ହରିଶ୍ଚନ୍ଦ୍ର ଯୋଜନାରେ ମହାଦୁର୍ନୀତି, ତଦନ୍ତ ପାଇଁ ଜିଲ୍ଲା ପ୍ରଶସନ ନିକଟରେ ଅଭିଯୋଗ

author img

By

Published : Nov 27, 2022, 8:22 PM IST

ହରିଶ୍ଚନ୍ଦ୍ର ଯୋଜନାରେ ମହାଦୁର୍ନୀତି, ତଦନ୍ତ ପାଇଁ ଜିଲ୍ଲା ପ୍ରଶସନ ନିକଟରେ ଅଭିଯୋଗ

ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ହରିଲୁଟ ଅଭିଯୋଗ । ହିତାଧିକାରୀଙ୍କ ନାଁରେ ଟଙ୍କା ତ ଆସିଛି କିନ୍ତୁ କିନ୍ତୁ ଲାଭବାନ ହୋଇଛନ୍ତି ଅଜଣା ବ୍ୟକ୍ତି । ଗୋଟିଏ କି ଦୁଇଟି ନୁହେଁ ଯାଜପୁର ଜିଲ୍ଲା ବିରିପଟା ପଞ୍ଚାୟତରୁ ଆସିଛି ଏଭଳି ମାଳ ମାଳ ଅଭିଯୋଗ । ଜିଲ୍ଲାପାଳଙ୍କ ନିକଟରେ ଏ ନେଇ ଲିଖିତ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଦେଖନ୍ତୁ ଏହି ରିପୋର୍ଟ

ଯାଜପୁର: ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଗରିବ ଓ ଅସହାୟ ବର୍ଗର ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସତ କିନ୍ତୁ ସେହି ସବୁ ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀଙ୍କ ନିକଟରରେ ପହଞ୍ଚିପାରୁନି । ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ପ୍ରଭାବଶାଳୀ ଲୋକେ ଏହି ଯୋଜନାକୁ ହଡପ କରୁଥିବା ଅଭିଯୋଗ ହେଉଛି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତରୁ । ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କ ପାଇଁ ଆସିଥିବା ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ମିଳିଛି ।

ହରିଶ୍ଚନ୍ଦ୍ର ଯୋଜନାରେ ମହାଦୁର୍ନୀତି

ବିରିପଟା ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ହରିଲୁଟ ଅଭିଯୋଗ । ପଞ୍ଚାୟତର ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ଟଙ୍କାକୁ ଆତ୍ମସାତ କରାଯାଇଥିବା ଅଭିଯୋଗ । ହିତାଧିକାରୀଙ୍କ ନାଁରେ ଟଙ୍କା ତ ଆସିଛି କିନ୍ତୁ ଲାଭବାନ ହେଉଛନ୍ତି ଅଜଣା ବ୍ୟକ୍ତି । ଏ ହେଉଛନ୍ତି ବିରିପଟା ପଞ୍ଚାୟତ ବରେଇ ଗ୍ରାମର ଆରତୀ ବାହାଲ । ତିନି ବର୍ଷ ତଳେ ତାଙ୍କ ପତି ଅସୁସ୍ଥତା କାରଣରୁ ଦେହତ୍ୟାଗ କରିଥିଲେ । ମାତ୍ର ଏବେ ଜାଣିବାକୁ ପାଇଲେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଆସିଥିବା ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ କିଏ ହଡ଼ପ କରିଛି । ସେହିଭଳି ପଞ୍ଚାୟତର ରିନାବାଳା ସାମଲଙ୍କ ସ୍ୱାମୀ ଜଣେ ପଞ୍ଚାୟତର ଜନପ୍ରତିନିଧି ଥିଲେ । ମାତ୍ର ତାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଆସିଥିବା ଅର୍ଥ ମଧ୍ୟ ହଡ଼ପ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଏ ନେଇ ଯୋଗ୍ୟ ହିତାଧିକାରୀ ଆରତୀ ବାହାଲ କହିଛନ୍ତି, " ହରିଶ୍ଚନ୍ଦ୍ର ଯୋଜନାରେ ଆମ ୩ ଜଣଙ୍କ ନାମରେ ଆସିଛି । ହେଲେ ଆମେ ଜଣଙ୍କର ବି ପାଇନାହୁଁ । ମୋ ସ୍ବାମୀ ଗତ ୧ ବର୍ଷ ହେଲା ଚାଲିଯାଇଥିବା ବେଳେ ତାଙ୍କ ଟଙ୍କା ମଧ୍ୟ ମୋତେ ମିଳିନାହିଁ । ଏହି ଅର୍ଥକୁ ବାଟମାରଣା କରାଯାଉଛି । ଯେଉଁମାନେ ଏଥିରେ ଜଡ଼ିତ ରହିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଫଳରେ ଆଗକୁ ଏପରି ଦୁର୍ନୀତି ଯେପରି ଆଉ ହେବ ନାହିଁ ।

ଏହା ବି ପଢନ୍ତୁ- ଗାଁ ପୋଖରୀରୁ ମିଳିଲା ଦାଦା-ପୁତୁରାଙ୍କ ମୃତଦେହ

ଏହା ଗୋଟିଏ ନୁହେଁ ମାଳ ମାଳ ଅଭିଯୋଗ ଆସିଛି ଏହି ଗୋଟିଏ ପଞ୍ଚାୟତରୁ । ଏକାଧିକ ବ୍ୟକ୍ତି ଆଣିଛନ୍ତି ସେହି ସମାନ ଅଭିଯୋଗ । ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନା ଏକ ସମ୍ବେଦନଶୀଳ ଯୋଜନା । ଆର୍ଥିକ ଦୁର୍ବଳ ଥିବା ପରିବାରକୁ ସହାୟତା ଦେବା ପାଇଁ ଯୋଜନା ଆସିଥିବା ବେଳେ ଏହି ପଞ୍ଚାୟତରେ ଅନେକ ଥିବା ବାଲା ମଧ୍ୟ ଯୋଜନାରେ ଉପକୃତ ହୋଇଥିବା ସୂଚନା ଅଧିକାର ଆଇନରୁ ଜଣାପଡିଛି । ପ୍ରକୃତରେ ହିତାଧିକାରୀ ଟଙ୍କା ନେଇଛନ୍ତି ନା ଅନ୍ୟ କେହି ପ୍ରଭାବଶାଳୀଙ୍କ ଖାତାକୁ ଟଙ୍କା ଯାଇଛି ତାହାର ତଦନ୍ତ ହେବା ଆବଶ୍ୟକ । ସେହିପରି ନକଲି କାଗଜ ପ୍ରସ୍ତୁତ କରାଯାଇ ବହୁ ଗରିବ ଓ ଅସହାୟ ବର୍ଗ ହିତାଧିକାରୀଙ୍କ ଯୋଜନା ଅର୍ଥକୁ ହଡପ କରାଯାଇଥିବା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି ।

ଏପିରକି ଏକାଧିକ ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ହରିଲୁଟ ହୋଇଥିବାର ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଯୋଜନାର ମହାଦୁର୍ନୀତିରେ ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ଦାୟିତ୍ୱରେ ଥିବା ସରକାରୀ ବାବୁ ମଧ୍ୟ ସାମିଲ ଥିବାର ଅଭିଯୋଗ ହୋଇଛି । ଉପଯୁକ୍ତ ତଦନ୍ତ କରାଯିବା ସହ ଦୁର୍ନୀତିରେ ଲିପ୍ତଥିବା ଜନପ୍ରତିନିଧି ଓ ସରକାରୀ ବାବୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ଅଭିଯୋଗକୁ ଭିତ୍ତି କରି ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।

ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ କହିଛନ୍ତି, " ଏ ନେଇ ପ୍ରଶାସନ ଅବଗତ ଥିଲା । ଏ ନେଇ ଟିମ ଗଠନ କରାଯାଇଛି । ଖୁବଶୀଘ୍ର ତଦନ୍ତ କରାଯିବ । କୌଣସି ଦୁର୍ନୀତି ସମ୍ପର୍କରେ ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" ତେବେ ସରକାର କେବଳ ଯୋଜନା ପ୍ରସ୍ତୁତ କରି ଦେଲେ ହେବ ନାହିଁ । ଉକ୍ତ ଯୋଜନାର କେତେ ସୁଫଳ ମିଳୁଛି ତାର ଅନୁଧ୍ୟାନ କରିବା ନିହାତି ଆବଶ୍ୟକ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.