ଯୁବକଙ୍କୁ ହତ୍ୟା ଘଟଣା, ବାପା ପୁଅ ସମେତ ତିନି ଗିରଫ

author img

By

Published : Sep 15, 2022, 9:13 PM IST

ଯୁବକଙ୍କୁ ହତ୍ୟା ଘଟଣା,ବାପା ପୁଅ ସମେତ ତିନି ଗିରଫ

କୋର୍ଟକୁ ସାକ୍ଷୀ ଦେବାକୁ ଆସୁଥିବା ବେଳେ ଯୁବକଙ୍କୁ ହତ୍ୟା । ଏହି ଘଟଣାରେ ପୋଲିସ ବାପା ପୁଅ ସମେତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରାମସା ନାରାୟଣପୁରର ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ହତ୍ୟା କରାଯାଇଥିଲା । ଅଧିକ ପଢନ୍ତୁ

ବ୍ରହ୍ମପୁର: କୋର୍ଟକୁ ସାକ୍ଷୀ ଦେବାକୁ ଆସୁଥିବା ବେଳେ ଯୁବକଙ୍କୁ ହତ୍ୟା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିଲା ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ରେଗିଡି ଛକ ନିକଟରେ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରାମସା ନାରାୟଣପୁରର ପୂର୍ଣ୍ଣଚନ୍ଦ୍ର ନାହକଙ୍କୁ ହତ୍ୟା କରାଯାଇଥିଲା । ତେବେ ଏହି ଘଟଣାର ତଦନ୍ତ କରି ପୋଲିସ ବାପା ପୁଅ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ହତ୍ୟାର ଶିକାର ହୋଇଥିବା ପୂର୍ଣ୍ଣଚନ୍ଦ୍ର ବ୍ରହ୍ମପୁର କୋର୍ଟକୁ ଏକ ମୋଟର ସାଇକେଲ ଯୋଗେ ସାକ୍ଷୀ ଦେବାକୁ ଯାଉଥିଲେ। ପୂର୍ଣ୍ଣଚନ୍ଦ୍ର ଯାଉଥିବା ବେଳେ ତାଙ୍କୁ କିଛି ଯୁବକ ରେଗିଡି ଛକରେ ଅଟକାଇଥିଲେ । ଏହା ପରେ ସଙ୍ଘବଦ୍ଧ ଭାବରେ ବିଭିନ୍ନ ମାରଣାସ୍ତ୍ରରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ ।‌ ଦୁର୍ବୃତ୍ତମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ ମାରଣାନ୍ତକ ଆକ୍ରମଣ କରି ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ । ଗୁରୁତର ପୂର୍ଣ୍ଣଚନ୍ଦ୍ରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: କୋର୍ଟକୁ ସାକ୍ଷୀ ଦେବାକୁ ଆସୁଥିବା ବେଳେ ଯୁବକଙ୍କୁ ହତ୍ୟା

ପୂର୍ଣ୍ଣଚନ୍ଦ୍ର ହତ୍ୟା ଘଟଣାର ତଦନ୍ତ କରି ପୋଲିସ ବାପା ପୁଅ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରାମସା ଗ୍ରାମର 29 ବର୍ଷୀୟ ଭୀମ ବେହେରା ସମେତ 26 ବର୍ଷୀୟ ପୁଅ ସାଗର ବେହେରା ଏବଂ ବାପା କୃଷ୍ଣ ବେହେରା । ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏହିଭଳି ହତ୍ୟାକାଣ୍ଡ ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ମୃତ ପୂର୍ଣ୍ଣଚନ୍ଦ୍ର ଗତ ଜୁନ ମାସରେ ଅଭିଯୁକ୍ତ ମାନଙ୍କୁ ମାରପିଟ ଓ ଗାଲିଗୁଲଜ କରିଥିଲେ । ଉକ୍ତ ଦିନ ଠାରୁ ଅଭିଯୁକ୍ତ ମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ସୁଯୋଗ ଖୋଜୁଥିଲେ ।

ଗତ ମଙ୍ଗଳବାର ଦିନ ବ୍ରହ୍ମପୁର କୋର୍ଟରେ ଏକ ମାମଲାର ସାକ୍ଷ୍ୟ ପ୍ରଦାନ ପାଇଁ ପୂର୍ଣ୍ଣଚନ୍ଦ୍ର ନିଜ ମୋଟର ସାଇକେଲ ଯୋଗେ କୋର୍ଟକୁ ଯାଉଥିଲେ । ପୂର୍ଣ୍ଣଚନ୍ଦ୍ରକୁ ଏକୁଟିଆ ଆସୁଥିବାର ଦେଖି ମୁଖ୍ୟ ଅଭିଯୁକ୍ତ ଭୀମ ବେହେରା ତାହାର ସହଯୋଗୀ ମାନଙ୍କୁ ଏକତ୍ରିତ କରିଥିଲେ । ନିଜ ଗ୍ରାମରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ପିଛା କରି ଆସିବା ସହିତ ରେଗିଡି ଛକ ଠାରେ ସୁଯୋଗ ଦେଖି ଖଣ୍ଡାରେ ମୁଣ୍ଡ ଏବଂ ଗୋଡକୁ ଆକ୍ରମଣ କରିଥିଲେ । ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡରେ ଛାଡି ଅଭିଯୁକ୍ତ ମାନେ ଦୁଇଟି ମୋଟର ସାଇକେଲରେ ଚାଲି ଯାଇଥିଲେ । ତେବେ ଆକ୍ରମଣ କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଥିବା ଭୀମ ବେହେରା ମୃତକଙ୍କ ପତ୍ନୀଙ୍କୁ ଫୋନ ଯୋଗେ ଆକ୍ରମଣ କରିଥିବା ନେଇ ସୂଚନା ମଧ୍ୟ ଦେଇଥିଲେ । ପୂର୍ଣ୍ଣଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ରେ ଭର୍ତ୍ତି କରା ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ରାସ୍ତା ଉପରେ ମୃତଦେହ ରଖି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।

ତେବେ ଏ ନେଇ ମୃତକଙ୍କ ପତ୍ନୀ ମିନତି ନାହାକ ବ୍ରହ୍ମପୁର ସଦର ଥାନାରେ ଦେଇଥିବା ଲିଖିତ ଅଭିଯୋଗର ତଦନ୍ତ କରି ପୋଲିସ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଏକ ପ୍ରେସ ବିବୃତ୍ତିରେ ଏନେଇ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.