20 ଦିନ ହେଲାଣି ଧାରଣାରେ ସାହାଜବାହାଲ ଗ୍ରାମବାସୀ

20 ଦିନ ହେଲାଣି ଧାରଣାରେ ସାହାଜବାହାଲ ଗ୍ରାମବାସୀ
ଧାରଣାରେ ସାହାଜବାହାଲ ଗ୍ରାମବାସୀ । ଦାବି ପୂରଣ ନହେବା ଯାଏଁ ହେବ ନାହିଁ ପ୍ରତ୍ୟାହୃତ । ଅଧିକ ପଢ଼ନ୍ତୁ
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସାହାଜବାହାଲ ସ୍ଥିତ ଜେଏସଡବ୍ଲ୍ୟୁ କମ୍ପାନୀ ସମ୍ମୁଖରେ ୪ ଦଫା ଦାବି ନେଇ ଧାରଣାରେ ବସିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଏହି ଧାରଣାକୁ 20 ଦିନ ବିତି ଗଲାଣି । ତଥାପି ସମାଧାନର ବାଟ ବାହାରି ନାହିଁ । ଫଳରେ ଗ୍ରାମବାସୀ ସେମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରଖିଛନ୍ତି । ଲଖନପୁର ବ୍ଲକ ସାହାଜବାହାଲ ସ୍ଥିତ ଇଣ୍ଡଭାରତଏନର୍ଜି (ଉତ୍କଳ) ନିଃ (ଆଇବିୟୁଏଲ) 2017ରେ ବନ୍ଦ ହୋଇଥିଲା । ତେବେ ଏନସିଏଲଟି ଜରିଆରେ ଜେଏସଡ଼ବ୍ଲ୍ୟୁ କମ୍ପାନୀ 25 ଜୁଲାଇ 2022ରେ ଅଧିଗ୍ରହଣ କରିବାପରେ ସ୍ଥାନୀୟ ଲୋକେ 4 ଦଫା ଦାବି ନେଇ ଗତ 5 ତାରିଖରୁ କମ୍ପାନୀ ସମ୍ମୁଖରେ ଧାରଣା ଦେଇଛନ୍ତି ।
ଧାରଣାରେ ଜେଏସଡବ୍ଲ୍ୟୁ କମ୍ପାନୀରେ ଜମିହରା ଗ୍ରାମବାସୀଙ୍କୁ ସ୍ଥାୟୀ ନିଯୁକ୍ତି, ନିଯୁକ୍ତିରୁ ବଞ୍ଚିତ ଥିବା ଜମିହରା ଗ୍ରାମବାସୀଙ୍କୁ ଭରଣପୋଷଣ ପାଇଁ ମାସିକିଆ ଭତ୍ତା ପ୍ରଦାନ, ଗ୍ରାମବାସୀ ଓ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଯୋଗ୍ୟତା ଭିତ୍ତିରେ ସ୍ଥାୟୀ ନିଯୁକ୍ତି ପ୍ରଦାନ, ସ୍ଥାନୀୟ ଠିକାଦାର ଓ ସପ୍ଲାୟରମାନଙ୍କ ବକେୟା ଟଙ୍କା ପ୍ରଦାନ ସହ କର୍ମ ସଂସ୍ଥାନରେ ଅଗ୍ରାଧିକାର ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଯେତେଦିନ ପର୍ଯ୍ୟନ୍ତ କମ୍ପାନୀ କର୍ତ୍ତୃପକ୍ଷ ଏହି ଦାବି ପୂରଣ ନକରିବେ ସେତେ ଦିନ ଯାଏଁ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି ।
ଏନେଇ ଝାରସୁଗୁଡା ଉପଜିଲ୍ଲାପାଳ କହିଛନ୍ତି ଜିଲ୍ଲା ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଏ ସମ୍ପର୍କରେ ଅନେକଥର ଆଲୋଚନା ହୋଇଛି । ତଥାପି କୌଣସି ନିଷ୍କର୍ସ ବାହାରି ନାହିଁ । ତେଣୁ ଗ୍ରାମବାସୀଙ୍କ ଦାବିଗୁଡିକୁ ଜେଏସଡବ୍ଲ୍ୟୁ କମ୍ପାନୀର କର୍ତ୍ତୃପକ୍ଷଙ୍କୁ ଜଣାଯାଇଛି । ସେଠାରୁ ଆସିଲା ପରେ ପୁଣି ଗ୍ରାମବାସୀଙ୍କ ସହ ଆଲୋଚନା କରାଯିବ ।
ସୂଚନାନୁସାରେ ଗତ ୭.୨.୨୦୦୯ ତାରିଖରେ ହାଇଦ୍ରାବାଦର ଏକ କମ୍ପାନୀ ଇଣ୍ଡ ଭାରତ ଏନର୍ଜି (ଉତ୍କଳ) ଲିଂ ସହିତ ରାଜ୍ୟସରକାର ୩୧୫୦ କୋଟି ବ୍ୟୟ ଅଟକଳରେ ୭ଶହ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ପାଇଁ ଏମଓୟୁ କରିଥିଲେ । ତେବେ ଭାରତ ଏନର୍ଜି କମ୍ପାନୀ ଲୋକଙ୍କ ଜମି ଅଧିଗ୍ରହଣ କରିବା ସହ କମ୍ପାନୀ ତିଆରି କରିବା ପରିଚାଳନା କରିନପାରି ୨୦୧୭ ଅକ୍ଟୋବର ମାସରେ କମ୍ପାନୀରେ ତାଲା ପକାଇଥିଲା ।
ସେହି ସମୟରେ IBEUL କମ୍ପାନୀ ପାଇଁ ମୋଟ ୭ ଶହ ଏକର ଜମି ଅଧଗ୍ରହଣ କରିଥିଲା । ତନ୍ମଧ୍ୟରୁ ୫୩୨ ଏକର ଘରୋଇ ଜମି ରହିଥିଲା । ମୋଟ ୧୭୯୦ଜଣ କାରଖାନାରେ ଚାକିରି କରୁଥିବା ବେଳେ ୩୪୫ ଜଣ ସ୍ଥାନୀୟ ଲୋକ ବିଶେଷ ଭାବରେ ୧୮୯ ଜଣ କେବଳ ସାହାଜବାହାଲର ଜମିହରାମାନେ ଚାକିରି କରୁଥିଲେ । ତେବେ ରାତାରାତି କାରଖାନା ବନ୍ଦ ହେଇ ଯିବାରୁ ଏହି ଶ୍ରମିକମାନେ ଜମି ହରାଇବା ସହିତ ଚାକିରି ମଧ୍ୟ ହରାଇଲେ। କମ୍ପାନୀ ସିଲ୍ ହେବା ପରେ ନ୍ୟାସନାଲ କମ୍ପାନୀ ଲଟ୍ରିବ୍ୟୁନାଲ (ଏନସି ଏଲଟି) ଜରିଆରେ ୧୦୪୭.୬୦ କୋଟିରେ ଗତ ୨୫ ଜୁଲାଇରେ ଏହାର ମାଲିକାନା ଜେଏସଡବ୍ଲୁ ଏନର୍ଜି ପାଇଛି ।
ଇଟିଭି ଭାରତ, ଝାରସୁଗୁଡ଼ା
