ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଉଦଯାପିତ

author img

By

Published : Jan 19, 2023, 7:34 PM IST

closing Zilla mahotsav

ସରିଲା ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଶେଷ ହେଲା ଚଳିତ ବର୍ଷର ଜିଲ୍ଲା ମହୋତ୍ସବ । ଅଧିକ ପଢ଼ନ୍ତୁ

ସରିଲା ଦୁଲଦୁଲି

ଝାରସୁଗୁଡ଼ା : ସରିଲା ଦୁଲଦୁଲି ମହୋତ୍ସବ । ସଂସ୍କୃତି ପରମ୍ପରାକୁ ନେଇ ସମୃଦ୍ଧ ଝାଡ଼ସୁଗୁଡ଼ାରେ ଜିଲ୍ଲା ମହୋତ୍ସବ ଦୁଲଦୁଲି ଏକ ନିଆରା ପରିଚୟ ସୃଷ୍ଟି କରିଛି । ଜନମାନସରେ, କଳା ସଂସ୍କୃତିପ୍ରେମୀ ଝାରସୁଗୁଡ଼ାବାସୀଙ୍କ ପ୍ରଚୁର ଭଲ ପାଇବା ଏହା ହିଁ ପ୍ରମାଣ କରୁଛି ବୋଲି ୫ମ ତଥା ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି କହିଥିଲେ । ଏହି ମେଳା ମାଧ୍ୟମରେ କେବଳ ଜିଲ୍ଲାର ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରର କୁଶଳୀ କାରୀଗରଙ୍କ କୁଟୀର ଶିଳ୍ପଜାତ ଦ୍ରବ୍ୟର ପ୍ରଦର୍ଶନ ମହୋତ୍ସବକୁ ଅଧିକ ସରସ ସୁନ୍ଦର କରିଛି । ଏହି ଅବସରରେ ଫୁଟବଲ ଖେଳାଳୀ ଟଙ୍କଧର ବାଗ ଓ ଚିତ୍ରଶିଳ୍ପୀ ଶରତ କ୍ଷତ୍ରୀଙ୍କୁ ଓରମାସ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଓରମାସ ଅଧିକାରୀ ଭାଗ୍ୟଲଷ୍ମୀ ରାଉତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଚଳିତ ବର୍ଷ ପଲ୍ଲୀଶ୍ରୀ ମେଳାରେ ପ୍ରାୟ ୬୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ଲଖାନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁ, ବ୍ରଜରାଜନଗର ପୌରପରିଷଦ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମ, ବେଳପାହାଡ଼ ପୌରାଧ୍ୟକ୍ଷ ନିମାଇଁଚରଣ ପଣ୍ଡା, ଓପିଜିସିର ଭାଇସ ପ୍ରେସିଡେଣ୍ଟ ଏନ୍ଏମ୍ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଆନନ୍ଦିନୀ ପାଢ଼ୀ ସ୍ୱାଗତ ଭାଷଣ ଓ ତାପସ ରାୟ ଚୌଧୁରୀ ଧନ୍ୟବାଦ ଦେଇଥିଲେ । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

କୋରୋନା କଟକଣାର ଦୁଇ ବର୍ଷ ପରେ ଝାରସୁଗୁଡାରେ ଜିଲ୍ଲା ଲୋକ ମହୋତ୍ସବ ଦୁଲଦୁଲି ଆୟୋଜିତ ହୋଇଥିଲା । ଗତକାଲି(ବୁଧବାର) ଏହି ମହୋତ୍ସବର ଶେଷ ସନ୍ଧ୍ୟା ଥିଲା । ଚଳିତ ବର୍ଷ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ପାଇଁ ୧୮୦ଟି ଷ୍ଟଲ, ଦୁଲଦୁଲିର ଫେନସି ଦୋକାନ ପାଇଁ ୧୦୬ଟି ଷ୍ଟଲ୍‌, ୫୦ଟି ଖାଦ୍ୟପେୟ ଷ୍ଟଲ୍‌, କୃଷି ଓ କୃଷି ଯାନ୍ତ୍ରୀକରଣର ୬୦ଟି ଷ୍ଟଲ୍‌ ଇତ୍ୟାଦି ମୋଟ ୩୯୬ଟି ଷ୍ଟଲ୍‌ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାର ସମସ୍ତ ସରକାରୀ ବିଭାଗ ସହିତ ହସ୍ତତନ୍ତ, SHG ଗ୍ରୁପ ଏହି ମେଳାରେ ନିଜନିଜ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇଥିଲେ । ଏଠାରେ ପଲ୍ଲୀଶ୍ରୀ ମେଳା, କୃଷି ମେଳା, ମୀନାବଜାର ଓ ଖାଦ୍ୟ ଷ୍ଟଲଗୁଡ଼ିକ ବେଶ ଆକର୍ଷଣୀୟ ହୋଇଥିଲା । ଯାହାର ଆନନ୍ଦ ଉଠାଇଥିଲ ଦର୍ଶକ ।

ଏ ସମ୍ପର୍କରେ ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି "ଏଥର ଦୁଲଦୁଲି ମହୋତ୍ସବର ସ୍ବତନ୍ତ୍ରତା ଥିଲା ହକି ବିଶ୍ବକପ । ଯେତେବେଳେ ଏହି ଟୁର୍ଣ୍ଣାମେଣ୍ଟ ରାଜ୍ୟର ୨ଟି ନଗରୀରେ ଅନୁଷ୍ଠିତ ହେଉଛି ସେତେବେଳେ ଏହି ଦୁଲଦୁଲି ମହୋତ୍ସବ ଅନୁଷ୍ଠିତ ହେଉଛି । ସାରା ରାଜ୍ୟ ଏବେ ଉତ୍ସବମୁଖର । ସେହି ସମୟରେ ବିଭିନ୍ନ ଜିଲ୍ଲାରେ ସାଂସ୍କୃତିକ ମହୋତ୍ସବର ଆୟୋଜନ ହୋଇଛି । ତାର ଅଂଶ ସ୍ବରୂପ ହେଉଛି ଝାରସୁଗୁଡ଼ା ଜିଲ୍ଲାରେ ଦୁଲଦୁଲି ମହୋତ୍ସବ । ଦୀର୍ଘ ୫ଦିନ ଧରି ଏହି ମହୋତ୍ସବ ଚାଲିଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାଂସ୍କୃତିକ ଦଳ ଏବଂ ରାଜ୍ୟ ବାହାରୁ ଭାଙ୍ଗଡା଼, ବିହୁ ଭଳି ସାଂସ୍କୃତିକ ଦଳ ଏଠି କଳା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି ।"

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.