ୍ରଦାୟର ପୂଜକମାନେ ମା'ଙ୍କ ନିୟମିତ ଭାବରେ ପୂଜା କରି ଆସୁଥିବା ବେଳେ ନବରାତ୍ରୀ ସମୟରେ ବନଦୁର୍ଗା ମନ୍ତ୍ରରେ ଷୋଡ଼ଶ ଉପଚାରରେ ବ୍ରାହ୍ମଣ ମାନେପୂଜା କରିଥାଆନ୍ତି । ମନ୍ଦିର ପରିଚାଳନା ଦାୟିତ୍ବ ମହୁଳପାଟଣା ଜମିଦାରଙ୍କ ହାତରେ ରହିଛି । ୧୧ ବର୍ଷ ହେଲା ରଘୁବୀର ପ୍ରତାପଦେଓ ଜମିଦାର ଭାବରେ ମା'ଙ୍କ ପୂଜାର୍ଚ୍ଚନାରେ ସାମିଲ ହେଉଛନ୍ତି ।

ଅଷ୍ଟମୀ ମଧ୍ୟରାତ୍ରିରେ ମା'ଙ୍କୁ ମାନସିକଧାରୀମାନେ ଛାଗଲ ବଳି ଅର୍ପଣ କରନ୍ତି । ମହାଷ୍ଟମୀ ଯାତ୍ରା ପାଇଁ ବାନେର ସ୍ଥିତ ମା' ବୁଢ଼ୀ ପଦରେନଙ୍କ ସମେତ ଜୟପାଟଣା, ପିପଲଗୁଡା, ଖାଲିଆଭଟା, ପ୍ରତାପପୁର, କରଞ୍ଜିଗୁଡା, ଗହିପାଣି ଆଦି ସ୍ଥାନ ଦେଇ ଦେବୀ ମା'ଙ୍କର ପ୍ରତୀକ ଲାଠି ଆସିଥାଏ । ପ୍ରାୟ ୧୮ କିଲୋମିଟର ରାସ୍ତା ଅତିକ୍ରମ କରି ମା' ଡୋକରୀଙ୍କ ଅଷ୍ଟମୀ ପୂଜାରେ ଏହି ଲାଠି ମା'ଙ୍କ ପୂଜାରେ ବ୍ୟବହାର ହୁଏ ।

ଲାଠିଯାତ୍ରା ସମୟରେ ହଜାର ହଜାର ଶ୍ରଦ୍ଧାଳୁ ରାସ୍ତାର ଉଭୟ ପାର୍ଶ୍ଵରେ ରହି ମା'ଙ୍କୁ ଭକ୍ତି ଅର୍ଘ୍ୟ ଦେଇଥାନ୍ତି । ମହନବମୀ ପୂଜା ପରେ ମାଁଙ୍କ ଦଶମୀ ତିଥିରେ ଅନ୍ତିମ ପୂଜା ହୁଏ । ଏହାପରେ ଦହି ଅନ୍ନ ଲାଗି ହୁଏ । ଦେବୀ ମା'ଙ୍କ ରୋପିତ ମସ୍ତକକୁ ବିସର୍ଜନ କଲାପରେ ମନ୍ଦିର ୯ ଦିନ ପାଇଁ କଣ୍ଟାବାଡ଼ ଦିଆଯାଇଥାଏ । ୯ ଦିନର ଅଣସର ପରେ ମାଁ ପୁନର୍ବାର ପୂଜା ପାଇଥାନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.