ଅସରାଏ ବର୍ଷାରେ ବେହାଲ ଗଜପତି

author img

By

Published : Sep 5, 2022, 9:14 AM IST

ଅସରାଏ ବର୍ଷାରେ ଜଳମଗ୍ନ ଗଜପତି

ଅସରାଏ ବର୍ଷାରେ ବୁଡ଼ିଲା ଗଜପତି ! ଜଳମଗ୍ନ ଗଜପତି ସହର । ଅଧିକ ପଢ଼ନ୍ତୁ

ଗଜପତି: ଉବୁଟୁବୁ ଗଜପତି ସହର । ରବିବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ସହରରେ ପ୍ରାୟ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା । ଧୁ ଧୁ ତାତିରୁ ମୁକ୍ତି ପାଇଥିଲେ ଗଜପତି ବାସିନ୍ଦା । ଆଶ୍ବସ୍ତି ପାଇଥିଲା ପୁରା ସହର । ହେଲେ ଏହି ଅସରାଏ ବର୍ଷାରେ ସହରର ତଳି ଅଞ୍ଚଳରେ ଥିବା କଟିକା ସାହି, ପନ୍ଦରା ସାହି, ଭଣ୍ଡାରି ସାହି, ନଡ଼ିଆ ତୋଟା ସାହି, ପାରଳା ସାହି, ତେଲି ସାହି ଜଳମଗ୍ନ ହୋଇଯାଇଥିଲା ।

ବହୁ ସମୟ ଧରି ରାସ୍ତା ଉପରେ ପ୍ରାୟ 5 ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେବା ସହ ରାସ୍ତାକଡ ଘର ଗୁଡ଼ିକରେ ପାଣି ପଶିଯାଇଥିଲା । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେହିପରି ଅଟଳ ପାର୍କ ଭିତରେ ପାଣି ପ୍ରବାହିତ ହୋଇ କାନ୍ଥ ଭୁଶୁଡ଼ି ପଡ଼ିଛି । ତେବେ ଏହି ଘଟଣାର କାହାର ଜୀବନ ହାନି ହୋଇନି । ହେଲେ କିଛି ଲୋକ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କାନ୍ଥ ଭୁଶୁଡ଼ିବା ଯୋଗୁଁ ଘଟଣାସ୍ଥଳରେ ଭୟର ବାତାବରଣ ଖେଳିଯାଇଛି । ସେପଟେ ଯେଉଁ ଘର ଭିତରେ ବର୍ଷା ପାଣି ପଶିଯାଇଛି ସେହି ଘରର ଲୋକେ ଏବେ ଅନ୍ୟ ପିଣ୍ଡାରେ ଆଶ୍ରୟ ନେଉଛନ୍ତି ।

ଅସରାଏ ବର୍ଷାରେ ଜଳମଗ୍ନ ଗଜପତି

ବର୍ଷା ପାଣିରେ ବୁଡ଼ି ରହିଥିବା ଲୋକମାନେ ଆଶ୍ରୟସ୍ଥଳକୁ ଯିବା ପାଇଁ ସଜାଗ ରହିଛନ୍ତି । ଯେଉଁମାନଙ୍କ ଉଚ୍ଚା ପକ୍କା ଘରେ ଅଛନ୍ତି ସେମାନେ ନିରାପଦରେ ଅଛନ୍ତି । ଏହି ତଳିଆ ଅଞ୍ଚଳର ଲୋକେ ନାନା ହଇରାଣ ହେଉଛନ୍ତି । ଏହି ବର୍ଷା ଯାେଗୁଁ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ଠପ୍ ହାେଇଯାଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ଯେଉଁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ଗାଁ, ଚାଷଜମି ଜଳମଗ୍ନ ହୋଇଛି । ଜିଲ୍ଲାରେ ପରିସ୍ଥିତି ଏକ ପ୍ରକାର ଉଦବେଗଜନକ ରହିଛି । ଏହି ବର୍ଷା ଯୋଗୁଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ତଳିଆ ଅଞ୍ଚଳର ଗାଁ ଗୁଡ଼ିକ । ଲୋକମାନେ ଘର ଭିତରୁ ପାଣିକୁ କାଢୁଛନ୍ତି । ତେବେ ଘର ବାହାରେ ଏତେ ପାଣି ଦେଖି ଭୟଭୀତ ହୋଇପଡ଼ିଛନ୍ତି ଗ୍ରାମବାସୀ ।

ଘରୁ ଗୋଡ଼ କାଢିବା ବି ମୁସ୍କିଲ ହୋଇ ପଡ଼ିଛି ଲୋକଙ୍କ ପାଇଁ । ଅଣ୍ଟାଏ ଯାଏଁ ଜମିଛି ପାଣି । ଯେଉଁଆଡ଼େ ଆଖି ବୁଲାଇଲେ କେବଳ ବର୍ଷା ପାଣି । ସେପଟେ ଘର ଭିତରେ ପାଣି ପଶି ଯିବାରୁ ଲୋକେମାନେ ମଧ୍ୟ ଘର ଭିତରେ ରହି ପାରୁନାହାନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.