CED ଦ୍ୱାରା ପଞ୍ଚାୟତ ଜନ ପ୍ରତିନିଧିଙ୍କୁ ପ୍ରଶିକ୍ଷଣ, ଜଗତସିଂହପୁର ଜିଲ୍ଲାର ୪ ବ୍ଲକରେ ଦିଆଗଲା ତାଲିମ

CED ଦ୍ୱାରା ପଞ୍ଚାୟତ ଜନ ପ୍ରତିନିଧିଙ୍କୁ ପ୍ରଶିକ୍ଷଣ, ଜଗତସିଂହପୁର ଜିଲ୍ଲାର ୪ ବ୍ଲକରେ ଦିଆଗଲା ତାଲିମ
ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପଞ୍ଚାୟତିରାଜ ପ୍ରତିଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ନିର୍ବାଚିତ ପଞ୍ଚାୟତ ଜନ ପ୍ରତିନିଧିମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପରିବେଶ ଓ ବିକାଶ କେନ୍ଦ୍ର (CED) ଦ୍ବାରା ଜଗତସିଂହପୁର ଜିଲ୍ଲାର ୪ ବ୍ଲକର ଜନ ପ୍ରତିନିଧିଙ୍କୁ ତାଲିମ ଦିଆଯାଇଛି । ଅଧିକ ପଢ଼ନ୍ତୁ
ଜଗତସିଂହପୁର: ସରକାରୀ ଯୋଜନାର ସଫଳ ରୂପାୟନରେ ପଞ୍ଚାୟତ ଜନ ପ୍ରତିନିଧିମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଜନସାଧାରଣଙ୍କ ପାଖରେ ଯୋଜନାର ସୁବିଧା ପହଞ୍ଚାଇବାରେ ପଞ୍ଚାୟତ ଜନ ପ୍ରତିନିଧି ସରକାରଙ୍କ ବାହକ ସାଜନ୍ତି । ତେଣୁ ପଞ୍ଚାୟତ ଜନ ପ୍ରତିନିଧିଙ୍କର ପ୍ରଶିକ୍ଷଣ ନିହାତି ଆବଶ୍ୟକ । ଏନେଇ ପଞ୍ଚାୟତିରାଜ ପ୍ରତିଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ନିର୍ବାଚିତ ପଞ୍ଚାୟତ ଜନ ପ୍ରତିନିଧିମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । CED (Center for Environment and Development) ପକ୍ଷରୁ ଜଗତସିଂହପୁର ଜିଲ୍ଲାର ୪ ବ୍ଲକର ଜନ ପ୍ରତିନିଧିଙ୍କୁ ତାଲିମ ଦିଆଯାଇଛି ।
ଜଗତସିଂହପୁର ଜିଲ୍ଲାର ବାଲିକୁଦା, ନାଉଗାଁ, ଏରସମା ଓ କୁଜଙ୍ଗ ବ୍ଲକ୍ର ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ତାଲିମ୍ ପ୍ରଦାନ ପାଇଁ ପରିବେଶ ଓ ବିକାଶ କେନ୍ଦ୍ର (CED)କୁ ଦାୟିତ୍ବ ଦିଆଯାଇଛି । ଉକ୍ତ ସଂସ୍ଥା ତରଫରୁ ବାଲିକୁଦା ବ୍ଲକ୍ର ପୁରଣ ଗ୍ରାମସ୍ଥିତ CED ଗ୍ରାମ୍ୟ ସାଧନ କେନ୍ଦ୍ର 'ଭୂମି' ପରିସରରେ ଏରସମା ଓ କୁଜଙ୍ଗ ବ୍ଲକ୍ର ନବ ନିର୍ବାଚିତ ଜନପ୍ରତିନିଧିମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ୫ ଦିନିଆ ତାଲିମ୍ କାର୍ଯ୍ୟକ୍ରମକୁ ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପଟୱାରୀ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ପଞ୍ଚାୟତରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ କ୍ଷେତ୍ରସ୍ତରରେ ଅନୁକରଣ ତାଲିମ୍ ଆୟୋଜନ ଓ ପରିଚାଳନା ପାଇଁ ପାରଦର୍ଶିତା ଓ ଦକ୍ଷତା ଥିବା ସଂସ୍ଥାମାନଙ୍କୁ ଚୟନ କରାଯାଇ ତାଲିକାଭୁକ୍ତ କରାଯିବା ସହ ଦାୟିତ୍ବ ଦିଆଯାଇଛି ।
ବିଭାଗ ତରଫରୁ ନିର୍ଦ୍ଧାରତ ପ୍ରଶିକ୍ଷଣ ସୂଚୀ ଅନୁଯାୟୀ ସେମାନଙ୍କୁ 5T, ମୋ ସରକାର, ସଶକ୍ତ ଗ୍ରାମସଭା, ମଧ୍ୟାହ୍ନ ଭୋଜନ, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଓ ଗ୍ରାମପଞ୍ଚାୟତ ବିକାଶ ଯୋଜନା, ଆର୍ଥିକ ପରିଚାଳନା, ପାନୀୟଜଳ ଯୋଗାଣ, ସ୍ବଚ୍ଛ ଭାରତ ମିଶନ, ମିଶନ ଶକ୍ତି, ସ୍ବାସ୍ଥ୍ୟ ଓ ପରିମଳ, କୃଷି, ମତ୍ସ୍ୟପାଳନ, ଅନଲାଇନ ସେବା ବ୍ୟବସ୍ଥା ଏବଂ ବିପର୍ଯ୍ୟୟ ପରିଚାଳନାରେ ଗ୍ରାମପଞ୍ଚାୟତର ଭୁମିକା ଆଦି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡକ୍ଟର ରୁଦ୍ର ନାରାୟଣ ଦାସଙ୍କ ସହ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ମିଶ୍ର, କୁଜଙ୍ଗ ଓ ଏରସମା ବ୍ଲକ୍ ବିଡିଓଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଛନ୍ତି । ପ୍ରାରମ୍ଭରେ ପରିବେଶ ଓ ବିକାଶ କେନ୍ଦ୍ର(CED) ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ ହରିଚନ୍ଦନ ସ୍ବାଗତ ଭାଷଣ ପ୍ରଦାନ କରି ଏହି ତାଲିମ୍ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ।
ଇଟିଭି ଭାରତ, ଜଗତସିଂହପୁର
