ଯୁବକଙ୍କୁ ସଂଘବଦ୍ଧ ହତ୍ୟା, କାରଣ ଅସ୍ପଷ୍ଟ

author img

By

Published : Jan 21, 2023, 11:18 AM IST

young man murder in ganjam

ବାଲିବଣ ଆଦର୍ଶ ବିଦ୍ୟାଳୟ ନିକଟରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା । କାରଣ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

young man murder in ganjam

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ । କୌଣସି କାରଣକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବେଗୁନିଆପଡା ଥାନା ଅନ୍ତର୍ଗତ ବାଲିବଣ ଆଦର୍ଶ ବିଦ୍ୟାଳୟ ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବରେ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ଭାବିନିପୁର ଗ୍ରାମର ନାରାୟଣ ଗୌଡ଼ଙ୍କ ୩୨ବର୍ଷିୟ ପୁଅ ପଙ୍କଜ ଗୌଡ଼ ।

ହତ୍ୟାକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ପଙ୍କଜ ଗୌଡ଼ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼ଙ୍କ ସାନ ଭଣଜା । ପ୍ରାୟ ୧୦ ଜଣ ବ୍ୟକ୍ତି ସଂଘବଦ୍ଧ ଭାବରେ ପଙ୍କଜଙ୍କୁ ଆକ୍ରମଣ କରିଛନ୍ତି ବୋଲି ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ଦୁର୍ଯ୍ୟୋଧନ ଗୌଡ଼ ଅଭିଯୋଗ କରିଛନ୍ତି । ଏନେଇ ଖବର ପାଇ ଘଟଣାସ୍ଥଳରେ ବେଗୁନିଆପଡା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏବଂ ପୋଲିସ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ କେତେଜଣ ଦୁର୍ବୃତ୍ତ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ରାଗପୁର କୋଠ ଘର ନିକଟରେ ପଙ୍କଜକୁ ଆକ୍ରମଣ କରି ଚମ୍ପଟ ମାରିଥିଲେ । ବେଗୁନିଆପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଙ୍କଜଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

ତେବେ କେଉଁ କାରଣକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଗଲା ତାରା କାରଣ ଖୋଜୁଛି ପୋଲିସ । ଅନ୍ୟ ଦୁର୍ବୃତ୍ତଙ୍କ ପରିଚୟ ମିଳିପାରିନଥିବା ବେଳେ ସେମାନଙ୍କୁ ଖୋଜୁଛି ପୋଲିସ । ଗିରଫ ପରେ ହତ୍ୟାର ପ୍ରକୃତ କାରଣ କଣ ତାହା ଜଣାପଡିବ । ମୃତକ ଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇଟି କନ୍ୟା ସନ୍ତାନ ରହିଛନ୍ତି ।

ଗତ କିଛି ଦିନ ତଳେ ବ୍ରହ୍ମପୁରରୁ ଆଉ ଏକ ହତ୍ୟା ଖବର ସାମ୍ନାକୁ ଆସିଥିଲା । କେ ନୂଆଁଗା ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡା ଗ୍ରାମର ବାସୁ ସାହୁଙ୍କ ଝିଅ ବିଷ୍ଣୁ ସାହୁ ନିଖୋଜ ହେବା ନେଇ ଗତ ଜାନୁଆରୀ ୮ ତାରିଖରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହାପରେ ଅଭିଯୋଗର ଗୋଡିଏ ଦିନ ପରେ ବିଳମ୍ବିତ ରାତିରେ ଝିଅର ମୃତଦେହ ଘର ପଛପଟେ ପଡିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ପରେ ବିଷ୍ଣୁ ସାହୁଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ପ୍ରେମ କାହାଣୀ ପ୍ରଘଟ ଭୟରେ ଦିବ୍ୟାଙ୍ଗ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.