ଲଣ୍ଡା ହୋଇଗଲାଣି ରକ୍ତ ଚନ୍ଦନ ବଣ, ୧୨ହଜାର ଗଛରୁ ଏବେ ରହିଛି ୧୩୦ଟି ଗଛ

author img

By

Published : Sep 25, 2022, 4:46 PM IST

Updated : Sep 25, 2022, 5:00 PM IST

ଲଣ୍ଡା ହୋଇଗଲାଣି ରକ୍ତ ଚନ୍ଦନ ବଣ, ୧୨ହଜାର ଗଛରୁ ଏବେ ରହିଛି ୧୩୦ଟି ଗଛ

ଗଜପତି ଜିଲ୍ଲାର ରକ୍ତ ଚନ୍ଦନ ବଣ । ଦିନ ଥିଲା ରକ୍ତ ଚନ୍ଦନ ଗଛରେ ପୂରି ଉଠିଥିଲା ଜଙ୍ଗଲ । ରା.ଉଦୟଗିରି ଏବଂ ନୂଆଗଡ ବ୍ଲକର ବିଭିନ୍ନ ପାହାଡରେ ଲକ୍ଷ ଲକ୍ଷ ଚନ୍ଦନ ଗଛ ରହିଥିଲା । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଲଣ୍ଡା ହୋଇଗଲାଣି ରକ୍ତ ଚନ୍ଦନ ବଣ । ୧୨ହଜାର ଗଛରୁ ଏବେ ରହିଛି ମାତ୍ର ୧୩୦ଟି ଗଛ । ଅଧିକ ପଢନ୍ତୁ

ଗଜପତି: ଦିନ ଥିଲା ରକ୍ତ ଚନ୍ଦନ ଗଛ(red sandalwood )ରେ ଭରପୁର ହୋଇ ରହିଥିଲା ଗଜପତି ଜିଲ୍ଲା । ଏତେ ମାତ୍ରାରେ ଗଛ ରହିଥିଲା ଯେ ଏହା ଏସିଆ ମହାଦେଶର ଏକ ମାତ୍ର ସ୍ଥାନ ବୋଲି କୁହାଯାଉଥିଲା । ବର୍ତ୍ତମାନ କିନ୍ତୁ ଏହା ଲଣ୍ଡା ହୋଇଯାଇଛି । ରା.ଉଦୟଗିରି ଏବଂ ନୂଆଗଡ ବ୍ଲକର ବିଭିନ୍ନ ପାହାଡରେ ଲକ୍ଷ ଲକ୍ଷ ଚନ୍ଦନ ଗଛ ରହିଥିବା ବେଳେ ଗୋଷାଣି ବ୍ଳକର ଲାବାଣ୍ୟଗଡ, ଏବଂ ଗୁମ୍ମା ବ୍ଲକର ନାମନଗଡ ଅଞ୍ଚଳରେ ମହାରାଜାଙ୍କ ଦ୍ବାରା ସୃଷ୍ଟି ହୋଇଥିଲା ରକ୍ତ ଚନ୍ଦନ ବଣ । ଏବେ କିନ୍ତୁ ଚନ୍ଦନ ଗଛ ଖୋଜିଲେ ବି ମିଳିବା କଷ୍ଟକର । କାରଣ ସବୁ ଗଛକୁ ମାଫିଆମାନେ ଲୁଟି ନେଇ ବିକ୍ରି କରି ସାରିଛନ୍ତି ।

ଲଣ୍ଡା ହୋଇଗଲାଣି ରକ୍ତ ଚନ୍ଦନ ବଣ, ୧୨ହଜାର ଗଛରୁ ଏବେ ରହିଛି ୧୩୦ଟି ଗଛ

ବର୍ତ୍ତମାନ ଯେଉଁ କେତୋଟି ଗଛ ରହିଛି ତାହା ଉପରେ ମଧ୍ୟ ଚନ୍ଦନ ଦସ୍ୟୁଙ୍କ ଲୋଲୁପ ଦୃଷ୍ଟି ରହିଛି । ଗତ କିଛି ବର୍ଷ ହେଲା ଚନ୍ଦନ ଦସ୍ୟୁଙ୍କ ନଜର ପଡିଛି ରକ୍ତ ଚନ୍ଦନ ବଣ ଉପରେ । ଔଷଧୀୟ ଗୁଣରେ ଭରପୁର ଥିବା ଏହି ଗଛକୁ ଆଣି ଏଠାରେ ବଣ ସୃଷ୍ଟି କରିବାରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତେବେ ସମୟକ୍ରମେ ଏହା ବନ ବିଭାଗ ଅଧିନକୁ ଆସିଲା । ଏବେ ଏହା ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ମହେନ୍ଦ୍ରଗିରି ଏବଂ ଦେବଗିରି ବନାଅଞ୍ଚଳ ଅଧିନରେ ରହିଛି । ଏହି ଗଛର ଚାହିଦା ଜଣାପଡିବା ପରେ ମାଫିଆମାନେ ଏହି ଜଙ୍ଗଲ ସଫା କରିବା ଆରମ୍ଭ କରିଛନ୍ତି ।

ମହାରାଜାଙ୍କ ଦ୍ବାରା ରୋପଣ କରାଯାଇଥିବା 12ହଜାର ଗଛ ମଧ୍ୟରୁ 2018 ମସିହା ଅକ୍ଟୋବର ମାସ ସୁଦ୍ଧା ଅର୍ଥାତ୍ ତିତିଲି ବାତ୍ୟା ବେଳକୁ ମାତ୍ର 1384ଟି ଗଛ ରହିଥିଲା । ତିତିଲି ବାତ୍ୟାରେ 1237ଟି ଗଛ ପଡିଯାଇଥିଲା । ଯାହାର କାଠ ବନ ବିଭାଗକୁ ଦୁଇଟି ଦଫାରେ ପ୍ରଦାନ କରାଯାଇଛି ଏବଂ 130ଟି ରକ୍ତ ଚନ୍ଦନ ଗଛ ରହିଛି ବୋଲି ପାରଳାଖେମୁଣ୍ଡି ଡିଏଫଓ ଅମ୍ଲାନ ନାୟକ କହିଛନ୍ତି । ହେଲେ ସେ ଦେଇଥିବା ହିସାବ ଅନୁସାରେ ଦେଖିଲେ 47ଟି ଗଛର କୌଣସି ପତ୍ତା ମିଳୁନାହିଁ । ଯାହାର ଉତ୍ତର କାହାରି ପାଖରେ ନାହିଁ ।

ଏହା ମଧ୍ୟ ପଢନ୍ତୁ-ଚଢ଼ା ଦରରେ ସାର ବିକ୍ରି ଅଭିଯୋଗ, ଗଜପତିରେ ଚାଷୀ ନିରାଶ

ସ୍ବତନ୍ତ୍ର ଓଡିଶା ଗଠନର ମୁଖ୍ୟ ବିନ୍ଧାଣି ତଥା ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି 1913 ମସିହାରେ ପାରଳା ରାଜ ସିଂହାସନ ଆରୋହଣ କରିଥିଲେ । ଏହାପରେ ନିଜ ରାଜ୍ୟରେ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟ ଆରମ୍ଭ କରିଥିଲେ । ତତ୍କାଳୀନ ମାଡ୍ରାସ୍ ପ୍ରେସିଡେନ୍ସିରେ ମହାରାଜାଙ୍କ ସ୍ବତନ୍ତ୍ର ଖାତିର ରହିଥିବାରୁ ସେ ବିଭିନ୍ନ ସ୍ଥାନରୁ ରକ୍ତ ଚନ୍ଦନ ଗଛ ସଂଗ୍ରହ କରି ପାରଳାଖେମୁଣ୍ଡି ନିକଟରେ ବଣ ସୃଷ୍ଟି କରିଥିଲେ । ଯଦିଓ ସେ କେତେ ଗଛ ଲଗାଇଥିଲେ ତାହାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ, ତଥାପି ପ୍ରାୟ 12ହଜାର ଗଛ ଲଗାଇ ବଣ ସୃଷ୍ଟି କରିଥିଲେ । ଏପରିକି ଏହାର ସୁରକ୍ଷା ମଧ୍ୟ ସେ ନିଜେ ତଦାରଖ କରୁଥିଲେ । ବିଶେଷ କରି ଭାରତ ସ୍ବାଧୀନତା ପରେ ଏହି ବଣ ସରକାରଙ୍କ ଅଧିନକୁ ଯାଇଥିଲା । ଢେର କିଛି ବର୍ଷ ଏହି ଗଛର ଆବଶ୍ୟକତା ସଂପର୍କରେ ଲୋକେ ଜାଣିନଥିଲେ । ତେଣୁ ଏହି ବଣର କୌଣସି କ୍ଷତି ହୋଇନଥିଲା । ତେବେ 1990ବେଳକୁ ରକ୍ତ ଚନ୍ଦନର ଗୁଣ ସଂପର୍କରେ ଲୋକେ ସଚେତନ ହେବା ପରେ ତସ୍କରୀ ଆରମ୍ଭ ହୋଇଥିଲା ।

''1991 ଯାଏଁ ମଧ୍ୟ ଏହି ବଣରେ ଭରପୁର ରକ୍ତ ଚନ୍ଦନ ଗଛ ରହିଥିଲା । ଏହାପର ଠାରୁ 2021 ମସିହା ଅର୍ଥାତ୍ ପ୍ରାୟ 30ବର୍ଷ ମଧ୍ୟରେ ଏହି ଜଙ୍ଗଲ ଶ୍ରୀହୀନ ହୋଇଥିବା କୁହାଯାଉଛି । ତେବେ ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟ।ଳୟରୁ ମିଳିଥିବା ତଥ୍ୟ ଅନୁସାରେ, ''1991 ମସିହା ଠାରୁ 2021 ଜୁନ୍ ଶେଷ ପର୍ଯ୍ୟନ୍ତ ବନ ବିଭାଗ ରକ୍ତ ଚନ୍ଦନ ଚାରା ଚାଲାଣ ସମୟରେ ଧରପଗଡ କରି 217ଟି ମାମଲା କରିଥିବା ବେଳେ 2616.317 ଘନଫୁଟ କାଠକୁ ଜବତ କରିଛି, ଯାହାର ଓଜନ ପ୍ରାୟ 66345.636 କିଲୋ ବା 66.345 ମେଟ୍ରିକ ଟନ୍ । ଏତେ ପରିମାଣର କାଠ ବର୍ତ୍ତମାନ ନାରାୟଣପୁର ରେଞ୍ଜ ଅଫିସର ବାହାରେ ଓ ମାଲଖାନାରେ ଖତ ଖାଉଥିଲେ ମଧ୍ୟ ଏହାକୁ ବିକ୍ରି କରିବା ଏବଂ ଆୟ ଟଙ୍କାରେ ନୂଆ ବଣ ସୃଷ୍ଟି କରିବା ଦିଗରେ ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ବୁଦ୍ଧିଜୀବୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।''

ରକ୍ତଚନ୍ଦନ ଭଳି ଏହି ମୂଲ୍ୟବାନ ଗଛର ସୁରକ୍ଷା ଏବଂ ନୂତନ ବନ ସୃଷ୍ଟି କରିବା ଦିଗରେ ବନ ବିଭାଗର ଆନ୍ତରିକତା ନଥିବାରକୁ ଏଭଳି ହେଉଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । ବନ ସୃଷ୍ଟି ସମୟରେ ଲଗାଯାଇଥିବା 12 ହଜାର ଗଛ ମଧ୍ୟରୁ କେବଳ 130ଟି ଗଛ ବଳକା ରହିଥିବା ବେଳେ ବାକି ସବୁ ଚୋରି ହୋଇଛି, କିମ୍ବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ନଷ୍ଟ ହୋଇଛି । ଗତ 30ବର୍ଷ ଗଛ ନଷ୍ଟ ହୋଇଥିଲେ ମଧ୍ୟ ଏହା ନୂତନ ଗଛ ଲଗାନଯିବା କିମ୍ବା କୌଣସି ସୁରକ୍ଷା ଯୋଗାଇ ଦିଆନଯିବା ବନ ବିଭାଗ ଏବଂ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ଜବତ କାଠକୁ ବିକ୍ରି କରାନଯାଇ କାହିଁକି ପକାଇ ରଖାଯାଇଛି, ତାହା ଜାଣିବା ପାଇଁ ପାରଳାଖେମୁଣ୍ଡି ଡିଏଫଓଙ୍କୁ ପଚିରିଥିଲୁ । ଡିଏଫଓ ଅମ୍ଲାନ ନାୟକ କହିଛନ୍ତି, "ରକ୍ତ ଚନ୍ଦନ କାଠ ବିକ୍ରି ପାଇଁ ସ୍ବତନ୍ତ୍ର ନିୟମ ରହିଛି । ତେଣୁ ସେହି ନିୟମ ଅନୁସାରେ ନିର୍ଦ୍ଦେଶ ଆସିଲେ ଏହାକୁ ବିକ୍ରି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ରକ୍ତ ଚନ୍ଦନ ଗଛକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ସଂପୂର୍ଣ୍ଣ ପ୍ରୟାସ କରୁଛି । ମାଫିଆମାନେ ଗଛ କାଟିବା ସମୟରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ମାରଣାସ୍ତ୍ର ଧରିଥାନ୍ତି । ବନ ବିଭାଗ କର୍ମଚାରୀମାନଙ୍କ ପାଖରେ କେବଳ ବାଡି ଖଣ୍ଡିଏ ବ୍ୟତୀତ ଆଉ କିଛି ନାହିଁ । ତେଣୁ ଏହାକୁ ସୁରକ୍ଷା ଦେବା ସମ୍ଭବ ହେଉନାହିଁ, ତେବେ ପାରୁ ପର୍ଯ୍ୟନ୍ତ ଆମେ ଚେଷ୍ଟା କରୁଛୁ । ରକ୍ତ ଚନ୍ଦନ ବଣ ବିପଦରେ ପଡିବା ଘଟଣାକୁ ନେଇ କେବଳ ବନ ବିଭାଗ କର୍ମଚାରୀମାନଙ୍କୁ ଦାୟୀ କରିଦେଲେ ଚଳିବ ନାହିଁ ।''

ଦକ୍ଷିଣ ଏସିଆର ଏହି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ କୋଟି କୋଟି ଟଙ୍କାର ଦୁର୍ଲଭ ଗଛ ରହିଥିବା ବେଳେ ସୁରକ୍ଷା ଦେବା ପାଇଁ ସରକାରୀ ସ୍ତରରେ ମଧ୍ୟ ଆଜି ଯାଏଁ କୌଣସି ସ୍ବତନ୍ତ୍ର ଯୋଜନା ହୋଇନାହିଁ । ଯାହାର ସୁଯୋଗ ନେଇ ଚନ୍ଦନ ତସ୍କରମାନେ ଏହାକୁ ଲୁଟି ନେଇଛନ୍ତି । ଏପରିକି ବିଦେଶକୁ ଚାଲାଣ କରି କୋଟି କୋଟି ଟଙ୍କା ଆୟ ମଧ୍ୟ କରିଛନ୍ତି । ତେବେ ବଳକା ଥିବା ଗଛକୁ ସୁରକ୍ଷା ଦେବା ଏବଂ ନୂତନ ରକ୍ତ ଚନ୍ଦନ ବଣ ସୃଷ୍ଟି ପାଇଁ ସରକାର କେବେ ସ୍ବତନ୍ତ୍ର ଯୋଜନା କରୁଛନ୍ତି ତାହା ଦେଖିବାର କଥା।

ଇଟିଭି ଭାରତ, ଗଜପତି

Last Updated :Sep 25, 2022, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.