Mahanadi Water Dispute: ଝାରସୁଗୁଡ଼ାରେ ପହଞ୍ଚିଲା ଟ୍ରିବ୍ୟୁନାଲ ଟିମ, କ୍ଷେତ୍ର ପରିଦର୍ଶନ ଜାରି
Published: May 22, 2023, 3:51 PM

Mahanadi Water Dispute: ଝାରସୁଗୁଡ଼ାରେ ପହଞ୍ଚିଲା ଟ୍ରିବ୍ୟୁନାଲ ଟିମ, କ୍ଷେତ୍ର ପରିଦର୍ଶନ ଜାରି
Published: May 22, 2023, 3:51 PM

ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଜଳ ବିବାଦକୁ ନେଇ ଗଠନ ହୋଇଥିବା ଟ୍ରିବ୍ୟୁନାଲ ଟିମ୍ ଆଜି ସକାଳୁ ଝାରସୁଗୁଡ଼ାରେ ପହଞ୍ଚିଛି । ଏହାପରେ ସେମାନେ ଜିଲ୍ଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ
ଝାରସୁଗୁଡ଼ା: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀକୁ ନେଇ ଲାଗି ରହିଥିବା ଜଳ ବିବାଦ ମାମଲା । ସମ୍ବଲପୁର, ବରଗଡ଼ ପରେ ମହାନଦୀ ଟ୍ରିବୁନାଲ ଟିମ୍ ଆଜି ଝାରସୁଗୁଡ଼ା ଜିଲ୍ଲାର ରମପେଲା ସେତୁ ଦେଇ ଓପିଜିସି ଇନ୍ଟେକ ପଏଣ୍ଟ ସମେତ ଓପିଜିସି ତାପଜ ବିଦ୍ୟୁତ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ପରେ ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଟ୍ରିବ୍ୟୁନାଲ ଟିମ୍ ଜିଲ୍ଲାରେ ପହଞ୍ଚି ମହାନଦୀ ଜଳକୁ କେଉଁ ଶିଳ୍ପ ସଂସ୍ଥା କେତେ ମହାନଦୀର ଜଳକୁ ବ୍ୟବହାର କରୁଛି ତାହାର ଅନୁଧ୍ୟାନ କରିଛନ୍ତି ।
ମହାନଦୀ ଜଳ ବିବାଦ ମାମଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଥିବା ଏହି ଟିମ୍ ପୂର୍ବରୁ ପ୍ରଥମ ଦିନରେ ହୀରାକୁଦ ଡ୍ୟାମ୍, ବୁର୍ଲା ପାୱାର ହାଉସ୍ର ସ୍ଥିତି ଅନୁଧ୍ୟାନ କରିବା ପରେ ଗତକାଲି ଚିପିଲିମା ଓ ବରଗଡ଼ର ମୁଖ୍ୟ କେନାଲ ପରିଦର୍ଶନ କରିଥିଲେ । ଏହି ଟିମ୍ରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏଏମ ଖନୱାଲିଙ୍କ ନେତୃତ୍ଵରେ ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟ ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କ ସମେତ ରେଜିଷ୍ଟ୍ରାର ଓ ୨ଜଣ ଅଧିକାରୀ ସାମିଲ ରହିଛନ୍ତି ।
ତେବେ ସେମାନେ ଆଜି ସକାଳୁ ଝାରସୁଗୁଡ଼ା ଜିଲ୍ଲାରେ ପହଞ୍ଚି ମହାନଦୀ ଜଳକୁ କେଉଁ ଶିଳ୍ପ ସଂସ୍ଥା କେତେ ମହାନଦୀର ଜଳକୁ ବ୍ୟବହାର କରୁଛି ତାହାର ଅନୁଧ୍ୟାନ କରିଥିଲେ । ଆଜି ମଧ୍ୟାହ୍ନରେ ଝାରସୁଗୁଡ଼ାର ଅରଚାର୍ଡ ହୋଟେଲରେ ଭୋଜନ କରିବା ପରେ ସୁନ୍ଦରଗଡ଼ ଅଭିମୁଖେ ଯାତ୍ରା କରି ମହାନଦୀ ଜଳ ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି । ଏହି ଟ୍ରିବୁନାଲ ଦଳରେ ବିଚାରପତି ଏଏମ ଖନୱାଲିଙ୍କ ନେତୃତ୍ବରେ ଆସିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାପାଳ, ଝାରସୁଗୁଡ଼ା ଏସ୍ପି, ସମ୍ବଲପୁର RDCଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।
ଟ୍ରିବ୍ୟୁନାଲ ଟିମ୍ ସ୍ଥିତି ଅନୁଧ୍ୟାନ କରି ଯେଉଁ ରିପୋର୍ଟ ଦେବ ତାହାର ତଥ୍ୟ ଗୁରୁତ୍ବପୂର୍ଣ୍ଣ ହେବ । ଆସନ୍ତାକାଲି ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଟିମ୍ ଏହି ସର୍ଭେ କରିବ । ସୂଚନା ଥାଉ କି ଛତିଶଗଡ଼ରୁ ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ମହାନଦୀ ଉପରେ ଓଡ଼ିଶା ୧୯୪୭ ମସିହାରୁ ସମ୍ବଲପୁର ଜିଲ୍ଲାରେ ହୀରାକୁଦ ନଦୀବନ୍ଧ କାମ ଆରମ୍ଭ କରିଥିବା ବେଳେ ଏହା ୧୯୫୩ ମସିହାରୁ କାର୍ଯ୍ୟକାରୀ ହୋଇଥିଲା । ଏହି ନଦୀବନ୍ଧରେ ୧୯୫୩ରୁ ଆଜି ପର୍ଯ୍ୟନ୍ତ ବହୁ ଚାଷୀ କେନାଲ ପାଣି ଜରିଆରେ ଚାଷକାମ କରି ଉପକୃତ ହୋଇଆସୁଥିବା ବେଳେ କିଛି ବର୍ଷ ହେଲା ଛତିଶଗଡ଼ ଉପରମୁଣ୍ଡରେ ମହାନଦୀ ପାଣିକୁ ବାନ୍ଧି ଅଟକାଇ ରଖିଛି । ଫଳରେ ଓଡ଼ିଶାର ହୀରାକୁଦ ଜଳ ଭଣ୍ଡାରରେ ଗ୍ରୀଷ୍ମ ଋତୁରେ ନଦୀପାଣିର ଘୋର ସମସ୍ୟା ଦେଖାଦେଉଛି । ଯାହା ଫଳରେ ଓଡ଼ିଶାରେ ବିଜୁଳି ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ ସମସ୍ୟା ଦେଖାଦେଇଛି ।
ଇଟିଭି ଭାରତ, ଝାରସୁଗୁଡ଼ା
