କେବେ କାର୍ଯ୍ୟକ୍ଷମ ହେବ ଝାରସୁଗୁଡ଼ା ନୂତନ ବସଷ୍ଟାଣ୍ଡ, ଭୁଲିଗଲେ କି ସରକାର ?

author img

By

Published : May 25, 2023, 3:23 PM IST

ଝାରସୁଗୁଡ଼ା ନୂତନ ବସଷ୍ଟାଣ୍ଡ ଉଦଘାଟନ ବିଳମ୍ବ

କେବେ କାର୍ଯ୍ୟକ୍ଷମ ହେବ ଝାରସୁଗୁଡ଼ା ନୂତନ ବସଷ୍ଟାଣ୍ଡ । ନିର୍ମାଣ କାର୍ଯ୍ୟ ସରିବାର ୨ ବର୍ଷ ବିତିଲାଣି । ହେଲେ କାର୍ଯ୍ୟକ୍ଷମ ହୋଇପାରୁନି । ନିର୍ମାଣ ସାରି ଉଦଘାଟନ କରିବାକୁ ଭୁଲିଗଲେ କି ସରକାର ?

ଝାରସୁଗୁଡ଼ା ନୂତନ ବସଷ୍ଟାଣ୍ଡ ଉଦଘାଟନ ବିଳମ୍ବ

ଝାରସୁଗୁଡା: ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଅର୍ଥର ଅଭାବ ନାହିଁ । ହେଲେ ବିକାଶ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିରହୁଛି । ଜିଲ୍ଲା ଖଣିଜ ପାଣ୍ଠିକୁ ବ୍ୟବହାର କରି ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି । ରାସ୍ତାର ପ୍ରଶସ୍ତିକରଣ ହେଉ କି ଷ୍ଟ୍ରିଟ୍‌ଲାଇଟ ହେଉ, ଝାରସୁଗୁଡ଼ାର ବିକାଶ ପାଇଁ ପ୍ରଚୁର ଅର୍ଥରାଶି ଖର୍ଚ୍ଚ ହେଉଛି । କିନ୍ତୁ ଫଳାଫଳ ଦେଖିଲା ବେଳକୁ ଶୂନ । ଦୁଇ ବର୍ଷ ହେଲା ଉଦଘାଟନ ଅପେକ୍ଷାରେ ଥିବା ସହରର ନବନିର୍ମିତ ବସଷ୍ଟାଣ୍ଡ ଘଟଣାରୁ ଏହା ଅନୁମେୟ । ସହରରେ କୋଟିକୋଟି ଟଙ୍କା ବ୍ୟୟରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇଛି । ହେଲେ ନିର୍ମାଣ କାର୍ଯ୍ୟକୁ ୨ ବର୍ଷ ବିତିଥିଲେ ବି ଅଦ୍ୟାବିଧି କାର୍ଯ୍ୟକ୍ଷମ ହୋଇପାରୁନି । ଯେମିତି ମନେ ହେଉଛି ଏହାର ନିର୍ମାଣ ସାରି ଉଦଘାଟନ କରିବାକୁ ଭୁଲି ଯାଇଛନ୍ତି ସରକାର ।

ଝାରସୁଗୁଡ଼ାରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଛି । ଏହାରି ସହିତ ସହରରେ ଟ୍ରାଫିକ ସମସ୍ୟା ବଢ଼ିଚାଲିଛି । ଝାରସୁଗୁଡ଼ା ଅତି ଛୋଟ ସହର ହୋଇଥିବାରୁ ବଡ଼ ଗାଡ଼ି ଚଳାଚଳ ପାଇଁ ବାରଣ କରାଯାଇଛି । ସହରର ମଝିରେ ରହିଛି ପୁରୁଣା ବସଷ୍ଟାଣ୍ଡ । ତାହା ପୁଣି ରେଳବାଇ ଜମିରେ । କେତେବେଳେ ଯେ, ରେଳ ବିଭାଗ ଏହାକୁ ଉଚ୍ଛେଦ କରିବ ତାହା କାହାକୁ ଜଣାନାହିଁ । ଏଭଳି ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ାର ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଚିନ୍ତା କରିଥିଲେ ସ୍ବର୍ଗତ ବିଜେଡି ନେତାା ନବ ଦାସ ଏବଂ ନାନା ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ । ସେଥିମଧ୍ୟରେ ରହିଥିଲା ଝାରସୁଗୁଡ଼ାର ନୂତନ ବସଷ୍ଟାଣ୍ଡ ।

ଲୋକଙ୍କୁ ସୁବିଧା ପାଇଁ ସହରର ବାଲିଜୋରି ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିବା ରାସ୍ତାରେ ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ସ୍ଥିର ହୋଇଥିଲା । ପ୍ରାୟ ୭କୋଟି ୮୮ ଲକ୍ଷ ୧୦ହଜାର ଟଙ୍କା ବ୍ୟୟ ଅଟକଳରେ ୨୦୧୮ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ଠିକ୍ ଦୁଇ ବର୍ଷ ପରେ ୨୦୨୦ରେ ନିର୍ମାଣ ଶେଷ ହୋଇଥିଲା । ଏହାପରେ ରେଳବାଇ ଜମିରେ ଥିବା ପୁରୁଣା ବସଷ୍ଟାଣ୍ଡକୁ ଏଠାକୁ ସ୍ଥାନ୍ତାନ୍ତର କରିବାର ପାଇଁ ନିଷ୍ପତ୍ତି ନିଆଗଲା । ପରବର୍ତ୍ତୀ ସମୟରେ ସ୍ଥାନୀୟ ଉଠା ଦୋକାନୀଙ୍କ ବିରୋଧ ଯୋଗୁଁ ପୁରୁଣା ବସଷ୍ଟାଣ୍ଡକୁ ସିଟି ବସଷ୍ଟାଣ୍ଡ କରିବା ପାଇଁ ଯୋଜନା କରାଯାଇଥିଲା ଓ ନୂଆ ବସଷ୍ଟାଣ୍ଡ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ତତ୍ପରତା ପ୍ରକାଶ ପାଇଲା । ମୁଖ୍ୟମନ୍ତ୍ରୀ ଖୋଦ୍ ଏହାର ଉଦଘାଟନ କରିବାର ଥିଲା । କିନ୍ତୁ ପ୍ରଥମେ କୋଭିଡ ମାଡ଼ ଏବଂ ପରବର୍ତ୍ତୀ ସମୟରେ ନବ ଦାସଙ୍କୁ ହତ୍ୟା କରାଯିବା ଫଳରେ ବର୍ତ୍ତମାନ ଏହାର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏନେଇ ସ୍ଥାନୀୟ ବରିଷ୍ଠ ବିଜେଡି ନେତା ସନ୍ଦିପ ଅୱସ୍ଥି କହିଛନ୍ତି, ''ରାଜ୍ୟ ସରକାର କଦାପି ଝାରସୁଗୁଡ଼ାକୁ ଅଣଦେଖା କରିନାହାନ୍ତି । ଏହି ଦିଗରେ ତାଙ୍କର ଦୃଷ୍ଟି ରହିଛି । ଯଥାଶୀଘ୍ର ବସଷ୍ଟାଣ୍ଡ ଆରମ୍ଭ ହେବ ବୋଲି ଆଶା ।" ତ୍ରିନାଥ ଗୁଆଲ ନାମକ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ବସଷ୍ଟାଣ୍ଡ ନିର୍ମାଣ ହେବା ପରେ ଏହାକୁ କାର୍ଯ୍ୟକ୍ଷମ କରିବା ବିଳମ୍ବ ହେଉଛି । ଏ ସମ୍ପର୍କରେ ସେ ସ୍ଥାନୀୟ ବିଧାୟକା ତଥା ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ସହ ଆଲୋଚନା କରି ଏହା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ସେପଟେ ବାପାଙ୍କ ସମସ୍ତ ଅଧୁରା ସ୍ବପ୍ନ ପୂରଣ ହେବ ଏବଂ ଅଧାପନ୍ତରିଆ ପଡିଥିବା କାର୍ଯ୍ୟ ସମ୍ପାଦନ ହେବ ବୋଲି କହିଛନ୍ତି ବିଧାୟିକା ଦୀପଳି ଦାସ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.