ଡାକ୍ତର ନଥିବାରୁ ଉପକୃତ ହେଉ ନାହାନ୍ତି ଶ୍ରମିକ, କାମରେ ଆସୁନି ESI ହସ୍ପିଟାଲ
Published: May 24, 2023, 9:02 PM


ଡାକ୍ତର ନଥିବାରୁ ଉପକୃତ ହେଉ ନାହାନ୍ତି ଶ୍ରମିକ, କାମରେ ଆସୁନି ESI ହସ୍ପିଟାଲ
Published: May 24, 2023, 9:02 PM
ଶ୍ରମିକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଇଏସଆଇ ହସ୍ପିଟାଲର ବ୍ୟବସ୍ଥା କରିଛନ୍ତି ସରକାର । ହେଲେ ଶ୍ରମିକଙ୍କ କାମରେ ଆସୁନି ଇଏସଆଇ ହସ୍ପିଟାଲ । ଅଧିକ ପଢ଼ନ୍ତୁ
ଯାଜପୁର: ଶ୍ରମିକଙ୍କର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୋଲା ଯାଇଛି ESI ହସ୍ପିଟାଲ l ମାତ୍ର ସମସ୍ୟା ଘେରରେ ଜୁଝି ହେଉଛି ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଥିବା ESI ହସ୍ପିଟାଲ । ଏହି ଡାକ୍ତରଖାନା ଚାଲିବା ପାଇଁ ସ୍ଥାୟୀ ଘର ନଥିବାରୁ କଳିଙ୍ଗନଗର ସ୍ଥିତ ପଙ୍କପାଳରେ ଏକ ଭଡ଼ା ଘରେ ଚାଲୁଥିବା ଦେଖିବାକୁ ମିଳିଛି l ଏଠାରେ ନା ଅଛନ୍ତି ସ୍ଥାୟୀ ଡାକ୍ତର ନା ପ୍ରଶିକ୍ଷିତ କର୍ମଚାରୀ । ସପ୍ତାହରେ ମାତ୍ର ୩ ଥର ଏଠାକୁ ଡାକ୍ତର ଆସନ୍ତି । କେବଳ ଜଣେ ଡେପୁଟିସନରେ ଆସୁଥିବା ଫାର୍ମାସିଷ୍ଟ ଓ ଜଣେ ଡାକ୍ତରଙ୍କ ଦ୍ୱାରା ଚାଲିଛି ଏହି ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା । ଯାହାକୁ ନେଇ କଳିଙ୍ଗନଗରରେ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରାୟ 15ରୁ ଅଧିକ ଛୋଟ ବଡ଼ ଶିଳ୍ପ କାରଖାନା ରହିଛି । ପ୍ରତ୍ୟେକ ଦିନ ହଜାରହଜାର ଶ୍ରମିକ ଏହି କାରଖାନାରେ କାର୍ଯ୍ୟ କରୁଛନ୍ତି l ତେବେ ଶ୍ରମିକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ କିଛିବର୍ଷ ତଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ପଙ୍କପାଳ ବଙ୍ଗଳା ଛକରେ ଏକ ଭଡାଘରେ ଇଏସଆଇ ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା । କମ ଖର୍ଚ୍ଚରେ ଶ୍ରମିକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି l ସେଥିପାଇଁ ଶ୍ରମିକଙ୍କଠାରୁ ସରକାର ESI ବାବଦକୁ କିଛି ଅର୍ଥ ନେଉଛନ୍ତି । ଶ୍ରମିକମାନେ କାର୍ଯ୍ୟ କରୁଥିବା କାରଖାନା କର୍ତ୍ତୃପକ୍ଷ ପ୍ରତ୍ୟେକ ମାସରେ ଇଏସଆଇ ବାବଦକୁ ଅର୍ଥ ଦରମାରୁ କାଟୁଛନ୍ତି l ମାତ୍ର ଇଏସଆଇ ହସ୍ପିଟାଲର ଅଚଳାବସ୍ଥା ଯୋଗୁଁ ଶ୍ରମିକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
ସରକାରଙ୍କ ପକ୍ଷରୁ ସ୍ଥାୟୀ ଡାକ୍ତର ଓ କର୍ମଚାରୀ ଯୋଗାଇ ଦିଆଯାଇନଥିବାରୁ ଶ୍ରମିକଙ୍କୁ ଚିକିତ୍ସା ମିଳିପାରୁନାହିଁ ବୋଲି ଅଭିଯୋଗ ହୋଇଛି । ଏହି ମେଡିକାଲରେ ଜଣେ ଡାକ୍ତରଙ୍କ ସମେତ ମୋଟ ୭ ଜଣ କର୍ମଚାରୀ ଥିବାବେଳେ ସବୁଦିନ ଆସୁଛନ୍ତି ମାତ୍ର ଦୁଇ ଜଣ କର୍ମଚାରୀ । ଏବେ ଜଣେ ଆଉଟସୋର୍ସ କର୍ମଚାରୀ ଏବଂ ଜଣେ ଆଟେଣ୍ଡାଣ୍ଟରେ ଚାଲିଛି ପୁରା ଡାକ୍ତରଖାନା, ତାହା ପୁଣି ସବୁଦିନ ନୁହେଁ । ଦୀର୍ଘ ଦିନରୁ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଥିଲେ ବି ଏହି ସମସ୍ୟା ପ୍ରତି କୌଣସି ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ । ହସ୍ପିଟାଲରେ ଆବଶ୍ୟକ ଔଷଧ ମଧ୍ୟ ମିଳୁନାହିଁ । ତେବେ ଇଏସଆଇ ବାବଦକୁ ଅର୍ଥ ସରକାର ନେଉଥିଲେ ବି କୌଣସି ସୁଫଳ ମିଳୁନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଏଠାରେ ଏକ ଅତ୍ୟାଧୁନିକ ESI ହସ୍ପିଟାଲ ନିର୍ମାଣ କରିବାକୁ ଶ୍ରମିକମାନେ ଦାବି କରିଛନ୍ତି ।
ବହୁ ଦାବିପରେ ରାଜ୍ୟ ସରକାରଙ୍କ ପକ୍ଷରୁ ESI ହସ୍ପିଟାଲର ନିର୍ମାଣ ପାଇଁ ଦାନଗଦି ବ୍ଲକ ମାଣତୀରା ଠାରେ ୫ ଏକର ଜମି ଯୋଗାଇ ଦିଆଯାଇଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ସେଠାରେ ଭୂଇଁରୁ ଉଠିପାରୁନି ESI ହସ୍ପିଟାଲ ବିଲଡିଂ । ତେବେ କଳିଙ୍ଗନଗରରେ ଏକ ଉନ୍ନତ ଧରଣର ଚିକିତ୍ସା କେନ୍ଦ୍ର ତୁରନ୍ତ ପ୍ରତିଷ୍ଠା ନହେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଶ୍ରମିକ ନେତା l ଏନେଇ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇଙ୍କ ପଚାରିବାରୁ ସେ କହିଛନ୍ତି, "ESI ହସ୍ପିଟାଲ ନିର୍ମାଣ ପାଇଁ ଜମି ଚିହ୍ନଟ ସରିଛି । ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ଏବଂ ଶ୍ରମିକଙ୍କ ସମସ୍ୟା ଦୂର ହେବ । ସେଥି ନିମନ୍ତେ କାର୍ଯ୍ୟ ଜାରି ରହିଛି ।" ତେବେ ସରକାର ଚିକିତ୍ସା କ୍ଷେତ୍ରରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଶ୍ରମିକଙ୍କ ପ୍ରତି ଉଦାସୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l
ଇଟିଭି ଭାରତ, ଯାଜପୁର
