ପୁଣି ବ୍ରହ୍ମପୁର ITI କଲେଜ ବିଦ୍ୟାର୍ଥୀଙ୍କ କମାଲ, ସ୍କ୍ରାପ୍ରେ ତିଆରି କରୁଛନ୍ତି ଦଶବତାର ସ୍ୱରୂପ

ପୁଣି ବ୍ରହ୍ମପୁର ITI କଲେଜ ବିଦ୍ୟାର୍ଥୀଙ୍କ କମାଲ, ସ୍କ୍ରାପ୍ରେ ତିଆରି କରୁଛନ୍ତି ଦଶବତାର ସ୍ୱରୂପ
ନଷ୍ଟରୁ ଶ୍ରେଷ୍ଠ ଆହ୍ବାନ ନେଇ ସବୁବେଳେ ଚର୍ଚ୍ଚରେ ରହିଆସୁଛି ବ୍ରହ୍ମପୁର ସରକାରୀ ITI । ସ୍କ୍ରାପ୍ ସାମଗ୍ରୀକୁ ବ୍ୟବହାର କରି ଭଗବାନ ବିଷ୍ଣୁଙ୍କ ଦଶବତାର ରୂପ ପ୍ରସ୍ତୁତ କରୁଛନ୍ତି ITI ବିଦ୍ୟାର୍ଥୀ ମାନେ । ଅଧିକ ପଢ଼ନ୍ତୁ
ବ୍ରହ୍ମପୁର: ସ୍କ୍ରାପ୍ରେ ବିଶାଳକାୟ ପ୍ରତିକୃତି କରି ସବୁବେଳେ ଚର୍ଚ୍ଚରେ ରହିଆସୁଛି ବ୍ରହ୍ମପୁର ସରକାରୀ ITI କଲେଜ । ଏହି କ୍ରମରେ ଆଉ ଏକ ନୂତନ ଫର୍ଦ ଯୋଡି ହେବାକୁ ଯାଉଛି । ସ୍କ୍ରାପ୍ ସାମଗ୍ରୀକୁ ବ୍ୟବହାର କରି ଭଗବାନ ବିଷ୍ଣୁଙ୍କ ଦଶବତାର ରୂପ ପ୍ରସ୍ତୁତ କରୁଛନ୍ତି ITI ବିଦ୍ୟାର୍ଥୀ । ଅନୁଷ୍ଠାନର ବିଭିନ୍ନ ଟ୍ରେଡର ବିଦ୍ୟାର୍ଥୀମାନେ ମିଳିତ ଭାବରେ ଏହାକୁ ପ୍ରସ୍ତୁତ କରିବାରେ୍ ଲାଗି ପଡ଼ିଥିବା ବେଳେ ଆଗାମୀ ବିଶ୍ୱକର୍ମା ପୂଜାରେ ଏହାକୁ ଉନ୍ମୋଚନ କରାଯିବା ବୋଲି ସୂଚନା ମିଳିଛି । ପୂର୍ବରୁ ଅବ୍ୟବହୃତ ସାମଗ୍ରୀକୁ ବ୍ୟବହାର କରି ଅନେକ ସୁନ୍ଦର ସୁନ୍ଦର ପ୍ରତିକୃତି ପ୍ରସ୍ତୁତ କରି ରାଜ୍ୟ ତଥା ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବ୍ରହ୍ମପୁର ସହରର ସରକାରୀ ITI ।
ଏଠାରେ ଅଦରକାରୀ ତଥା ସ୍କ୍ରାପ୍ ଜିନିଷକୁ ନେଇ ତିରୁପତି ଠାରେ ଥିବା ଭଗବାନ ବିଷ୍ଣୁଙ୍କ ଦଶବତାରର ଅବିକଳ ସ୍ୱରୂପର ତିଆରି କରୁଛନ୍ତି ଶିକ୍ଷାନୁଷ୍ଠାନର ଅଧ୍ୟୟନରତ ଛାତ୍ରଛାତ୍ରୀ ଯାହା ବର୍ତ୍ତମାନ ବେଶ ଚର୍ଚ୍ଚାର ବିଷୟ ପଲଟିଛି । ମୁଖ୍ୟତଃ ବ୍ରହ୍ମପୁରର ସରକାରୀ ITI ପରିସରରେ ପ୍ରତ୍ୟେକ ବର୍ଷ ବିଶ୍ୱକର୍ମା ପୂଜାକୁ ଅତ୍ୟନ୍ତ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାର ନୂତନ କଳାକୃତି ପ୍ରଦର୍ଶିତ କରାଯାଇଥାଏ ।
ସେହି କ୍ରମରେ ଚଳିତବର୍ଷ ମଧ୍ୟ ଏହି ପୂଜା ଆକର୍ଷଣୀୟ କରିବା ପାଇଁ ଭଗବାନ ବିଷ୍ଣୁଙ୍କ ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ରାମ, ପର୍ଶୁରାମ, କୃଷ୍ଣ ଭଳି ଦଶବତାର ପ୍ରସ୍ତୁତ କରାଯାଉଛି । ଏହା ଚଳିତ ବର୍ଷର ବିଶ୍ୱକର୍ମା ପୂଜାରେ କଲେଜ ପରିସରରେ ଉନ୍ମୋଚନ କାରାଯିବ ବୋଲି ସୂଚନା ଦେଇଛନ୍ତି ସରକାରୀ ଆଇଟିଆଇର ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ । ବର୍ତ୍ତମାନ ଏହି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହାକୁ ପେଣ୍ଟ୍ର ଟ୍ରେଡ୍ର ବିଦ୍ୟାର୍ଥୀମାନେ ରଙ୍ଗ କରୁଥିବାରୁ ଦିନେ ଦୁଇ ଦିନ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ଶେଷ ହେବ ବୋଲି ଆଶା ରାଖାଯାଇଛି ।
ଡ.ରଜତ କୁମାର ପାଣିଗ୍ରାହୀ କହିଛନ୍ତି "ଏହି ଦଶଟି ଅବତାର କାର୍ଯ୍ୟରେ ବହୁତ ପିଲା ଦିନ ରାତି ପରିଶ୍ରମ କରିଛନ୍ତି । ଯାହା ଦ୍ବାରା ପିଲାମାନେ ନିଜ ଦକ୍ଷତାକୁ ବିକାଶ କରିପାରିଛନ୍ତି । ସ୍କ୍ରାପ୍ ସାମଗ୍ରୀକୁ ବ୍ୟବହାର କରି ଭଗବାନ ବିଷ୍ଣୁଙ୍କ ଦଶବତାର ରୂପ ପ୍ରସ୍ତୁତ କରାଯାଇଛି , ଏହା ଚଳିତ ବର୍ଷ ବିଶ୍ବକର୍ମାପୂଜାରେ ଦେଖା ହେବ । ବ୍ରହ୍ମପୁର ITI ଏଜୁକେଶନାଲ୍ ୱାଣ୍ଡରଲ୍ୟାଣ୍ଡ ପାର୍କରେ ଶୋଭା ପାଇବ ବିଷ୍ଣୁଙ୍କ ଦଶାବତାର ସ୍ବରୁପ ।"
ଏହା ମଧ୍ୟ ପଢନ୍ତୁ...Hockey World Cup: ଅଦରକାରୀ ଲୁହାରେ ବିଶ୍ୱର ବୃହତ୍ ହକି ଷ୍ଟିକ୍, ଖେଳାଳିଙ୍କୁ ଉତ୍ସର୍ଗ କଲେ ITI ଛାତ୍ର
ନଷ୍ଟରୁ ଶ୍ରେଷ୍ଠ ଏପରି ଆହ୍ୱାନାକୁ ନେଇ ବିଦ୍ୟାର୍ଥୀଙ୍କ ମଧ୍ୟରେ ଦକ୍ଷ ଓ କୁଶଳୀ ବିକାଶ କରାଇବାର ଲକ୍ଷ୍ୟ ନେଇ ବ୍ରହ୍ମପୁରର ସରକାରୀ ITI ଶିକ୍ଷାନୁଷ୍ଠାନ ସାରା ଦେଶ ବିଦେଶରେ ଅନେକ ସୁନାମ ଆଣିପାରିଛି । ବର୍ତ୍ତମାନର ସ୍କ୍ରାପ୍ ସାମଗ୍ରୀରେ ବିଷ୍ଣୁଙ୍କ ଦଶବତାର ରୂପ ପ୍ରସ୍ତୁତ କରି ଅନ୍ୟତମ ଆକର୍ଷଣର କେନ୍ଦ୍ର ପାଲଟିଛି ବ୍ରହ୍ମପୁର ସରକାରୀ ଆଇଟିଆଇ । ଅନ୍ୟପଟେ ବିଦ୍ୟାର୍ଥୀମାନେ ନିଜ ହାତରେ ଏହାକୁ ପ୍ରସ୍ତୁତ କରୁଥିବା ନେଇ ବେଶ ଖୁସି ଜାହିର କରିଛନ୍ତି ।
ଇଟିଭି ଭାରତ, ଗଞ୍ଜାମ
