ଆସୁଛି ବର୍ଷା, ଖୋଲିନି ମଣ୍ଡି: ଗଜପତିରେ ଶାଗମାଛ ଦରରେ ବିକ୍ରି ହେଉଛି ଧାନ

author img

By

Published : Nov 29, 2021, 6:32 PM IST

Mandi Tension in Gajapati: ଆସୁଛି ବର୍ଷା, ଖୋଲିନି ମଣ୍ଡି, ଶାଗମାଛ ଦରରେ ବିକ୍ରି ହେଉଛି ଧାନ

ଏଯାଏଁ ମଣ୍ଡି ଖୋଲିନାହିଁ ସେପଟେ ଅମଳ ଧାନ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ଚାଷୀଙ୍କ ସମସ୍ୟା ଯୋଗୁଁ ଆନ୍ଧ୍ର ବ୍ୟବସାୟୀମାନେ ଚାଷୀଙ୍କ ଅମଳ ଧାନକୁ ଶାଗମାଛ ଦରରେ କିଣି ନେଉଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଗଜପତି: ପୁଣି ଏକ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଗଜପତି ଜିଲ୍ଲାରେ ଏଯାଏଁ ମଣ୍ଡି ଖୋଲିନାହିଁ ସେପଟେ ଅମଳ ଧାନ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ଫଳରେ ଧାନ ଅମଳ ପରେ ସାଇତି ରଖିବାରେ ସମସ୍ୟା ଭୋଗୁଛନ୍ତି ଗଜପତି ଜିଲ୍ଲା ଚାଷୀ । ତେବେ ବାରମ୍ବାର ବର୍ଷାମାଡ଼ ଆନ୍ଧ୍ର ବ୍ୟବସାୟୀଙ୍କୁ ବେଶ୍ ସୁହାଇଛି । ଚାଷୀଙ୍କ ସମସ୍ୟା ଯୋଗୁଁ ଆନ୍ଧ୍ର ବ୍ୟବସାୟୀମାନେ ଚାଷୀଙ୍କ ଅମଳ ଧାନକୁ ଶାଗମାଛ ଦରରେ କିଣି ନେଉଥିବା ଅଭିଯୋଗ ହୋଇଛି । ପ୍ରତିଦିନ ଶହ ଶହ ଟ୍ରକ୍ ଧାନ ଆନ୍ଧ୍ରକୁ ଚାଲାଣ ହେଉଛି । ସେପଟେ ଡିସେମ୍ବର ଶେଷ ସପ୍ତାହରେ ଜିଲ୍ଲାରେ ମଣ୍ଡି ଖୋଲିବ । ସେହି ସମୟ ଯାଏଁ ଚାଷୀ ଅମଳ ଧାନକୁ ସୁରକ୍ଷିତ ଭାବେ ରଖିବା ପାଇଁ ଉପଦେଶ ଦେଇଛନ୍ତି ଯୋଗାଣବିଭାଗ ଅଧିକାରୀ ।

Mandi Tension in Gajapati: ଆସୁଛି ବର୍ଷା, ଖୋଲିନି ମଣ୍ଡି, ଶାଗମାଛ ଦରରେ ବିକ୍ରି ହେଉଛି ଧାନ

ଅମଳ ଧାନକୁ କେତେକ ଚାଷୀ ଖୋଲା ଆକାଶ ତଳେ ପକାଇ ରଖିଛନ୍ତି ତ ଆଉ କିଛି ଧାନ କାଟି ଗଦା କରି ରଖିଛନ୍ତି । ଚଳିତ ବର୍ଷ ବାରମ୍ବାର ବର୍ଷା ହେଉଥିବାରୁ ଖୋଲା ଆକାଶ ତଳେ ଥିବା ଧାନ ନଷ୍ଟ ହେବା ଆଶଙ୍କା ରହିଛି । ଚାଷୀମାନେ ନିଜ ଧାନ ବିକ୍ରି କରିବା ପାଇଁ ବ୍ୟଗ୍ର ହୋଇ ରହିଛନ୍ତ । ଏହାର ଫାଇଦା ନେଇ ଆନ୍ଧ୍ର ବ୍ୟବୟାସୀମାନେ ଏବଂ ଗଜପତି ଜିଲ୍ଲାରେ ଡେରା ପକାଇ ବସିଛନ୍ତି । ଚାଷୀଙ୍କ ଠାରୁ ଶାଗମାଛ ଦରରେ ଧାନ କିଣିନେବାକୁ ପ୍ରୟାସ କରୁଛନ୍ତି । ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀ ମଧ୍ୟ ଆନ୍ଧ୍ର ବ୍ୟବସାୟୀଙ୍କ କଥାରେ କମ୍ ଦରରେ ହେଉ ପଛେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ଏହା ବି ପଢ଼ନ୍ତୁ ହେକ୍ଟର ହେକ୍ଟର ଜମି ଜଳମଗ୍ନ: ପଚିଲା ପାଚିଲା ଧାନ, କାନ୍ଦୁଛି ଚାଷୀ

ଚାଷୀମାନଙ୍କ ନାମ ପଞ୍ଜିକରଣ ସମୟରେ ସେମାନଙ୍କ ପ୍ରକୃତ ଜମି ବଦଳରେ ବହୁ କମ୍ ଜମି ଥିବା ଦର୍ଶାଯାଇଛି । ଫଳରେ ବଳକା ଧାନକୁ ସେମାନେ କିଭଳି ବିକ୍ରି କରିବେ ସେନେଇ ଚିନ୍ତାରେ ପଡିଛନ୍ତି । ଗତ ଲଗାଣ ବର୍ଷାରେ ଅନେକ ଧାନ ନଷ୍ଟ ହୋଇଛି । ଏବେ ଆଉ ଲଘୁଚାପ ବର୍ଷା ଦିନେ ଦୁଇଦିନ ମଧ୍ୟରେ ଆରମ୍ଭ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ନେଇ ଚାଷୀ ଅଧିକ ଚିନ୍ତିତ ହୋଇପଡିଛନ୍ତି । ତେଣୁ ନିଜର ଅମଳ ଧାନକୁ କମ୍ ଦର ହେଉ ପଛେ ବିକ୍ରି କରୁଛନ୍ତି ।

ଚଳିତ ବର୍ଷ ସରକାର ଧାନ କ୍ବିଣ୍ଟାଲ ପିଛା 1940 ଟଙ୍କା ଦର ଧାର୍ଯ୍ୟ କରିଛନ୍ତି । ହେଲେ ଚାଷୀ ବର୍ତ୍ତମାନ ପରିସ୍ଥିତିରେ ଅମଳ ଧାନକୁ ମାତ୍ର ୯ଶହରୁ ୧ ହଜାର ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏତେ ଶୀଘ୍ର ମଣ୍ଡି ଖୋଲିବା ନଇ କୌଣସି ସୂଚନା ନଥିବା ବେଳେ ଲଘୁଚାପ ଜନିତ ବର୍ଷାରେ ଧାନ ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ । ସେପଟେ ଚାଷୀଙ୍କ ସ୍ବାର୍ଥ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିବା ବଦଳରେ ଅତି ହାଲୁକା ଢଙ୍ଗରେ ନିଜ ମତ ରଖିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ଡିସେମ୍ବର ଶେଷ ସପ୍ତାହରେ ମଣ୍ଡି ଖୋଲାଯିବାକୁ ସ୍ଥିର ହୋଇଛି । ସେହି ସମୟ ଯାଏଁ ଚାଷୀ ନିଜ ଧାନ ନିଜେ ସୁରକ୍ଷିତ ଭାବେ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି । ପ୍ରଶାସନିକ ଅବହେଳାରେ ପେଷି ହେଉଛନ୍ତି ସାଧାରଣ ଚାଷୀ । ଏଭଳି ସ୍ଥିତିରେ ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ପଦେକ୍ଷପ ଗ୍ରହଣ କରୁଥିବା ଘୋଷଣା ସରକାରଙ୍କ କେବଳ ଫମ୍ପା ଆୱାଜ୍ ବୋଲି ମନେ ହେଉଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.