ଗୁଇନ୍ଦା ପାରା ଉଦ୍ଧାର: ଗୋଡରେ କ୍ୟାମେରା ଓ ଚିପ, ଡେଣାରେ ବିଦେଶୀ ଭାଷା

author img

By

Published : Mar 8, 2023, 6:19 PM IST

Updated : Mar 8, 2023, 9:47 PM IST

ପାରାଦ୍ୱୀପ ଉପକୂଳରୁ ସନ୍ଦିଗ୍ଧ ପାରା ଉଦ୍ଧାର, କ୍ୟାମେରା ଓ ଚିପ ଜବତ

ପାରାଦ୍ୱୀପ ଉପକୂଳରେ ସନ୍ଦିଗ୍ଧ ପାରା ଉଦ୍ଧାର । ଗୋଡରେ ଲାଗିଛି କ୍ୟାମେରା ଓ ଚିଫ । ଡେଣାରେ ବିଦେଶୀ ଭାଷାରେ କିଛି ଲେଖା ଯାଇଥିବା ସୂଚନା । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଗୁଇନ୍ଦା ପାରା ଉଦ୍ଧାର
ପାରାଦ୍ୱୀପ ଉପକୂଳରୁ ସନ୍ଦିଗ୍ଧ ପାରା ଉଦ୍ଧାର, କ୍ୟାମେରା ଓ ଚିପ ଜବତ

ପାରାଦ୍ବୀପ: ପାରାଦ୍ୱୀପ ଉପକୂଳରେ ଏକ ସନ୍ଦିଗ୍ଧ ପରାକୁ ଉଦ୍ଧାର କରାଯାଇଛି । ପାରାଟିର ଗୋଡ଼ରେ ଏକ କ୍ୟାମେରା ଓ ଚିପ୍‌ ଥିବା ଦେଖିବାକୁ ମିଳିଛି । ସେହିପରି ପାରାର ଡେଣାରେ ବିଦେଶୀ ଭାଷାରେ କିଛି ଲେଖାଥିବା ମଧ୍ୟ ଦେଖିବାକୁ ମିଳିଛି । କିଛି ମତ୍ସ୍ୟଜୀବୀ ମଝି ସମୁଦ୍ରରୁ ପାରାଟିକୁ ଉଦ୍ଧାର କରିବା ପରେ ସ୍ଥାନୀୟ ପାରାଦ୍ୱୀପ ମେରାଇନ ଥାନା ପୋଲିସକୁ ହସ୍ତାନ୍ତର କରିଛନ୍ତି । ପାରା ଶରୀରରୁ ଜବତ ହୋଇଥିବା ସାମଗ୍ରୀରୁ ଏହା ଏକ ଗୁପ୍ତଚର ପାରା ବୋଲି ସନ୍ଦେହ କରାଯାଇଛି । ପୋଲିସ ଏନେଇ କିଛି ସ୍ପଷ୍ଟ କରିନଥିବା ବେଳେ ମିଳିଥିବା ସାମଗ୍ରୀ ଜବତ କରି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, କିଛି ସ୍ଥାନୀୟ ମତ୍ସ୍ୟଜୀବୀ 42 ନଟିକାଲ ମାଇଲ ଦୂର ମଝି ସମୁଦ୍ରରେ ମାଛ ଧରୁଥିବା ବେଳେ ଏହି ପାରାଟି ତାଙ୍କ ବୋଟରେ ଆସି ବସିଥିଲା । ଏହାକୁ ସେମାନେ କାବୁ କରିବା ପରେ ପାରା ଶରୀରରେ ଏକାଧିକ ବୈଦୁତିକ ସାମଗ୍ରୀ ଓ ବିଦେଶୀ ଭାଷା ଲେଖାଥିବା ଦେଖିବାକୁ ମିଳିଥିଲା । ପରେ ମତ୍ସ୍ୟଜୀବୀଙ୍କ ଏହି ଗୋଷ୍ଠୀ ମାଛ ଧରିବା ବନ୍ଦ କରି କୂଳକୁ ଫେରିଆସିଥିଲେ । ପାରାକୁ ସ୍ଥାନୀୟ ମେରାଇନ ପୋଲିସକୁ ଜିମା ଦିଆଯାଇଥିଲା ।

ମେରାଇନ ଥାନା ପୋଲିସ ହର୍ବରରେ ପହଞ୍ଚି ସନ୍ଦିଗ୍ଧ ପାରାକୁ ନିୟନ୍ତ୍ରଣକୁ ନେବା ସହ ଗୋଡରେ ଲାଗିଥିବା କ୍ୟାମେରା ଓ ଅନ୍ୟ ସାମଗ୍ରୀକୁ ଜବତ କରିଛି । ପାରାର ଡୋଣାରେ ଲେଖାଯାଇଥିବା ଭାଷାକୁ ନେଇ ମଧ୍ୟ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣା ସାମ୍ନାକୁ ଆସିବା ପରେ ଗୁପ୍ତଚରୀ ଉଦ୍ଦେଶ୍ୟରେ ପାରାକୁ ପଠାଯାଇଥିବା ସନ୍ଦେହ କରାଯାଉଛି । ପାରାଦ୍ୱୀପ ବନ୍ଦର ହେଉ କିମ୍ବା ବାଲେଶ୍ଵରରେ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁପ୍ତ ତଥ୍ୟ ହାସଲ ବା ନିଷେଧାଞ୍ଚଳର ଭିଡିଓ ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଥାଇପାରେ ବୋଲି ସନ୍ଦେହ ଘନୀଭୂତ ହେଉଛି । ହେଲେ ଏସମ୍ପର୍କରେ ପୋଲିସ କୌଣସି ସୂଚନା ଦେଇନି ।

ଘଟଣା ସମ୍ପର୍କରେ ଜଣାପଡିବା ପରେ ପାରାଦ୍ୱୀପ ମେରାଇନ ପୋଲିସ ଓ ଭାରତୀୟ ତଟରକ୍ଷୀ ବାହିନୀକୁ ଆଲର୍ଟ ମୋଡରେ ରଖାଯାଇଛି । କୌଣସି ସନ୍ଦେହଜନକ ତଥା ଅସ୍ବାଭାବିକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଏ ସମ୍ପର୍କରେ ମେରାଇନ ଥାନା ପୋଲିସର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ । ପାରାଟିକୁ ଉଦ୍ଧାର କରିଥିବା ମତ୍ସ୍ୟଜୀବୀମାନେ ମଧ୍ୟ ଘଟଣା ନେଇ ଗଣମାଧ୍ୟମ ଆଗରେ ମୁଁହ ଖୋଲିନାହାଁନ୍ତି ।

ଇଟିଭି ଭାରତ, ଜଗତସିଂହପୁର

Last Updated :Mar 8, 2023, 9:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.