ମାଫିଆଙ୍କ ନଜରରେ ଚନ୍ଦନ ବଣ, କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ

author img

By

Published : Sep 8, 2022, 4:38 PM IST

ମାଫିଆଙ୍କ ନଜରରେ ଚନ୍ଦନ ବଣ, କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ

ମାଫିଆଙ୍କ ନଜରରେ ଚନ୍ଦନ ବଣ । ଭରି ରହିଛି ମୂଲ୍ୟବାନ ଗଛ । ପ୍ରତିଦିନ ଏହି ଗଛକୁ କାଟି ନେଉଛନ୍ତି ମାଫିଆ। ହେଲେ କୁମ୍ଭ ନିଦ୍ରାରେ ଶୋଇଛି ବନ ବିଭାଗ । ଅଧିକ ପଢ଼ନ୍ତୁ

ଗଜପତି : ବିପଦରେ ପାରଳାଖେମୁଣ୍ଡି ବିରଳ ରକ୍ତ ଚନ୍ଦନ ବଣ । ପାରଳାଖେମୁଣ୍ଡି ବନଖଣ୍ଡ ଅଧୀନରେ ଥିବା ଏହି ବଣ ଦକ୍ଷିଣ ଏସିଆର ଏକ ମାତ୍ର ସ୍ଥାନ ଯେଉଁଠି ଭରି ରହିଛି ଏହି ମୂଲ୍ୟବାନ ରକ୍ତ ଚନ୍ଦନ ଗଛ । ତେବେ ଏହି ମୂଲ୍ୟବାନ ଗଛକୁ ସୁରକ୍ଷା ଦେବା ବଦଳରେ ମୁକୁଳା ଛାଡ଼ିଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବନ ବିଭାଗ । ଯାହାର ସମ୍ପୂର୍ଣ୍ଣ ଫାଇଦା ଉଠାଉଛନ୍ତି ଚନ୍ଦନ କାଠ ମାଫିଆ ।

ମାଫିଆଙ୍କ ନଜରରେ ଚନ୍ଦନ ବଣ, କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ

ପ୍ରତିଦିନ ଏହି ଗଛକୁ କାଟି ନେଉଛନ୍ତି ମାଫିଆ । କିଛିଦିନ ଅନ୍ତରରେ ଶହ ଶହ କିଲୋ ଓଜନର ରକ୍ତ ଚନ୍ଦନ କାଠକୁ ଭାୟା ଚେନ୍ନାଇ ଏବଂ ହାଇଦ୍ରାବାଦ ଦେଇ ବିଦେଶକୁ ରପ୍ତାନୀ କରାଯାଇଛି । ସେପଟେ ଆନ୍ଧ୍ର ପୁଲିସ୍ ହାତରେ ଏକାଧିକବାର ରକ୍ତ ଚନ୍ଦନ ତସ୍କରୀ ଗ୍ୟାଙ୍ଗ ଧରାପଡିବା ପରେ ଏହା ସ୍ପଷ୍ଟ ହୋଇଛି । ହେଲେ ଏହି ରାକେଟକୁ ଧରିବାରେ ବନବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ତେବେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହି ନିଜର ଦାୟିତ୍ବ ସାରି ଦେଇଛି ବନବିଭାଗ । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୂଚନାନୁସାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନବିଭାଗ ଅଧୀନସ୍ଥ ମହେନ୍ଦ୍ରଗିରି ବନାଞ୍ଚଳ ଅଧୀନରେ ରହିଛି ରକ୍ତ ଚନ୍ଦନ ବଣ । ପାରଳା ମହାରାଜାଙ୍କ ତତ୍ବାବଧାନରେ ସୃଷ୍ଟି ହୋଇଥିବା ଏହି ରକ୍ତ ଚନ୍ଦନ ବଣ ଦକ୍ଷିଣ ଏସିଆର ବୃହତ ଅଞ୍ଚଳ ବୋଲି କୁହାଯାଏ । ଔଷଧୀୟ ଗୁଣରେ ଭରପୁର ଏହି ଗଛରେ ପରିପୂର୍ଣ୍ଣ ବଣ ଏବେ ମାଫିଆଙ୍କ ଲୋଲୁପ ଦୃଷ୍ଟିରେ । ପ୍ରତିଦିନ ଏହି ବଣରୁ ମୂଲ୍ୟବାନ ଗଛକୁ କାଟି ନେଇ ମାଫିଆ ମାନେ ଭାୟା ହାଇଦ୍ରାବାଦ୍, ଦିଲ୍ଲୀ ଏବଂ ଚେନ୍ନାଇ ଭଳି ସହର ଦେଇ ବିଦେଶକୁ ଚାଲାଣ କରିଥାନ୍ତି । ହେଲେ ପୋଲିସ ଏ ସମ୍ପର୍କରେ କୌଣସି ଟେର୍‌ ପାଉନି । ଏପରିକି ଗଜପତି ଜିଲ୍ଲାର ଗୋଟିଏ ଥାନା ଦେଇ ଏହି କାଠ ବୋଝେଇ ଗାଡି ପାର୍ ହେଉଥିଲେ ମଧ୍ୟ ପୁଲିସ୍ ଜାଣିପାରୁନି ।

ବୁଧବାର ଗଜପତି ଜିଲ୍ଲାର ଗଣ୍ଡାହାତୀ ଅଞ୍ଚଳରୁ ଏଭଳି ଭାବେ ଦୁଇକୋଟିରୁ ଅଧିକ ଟଙ୍କାର ଚନ୍ଦନ କାଠ ଚେନ୍ନାଇ ଚାଲାଣ ହେଉଥିବା ବେଳେ ଆନ୍ଧ୍ରର ଶ୍ରୀକାକୁଲମ୍ ପୁଲିସ ହାତରେ ଧରା ପଡିଥିଲେ ଚନ୍ଦନ ତସ୍କରୀ । କିଛି ରକ୍ତଚନ୍ଦନ ଗଣ୍ଡିକୁ ଧରି ବିଶାଖପାଟଣା ଅଭିମୁଖେ ଯାଉଥିବା 4ହଜାର 2କିଲୋ ଓଜନର ରକ୍ତ ଚନ୍ଦନ କାଠ ବୋଝେଇ ଟ୍ରକକୁ ଆନ୍ଧ୍ରର ଟେକ୍କାଲି ନିକଟରେ ଶ୍ରୀକାକୁଲମ୍ ପୁଲିସ୍ ଜବତ କରିଥିଲା । ରକ୍ତଚନ୍ଦନ ଗଣ୍ଡି ଚୋରା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୧ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ଅନ୍ୟ ୪ଜଣ ଏବେ ବି ଫେରାର୍ ଅଛନ୍ତି । ହଜାର ହଜାର ଗଛ ମଧ୍ୟରୁ ବର୍ତ୍ତମାନ ହାତଗଣତି କିଛି ଗଛକୁ ବାଦଦେଲେ ବଳକା ସବୁ ଗଛ ଚାଲାଣ ହୋଇସାରିଥିବା ଲୋକେ ଅଭିଯୋଗ କରିବାସହ ବନବିଭାଗର ଦାୟିତ୍ବ ହୀନତା ପ୍ରତି ଅଙ୍ଗୁଳି ଉଠାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଗଜପତିରୁ ଚନ୍ଦନ ଗଛ କଟାଯାଉଛି ଏବଂ ଟ୍ରକରେ ଲୋଡ ହୋଇ ଯାଉଛି ଆଉ ତାର ଟେର ପାଉନି ବନବିଭାଗ । ସେପଟେ ବନ ବିଭାଗ ହାତରେ ଧରା ପଡୁଛନ୍ତି ଚନ୍ଦନ ତସ୍କର ଆଉ ଜବତ ହେଉଛି ମୂଲ୍ୟବାନ ରକ୍ତଚନ୍ଦନ ଗଣ୍ଡି ।

ଓଡିଶାରୁ ରକ୍ତ ଚନ୍ଦନ ଭଳି ଦୁର୍ଲଭ ଗଛ ଚୋରି ହେବା ଦ୍ବାରା ଓଡ଼ିଶା ବଦନାମ ହେବା ସହ କୋଟି କୋଟି ଟଙ୍କାର ରଜସ୍ବ ହାନୀ ମଧ୍ୟ ହେଉଛି । ଏହି କାଠ ଯଦି ଓଡ଼ିଶାରେ ଜବତ ହୋଇଥିଲେ ଓଡ଼ିଶାରେ ରହିଥାନ୍ତା, କିନ୍ତୁ ତାହା ବର୍ତ୍ତମାନ ଆନ୍ଧ୍ରରେ ରହିବ । ତେଣୁ ଏହା ଓଡ଼ିଶାର କ୍ଷତି ବୋଲି ବୁଦ୍ଧିଜୀବିମାନେ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.