ରାତି ପାହିଲେ ନୂଆଁଖାଇ, ଚଳଚଞ୍ଚଳ ଝାରସୁଗୁଡା

author img

By

Published : Aug 31, 2022, 5:54 PM IST

nuakhai preparation in jharsuguda

ରାତି ପାହିଲେ ପଶ୍ଚିମ ଓଡ଼ିଶା ପାଳିବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଝାରସୁଗୁଡ଼ା । ନୂଆଁଖାଇ ପର୍ବ ପାଳନ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ରାତି ପାହିଲେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ (agricultural festival nuakhai) ବା ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଝାରସୁଗୁଡ଼ା । ଗତ ଦୁଇ ବର୍ଷ କୋରୋନା ଯୋଗୁଁ ନୂଆଁଖାଇ ପର୍ବ ପାଳନ ଫିକା ପଡ଼ିଥିଲା । ଚଳିତ ବର୍ଷ କୌଣସି କଟକଣା ନଥିବାରୁ ବେଶ ଆଡ଼ମ୍ବର ଭାବେ ଉତ୍ସବ ପାଳନ କରାଯିବ । ଏଥିପାଇଁ ପରିବାରରେ ଖୁସିର ମାହୋଲ ପରିଲଖିତ ହୋଇଛି । ଘର ଲିପା ପୋଛୋ, ସଫା ସୁତୁରାଠାରୁ ଆରମ୍ଭ କରି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ରାତି ପାହିଲେ ନୂଆଁଖାଇ

ଗଣେଶ ପୂଜା ପରଦିନ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାବାସୀ ନୂଆଁ ଖାଇବେ । ଏହିଦିନ ସକାଳୁ ନୂତନ ବସ୍ତ୍ର ପରିଧାନ କରି ଘରେ ଘରେ ପିଠା ପଣା ପ୍ରସ୍ତୁତ ହୋଇଥାଏ । ଜମିରୁ ଉତ୍ପନ ଧାନକୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କୁ ଅର୍ପଣ କରାଯାଏ । ଏହାପରେ ପରିବାରର ବୟୋଜ୍ୟଷ୍ଠ ସଭିଙ୍କୁ ନୂଆଁ ଖାଇବାକୁ ଦେଇଥାନ୍ତି । ଘରେ ତିଆରି ହୋଇଥିବା ବିଭିନ୍ନ ପ୍ରକାର ବ୍ୟଞ୍ଜନକୁ ସଭିଏଁ ମିଳି ମିଶି ଖାଇଥାନ୍ତି । ଏହାପରେ ଆରମ୍ଭ ହୁଏ ଜୁହାର ଭେଟ । ସାନମାନେ ମୁଣ୍ଡିଆ ମାରି ବଡ଼ମାନଙ୍କଠାରୁ ଆଶୀର୍ବାଦ ନେଇଥାନ୍ତି । ଏହା ସାହି ପଡ଼ିଶା ତଥା ଗ୍ରାମରେ ସଭିଙ୍କୁ ନୂଆଁଖାଇ ଜୁହାର ଜଣାଇଥାନ୍ତି । ପଶ୍ଚିମ ଓଡିଶାରେ ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଥାଏ । ନୂଆଁଖାଇ ପରବର୍ତ୍ତୀ ଦିନକୁ ନୂଆଁଖାଇବାସୀ ବା ମିଳନର ପର୍ବ ରୂପେ ପାଳନ କରାଯାଏ । ଘରକୁ କୁଣିଆ ଆସିଲେ ଭୋଜିଭାତ କରି ପରସ୍ପର ମଧ୍ୟରେ ଜୁହାର ଭେଟ ହୋଇଥାନ୍ତି । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରି ନାଚଗୀତରେ ସମସ୍ତେ ମସଗୁଲ ହୋଇଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବଡଖା ତିହାର ନୂଆଁଖାଇ: ଜାଣନ୍ତୁ କ'ଣ ରହିଛି ଏହାର ପରମ୍ପରା ଏବଂ ଇତିହାସ

ମୁଖ୍ୟତଃ ନୂଆଁଖାଇ ପର୍ବ ଏକ ପଶ୍ଚିମ ଓଡିଶାର ଆଦିବାସୀ ପର୍ବ ବୋଲି କୁହାଯାଏ । ବହୁ ପୁରୁଣା ପରମ୍ପରା ବୋଲି ଇତିହାସକାର କୁହନ୍ତି । ଏହା କେବେ ଆରମ୍ଭ ହୋଇଥିଲା କେହି ସ୍ପଷ୍ଟ ଭାବେ କହିପାରନ୍ତି ନାହିଁ । ତେବେ1556 ମସିହାରେ ଚୌହାନ ବଂଶୀୟ ରାଜା ବଳରାମ ଦେବ ସମ୍ବଲପୁରକୁ ନିଜର ରାଜଧାନୀ କରି ହୀରାଖଣ୍ଡ ରାଜ୍ୟ ସ୍ଥପନ କରିବା ପରେ ମା' ସମଲେଶ୍ବରୀଙ୍କୁ ଇଷ୍ଟଦେବୀ ଭାବେ ପୂଜା କରିଥିଲେ । ଏଥିସହ ଆଦିବାସୀଙ୍କ ନୂଆଁଖାଇ ପରମ୍ପରାକୁ ଆପଣାଇ ଥିଲେ । ଏଭଳି ଭାବେ ଆର୍ଯ୍ୟ ଓ ଆଦିବାସୀ ସଂସ୍କୃତିର ସମ୍ମିଶ୍ରଣ ହୋଇଥିଲା । ସମୟ କ୍ରମେ ନୂଆଁଖାଇ ପର୍ବ ପରିମାର୍ଜିତ ହୋଇ ପରିବ୍ୟାପ୍ତ ହୋଇଥିଲା ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.