ଏମିତି ଚାଲିଛି ବିକାଶ: ଗୁଜପଡା ଗାଁକୁ ନାହିଁ ରାସ୍ତା, ଯାତାୟତ ପାଇଁ ହୀନସ୍ତା ଲୋକେ

author img

By

Published : Sep 7, 2022, 1:12 PM IST

ଗାଁକୁ ନାହିଁ ରାସ୍ତା, ଝାରସୁଗୁଡ଼ା ପୌରାଞ୍ଚଳ ବିକାଶର ନଗ୍ନ ଚିତ୍ର

ଝାରସୁଗୁଡ଼ା ପୌରାଞ୍ଚଳ ୱାର୍ଡ ନମ୍ବର ୧୫ ଅନ୍ତର୍ଗତ ଗୁଜାପଡା ଗାଁକୁ ନାହିଁ ରାସ୍ତା । ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ ଶୁଣୁନି ପ୍ରଶାସନ । ତେବେ ପ୍ରଶାସନ ଏବଂ ପୌରାଧ୍ୟକ୍ଷାଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବାପାଇଁ ଯଥାଶୀଘ୍ର ଚେଷ୍ଟା କରାଯିବ ବୋଲି କହିଛନ୍ତି କାଉନସିଲର । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ଏବେବି ଅପହଞ୍ଚ ହୋଇ ରହିଛି ଝାରସୁଗୁଡ଼ା ପୌରାଞ୍ଚଳ ୱାର୍ଡ ନମ୍ବର ୧୫ ଅନ୍ତର୍ଗତ ଗୁଜାପଡା ଗାଁ । ଏଯାବତ ଏଠାରେ ଏକ ରାସ୍ତା ଟିଏ ନିର୍ମାଣ ହୋଇପାରି ନାହିଁ । ଏଥିପାଇଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଏବଂ ପୌରାଧ୍ୟକ୍ଷାଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବାପାଇଁ ଯଥାଶୀଘ୍ର ଚେଷ୍ଟା କରାଯିବ ବୋଲି କହିଛନ୍ତି କାଉନସିଲର ।

ଝାରସୁଗୁଡ଼ା ପୌରାଞ୍ଚଳ ବିକାଶର ନଗ୍ନ ଚିତ୍ର

ସରକାର ସବୁ ଅଞ୍ଚଳକୁ ପକ୍କା ରାସ୍ତା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଏହା ଯୋଜନାରେ ହିଁ ରହିଯାଉଥିବା ଦେଖିବାକୁ ମିଳିଛି । ଝାରସୁଗୁଡ଼ା ପୌରାଞ୍ଚଳ ୱାର୍ଡ ନମ୍ବର ୧୫ ଅନ୍ତର୍ଗତ ଗୁଜାପଡା ଗ୍ରାମରେ ଦୀର୍ଘ ୫୦ ବର୍ଷରୁ ୧୫୦ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏଠାକୁ ଏକ ରାସ୍ତା ନିର୍ମାଣ ହୋଇପାରି ନାହିଁ । ତେବେ ଏଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଚିଠୁଆପଡା ପର୍ଯ୍ୟନ୍ତ ପୌରପରିଷଦ ପକ୍ଷରୁ କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି । କିନ୍ତୁ ଚିଠୁଆପଡାରେ ରାସ୍ତା ନିର୍ମାଣ କରି ଛାଡ଼ି ଦିଆଯାଇଥିବା ବେଳେ ଗୁଜାପଡାକୁ ଆଉ ରାସ୍ତା ସଂଯୋଗ ହୋଇନାହିଁ ।

ବର୍ଷାଦିନେ ରାସ୍ତାରେ କାଦୁଅ ହୋଇଯାଉଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଖରେ ପ୍ରାଇମେରୀ ସ୍କୁଲ ଥିବା ବେଳେ ବର୍ଷା ଦିନେ ପିଲାମାନେ ସ୍କୁଲ ଆସି ପାରନ୍ତି ନାହିଁ । ଯେଉଁଥିପାଇଁ ପାଠପଢ଼ାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥାଏ । ଗୁଜାପଡା ଅଞ୍ଚଳବାସୀଙ୍କ ସହିତ ଅନେକ ବାର ଆଲୋଚନା କରି ସ୍କୁଲ ପକ୍ଷରୁ ପ୍ରଶାସନକୁ ଏହି ସମସ୍ୟାର ସମାଧାନ ପାଇଁ ଅବଗତ ମଧ୍ୟ କରାଯାଇଥିବା ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ କହିଛନ୍ତି । ରାସ୍ତା ନଥିବାରୁ ବସ୍ତିକୁ ଆମ୍ବୁଲାନ୍ସ ଟିଏ ମଧ୍ୟ ଆସିପାରେ ନାହିଁ । ରୋଗୀକୁ ପାଖାପାଖି ଗୋଟିଏ କିଲୋମିଟର ଖଟିଆରେ ଲଦି ନିଆଯିବା ପରେ ଆମ୍ବୁଲାନ୍ସରେ ଚିକିତ୍ସାଳୟକୁ ପଠାଯାଏ ।

ଏହାକୁ ନେଇ ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ସୁଦ୍ଧା କୌଣସି ପ୍ରକାର ସହାୟତା ପ୍ରଦାନ କରାଯାଉ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହି ସମସ୍ୟାର ମସାଧାନ ପାଇଁ ଯଥା ଶୀଘ୍ର ଗୁଜାପଡାର ରାସ୍ତା କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ତେବେ ଏନେଇ ଅଞ୍ଚଳର କାଉନସିଲର ଝରଣା ଭୋଇଙ୍କୁ ପଚାରିବାରୁ ସେ ପ୍ରଶାସନ ଏବଂ ପୌରାଧ୍ୟକ୍ଷାଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବାପାଇଁ ଯଥାଶୀଘ୍ର ଚେଷ୍ଟା କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.