ଜଗତସିଂହପୁର ଟାଟା ପାୱାରର ଅବହେଳାରୁ ଜଣଙ୍କର ଜୀବନ ଚାଲିଯାଇଥିବା ଅଭିଯୋଗ । ପାରାଦ୍ବୀପ ଉପକଣ୍ଠ ଭୁତମୁଣ୍ଡେଇ ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା । ଟାଟା ପାୱାର ବିରୋଧରେ ନାରାବାଜି ସହ ନ୍ୟାୟ ଦାବିରେ କଟକପାରାଦ୍ବୀପ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଉପକଣ୍ଠ ଭୁତମୁଣ୍ଡେଇ ପଞ୍ଚାୟତ ବାରେଇ ଗ୍ରାମର ଜଣେ ବୃଦ୍ଧ ଚାଷ ଜମିରେ ପାଣି ମଡ଼ାଇବାକୁ ଯିବା ସମୟରେ 11 କେଭି ବିଦ୍ୟୁତ ତାର ଛିଣ୍ଡି ପଡିଥିଲା । ଯାହା ସଂସ୍ପର୍ଶରେ ଆସିବା ପରେ ଘଟଣାସ୍ଥଳରେ ଚାଷୀଙ୍କର ମୃତ୍ୟୁ ହୋଇଯାଇଛି । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଭୁତମୁଣ୍ଡେଇ ପଞ୍ଚାୟତ ଅନ୍ତର୍ଗତ ବାରେଇ ଗ୍ରାମର 70 ବର୍ଷୀୟ ଚାଷୀ କଣ୍ଡୁରୀ ରାଉତ ନିଜ ଜମିରେ ପାଣି ମଡାଇବା ପାଇଁ ଦିନ 3ଟା ସମୟରେ ଯାଇଥିଲେ । ସେହି ସ୍ଥାନ ଦେଇ ଯାଇଥିବା 11 କେଭି ବିଦ୍ୟୁତ ତାର ହଠାତ୍ ଛିଣ୍ଡି ପଡି ତାଙ୍କ ଦେହରେ ଲାଗି ଯାଇଥିଲା । ବିଦ୍ୟୁତ ତାର ଲାଗିବା ପରେ ସେ ଚିତ୍କାର କରି ଉଠିଥିଲେ । ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚିବା ବେଳକୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କଟକପାରାଦ୍ବୀପ ରାସ୍ତାକୁ ଆସି ଟାଟା ପାୱାର ବିରୋଧରେ ସ୍ଲୋଗାନ ଦେବା ସହିତ ରାସ୍ତା ଅବରୋଧ କରିଛନ୍ତି ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ଫଳରେ କଟକପାରାଦ୍ବୀପ ରାଜ୍ୟ ରାଜପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଗୋଟେ ଲୋକର ଜୀବନ ଚାଲି ଯାଇଥିବା ଅଭିଯୋଗ କରିବା ସହ ଚାଷୀଙ୍କ ମୃତଦେହ ରଖି କ୍ଷତି ପୂରଣ ଦାବି କରିଛନ୍ତି ଗ୍ରାମବାସୀ । ଅଭିଯୋଗ ମୁତାବକ ଭୁତମୁଣ୍ଡେଇର ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଅତି ବିପଦ ସଂକୁଳ ଅବସ୍ଥାରେ ରହିଛି । ଟାଟା ପାୱାର ନିଜ ହାତକୁ ନେବାପରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଠିକ ଭାବରେ କରାଯାଉନାହିଁ । ଫଳରେ 11 କେଭି ଠାରୁ ଆରମ୍ଭ କରି ଏଲ ଟି ଲାଇନ ପର୍ଯ୍ୟନ୍ତ ଅତି ବିପଦ ସଂକୁଳ ଅବସ୍ଥାରେ ରହିଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସଠିକ ରକ୍ଷଣବେକ୍ଷଣ କରାଯାଉ ନଥିବାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ ହୋଇଛନ୍ତି। ଯେପର୍ଯ୍ୟନ୍ତ ଟାଟା ପାୱାର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ନପହଞ୍ଚିଛନ୍ତି ସେପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ଇଟିଭି ଭାରତ ଜଗତସିଂହପୁର