ମା' ତାରାତାରିଣୀ ପୀଠରେ ଷୋଡଶ ଦିବସୀୟ ପୂଜା ଆରମ୍ଭ, ଉତ୍ସବମୁଖର ଦେବୀପୀଠ

author img

By

Published : Sep 20, 2022, 9:52 PM IST

Updated : Sep 21, 2022, 12:38 PM IST

Shodasa Upachara Puja performed

ଦୀର୍ଘ ୨ ବର୍ଷର କୋରୋନା କଟକଣା ପରେ ଶାରଦୀୟ ପାର୍ବଣକୁ ନେଇ ଉତ୍ସବମୁଖର ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀ ପୀଠ । ଘଣ୍ଟ, ଶଙ୍ଖଧ୍ବନି, ମନ୍ତ୍ର ଉଚ୍ଚାରଣରେ ଫାଟି ପଡୁଛି ପର୍ବତ ଶିଖରରେ ପୂଜା ପାଉଥିବା ମାଆଙ୍କ ମନ୍ଦିର । ଶାରଦୀୟ ପୂଜା ଅବସରରେ ୧୬ଦିନ ଯାଏଁ ବିଭିନ୍ନ ବେଶରେ ଦର୍ଶନ ଦେବେ ମାଆ । ପୀଠରେ ଷୋଡଶ ଦିବସୀୟ ପୂଜା ଆରମ୍ଭ ହୋଇଥିବା ବେଳେ ଦେଖନ୍ତୁ ଇଟିଭି ଭାରତର ସ୍ୱତନ୍ତ୍ର ରିପୋର୍ଟ ।

ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ଶକ୍ତି ପୀଠ ରୂପେ ପରିଚିତ ପ୍ରସିଦ୍ଧ ମାଆ ତାରାତାରିଣୀ ପୀଠ (Shodasa Upachara Puja in Maa Tata Tarini temple) । ଦୀର୍ଘ ଦୁଇ ବର୍ଷର କୋଭିଡ କଟକଣା ପରେ ଶାରଦୀୟ ପାର୍ବଣକୁ ନେଇ ସାରା ରାଜ୍ୟରେ ବିଭିନ୍ନ ଦେବୀପୀଠ ଉତ୍ସବ ମୁଖର ହୋଇଥିବା ବେଳେ ମାଆ ତାରାତାରିଣୀ ପୀଠ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ମାଆ ତାରାତାରିଣୀଙ୍କ ମନ୍ଦିରରେ ଆରମ୍ଭ ହୋଇଯାଇଛି ଷୋଡଶ ଦିବସୀୟ ପୂଜା । ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଯାଇଛି ଷୋଡ଼ଶ ଦିବସୀୟ ପୂଜା । ଘଣ୍ଟ, ଶଙ୍ଖଧ୍ବନି, ମନ୍ତ୍ର ଉଚ୍ଚାରଣରେ ଫାଟି ପଡୁଛି ପର୍ବତ ଶିଖରରେ ପୂଜା ପାଉଥିବା ମାଆଙ୍କ ମନ୍ଦିର । ମାଆଙ୍କ ଦର୍ଶନ ଟିକିଏ ପାଇବା ପାଇଁ ମନ୍ଦିରକୁ ଛୁଟିଛି ବହୁ ଭକ୍ତଙ୍କ ସୁଅ ।

ଉତ୍ସବମୁଖର ଦେବୀପୀଠ

ପାରମ୍ପାରିକ ରୀତିନୀତି ଅନୁଯାୟୀ ପ୍ରତ୍ୟେକ ଦିନ ପୀଠରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ମାଆଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର ପୁରଷୋତ୍ତମପୁର ନିକଟବର୍ତ୍ତୀ ରଷିକୁଲ୍ୟା ନଦୀ ତଟରେ ପର୍ବତ ଶିଖରରେ ପୁଜା ପାଉଥିବା ମାଆଙ୍କ ପୀଠ ପାର୍ବଣ ଆସିଲେ ମନ୍ତ୍ର ଧ୍ୱନୀ ସାଙ୍ଗକୁ ଘଣ୍ଟ ଘଣ୍ଟା, ଶଙ୍ଖଧ୍ୱନି, ମନ୍ତ୍ର ଉଚ୍ଚାରଣରେ ହୋଇପଡିଥାଏ ଚଳଚଞ୍ଚଳ । ମାଆଙ୍କୁ ଦର୍ଶନ କରିବା ସହ ମା'ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିଥାଏ । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଏଠାରେ ପାରମ୍ପାରିକ ରୀତିନୀତି ଅନୁଯାୟୀ କରାଯାଇଥାଏ ପୂଜାର୍ଚ୍ଚନା ।

ପ୍ରଥମ ଦିନ ମାଆଙ୍କ ସେବାୟତ ପରିବାରର ମହିଳା ମାନେ ୧୦୮ କଳସରେ ପୁଣ୍ୟତ୍ରୟା ଋଷିକୁଲ୍ୟା ନଦୀରୁ ଶୁଭାସିତ ଜଳ ଆଣି ମାଆଙ୍କ ମହାସ୍ନାନ କରିବା ପରେ ଆରମ୍ଭ ହୋଇଥାଏ ଷୋଡଶ ଦିବସ ପୂଜା । ଦୈନିକ ସକାଳର ସୂର୍ଯ୍ୟପୂଜା ଠାରୁ ଆରମ୍ଭ କରି ପଞ୍ଚ ଉପଚାର ପୂଜା, ଷୋଡଶ ଉପଚାର ପୂଜା, ଚଣ୍ଡୀପାଠ ଭଳି ପାରମ୍ପାରିକ ରୀତୀନୀତିରେ କରାଯାଇଥାଏ ମାଆଙ୍କ ପୂଜାର୍ଚ୍ଚନା । ପୌରାଣିକ ମତ ଅନୁଯାୟୀ ସତ୍ୟଯୁଗରେ ମାତା ପାର୍ବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପୃଥିବୀପୃଷ୍ଠରେ ପଡିବା ସମୟରେ ମାତାଙ୍କ ସ୍ତନ ଖଣ୍ଡ ଭାବେ ଏହାର ଆର୍ବିଭାବ ବୋଲି ବିଶ୍ୱାସ କରାଯାଏ । ମାଆ ଦୁଇ ଭଉଣୀ ରୂପରେ ମାଆ କେଉଁ କାଳରୁ ପୂଜା ପାଇ ଆସୁଥିବା ଦେଖାଯାଇଛି ।

ମାଆ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବହୁ ପରିବାର ଇଷ୍ଟଦେବୀ ଭାବେ ଅତ୍ୟନ୍ତ ପରିଚିତ ରହିଥିବା ବେଳେ ମାଆଙ୍କ ପାଖରେ ଯାହା ମାନସିକ କରାଯାଇଥାଏ ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏପରିକି ମାଆଙ୍କ ମହିମା ସଂପର୍କରେ ଅନେକ କଥାବସ୍ତୁ ରହିଥିବା ବେଳେ ପାର୍ବଣ ଅବସରରେ ମାଆଙ୍କ ପୀଠରେ ଭକ୍ତ ମାନେ ଅଖଣ୍ଡ ଦୀପଦାନ କରୁଥିବା ଦେଖାଯାଏ । ବଳିପ୍ରଥାକୁ ଏଠାରେ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିବା ବେଳେ ବିଧି ବ୍ୟବସ୍ଥା ଅନୁଯାୟୀ କେବଳ ପୁଷ୍ପାଣ୍ଡ ବଳି ଦିଆଯାଉଛି । ଏପରିକି ସକାଳ ଓ ସଂନ୍ଧ୍ୟାରେ କରାଯାଉଥିବା ମାଆଙ୍କ ଆଳତୀକୁ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ଜମିଥାଏ ଭିଡ ।

ତେବେ ଭକ୍ତଙ୍କୁ ସମସ୍ତ ସୁବିଧା ନେଇ ପ୍ରଶାସନ ସଜାଗ ରହିଛି । ଏ ନେଇ ପୁରଷୋତ୍ତମପୁର ତହସଲିଦାର ସନ୍ତୋଷ କୁମାର ସାହୁ କହିଛନ୍ତି, " ଦୀର୍ଘ ୨ ବର୍ଷ ପରେ ପୀଠରେ ଭକ୍ତଙ୍କୁ ଦର୍ଶନ ଲାଗି ଅନୁମତି ମିଳିଥିବାରୁ ପ୍ରବଳ ଭିଡ଼ ଜମିବ । ତେବେ ଭକ୍ତଙ୍କୁ ସମସ୍ତ ସୁବିଧା ଦେବା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ଏନେଇ ମନ୍ଦିର କମିଟି ପ୍ରଶାସନର ବୈଠକ ବସି ଯୋଜନା ପ୍ରସ୍ତୁତ ହୋଇଛି ।"

ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ କେବଳ ମନ୍ଦିରରେ ମାଆଙ୍କର ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା ହେଉଥିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା । ହେଲେ ଚଳିତବର୍ଷ ଶାରଦୀୟ ପୂଜାର ଧୁମଧାମରେ ଆୟୋଜନ ସହିତ ଭକ୍ତଙ୍କ ବହୁ ମାତ୍ରାରେ ସମାଗମ ହେବାକୁ ରହିଥିବାରୁ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ଯେପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିବ ସେ ନେଇ ଦୃଷ୍ଟି ଦେବାକୁ ସ୍ଥିର କରାଯାଇଛି । ମାଆଙ୍କ କରୁଣା ଅପାର । ଏଣୁ ଭକ୍ତଟିଏ ଶାରଦୀୟ ପୂଜା ସମୟରେ ମାଆଙ୍କୁ ଦର୍ଶନ ପାଇବା ପାଇଁ କାହିଁ କେତେ ଦୂରରୁ ଆସି ପହଞ୍ଚିଯାଇଥାଏ ମାଆଙ୍କ ପୀଠରେ । ଯାହାକି ମାଆଙ୍କ ପୀଠରେ ଷୋଡଶ ଦିବସୀୟ ପୂଜା ସହିତ ମାଆଙ୍କ ନବରାତ୍ର ପୂଜାରେ ରହିଛି ଅନେକ ସ୍ୱତନ୍ତ୍ରତା ।

ବ୍ରହ୍ମପୁର, ଇଟିଭି ଭାରତ

Last Updated :Sep 21, 2022, 12:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.