ଗଜପତିରେ ଡେଙ୍ଗୁ ଆତଙ୍କ, ଶୋଇଛି ପ୍ରଶାସନ !

author img

By

Published : Sep 6, 2022, 9:13 PM IST

ଗଜପତିରେ ଡେଙ୍ଗୁ ଆତଙ୍କ

ଗଜପତିରେ ବ୍ୟାପିଛି ଡେଙ୍ଗୁ । କାୟା ମେଲାଉଛି ଡେଙ୍ଗୁ ଭୂତାଣୁ । ଏଯାଏଁ ଜିଲ୍ଲାରେ 31 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 24 ଜଣ ଚିକିତ୍ସାଧୀନ ରହିଛନ୍ତି । ଅଧିକ ପଢ଼ନ୍ତୁ

ଗଜପତି: ଗଜପତି ଜିଲ୍ଲାରେ ବ୍ୟାପୁଛି ଡେଙ୍ଗୁ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 31ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ବେସରକାରୀ ଭାବେ ଏହି ସଂଖ୍ୟା ଢେର୍ ଅଧିକ । ସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣ ପାଇଁ ପ୍ରଶାସନର କୌଣସି ତତ୍ପରତା ପ୍ରକାଶ ନପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପାରଳାଖେମୁଣ୍ଡି ସହରର ସ୍ଥିତିକୁ ଦେଖିଲେ ପୌରପରିଷଦ ଡେଙ୍ଗୁ ଚାଷ କରୁଥିବା ଭଳି ମନେ ହେଉଛି ।

ସହରର ଅଧିକାଂଶ ସ୍ଥାନରେ କୁଢ କୁଢ ମଇଳା ଜମି ରହୁଥିବା ବେଳେ ନାଳ ନର୍ଦ୍ଦମାରୁ ସଠିକ ଭାବେ ଭାବେ ଅଳିଆ ଉଠାଯାଉନଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମିରହୁଛି । ସହରର ଏମିତି କିଛି ସ୍ଥାନ ରହିଛି ଯେଉଁଠି ସହରର ଉନ୍ନତି କରିବା ଆଳରେ ଯେଉଁଭଳି କାମ ହୋଇଛି ତାହାର ପ୍ରଭାବରେ ଜଳ ନିଷ୍କାସନ ମଧ୍ୟ ହୋଇପାରିନାହିଁ । ଫଳରେ ସାମାନ୍ୟ ବର୍ଷା ହେଲେ ସହର ତଳି ଅଞ୍ଚଳରେ କୁତ୍ରିମ ବନ୍ୟା ସୃଷ୍ଟି ହେଉଛି ।

ଗଜପତିରେ ଡେଙ୍ଗୁ ଆତଙ୍କ

ଫଳରେ ଘରମାନଙ୍କରେ ପାଣି ପଶି ନାହିଁନଥିବା ସମସ୍ୟା ସୃଷ୍ଟି କରୁଛି। ଖାଲିସେତିକି ନୁହେଁ ଅଧିକାଂଶ ସ୍ଥାନରେ ନାଳ ମୁକୁଳା ପଡିଛି । ପଇଡ଼ ଖୋଳପା ଗୁଡିକ ଏଣେତେଣେ ପଡ଼ିଛି । ଏହି ସବୁଥିରେ ପାଣି ଜମି ସମସ୍ୟା ସୃଷ୍ଟି କରୁଛି । ତଥାପି ଏଥିରେ ସୁଧାର ଆଣିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବର୍ତ୍ତମାନ ଜିଲ୍ଲାରେ ଡେଙ୍ଗୁ ବ୍ୟାପିବାରେ ଲାଗିଥିବା ବେଳେ ପୌର ପ୍ରଶାସନର ଖାମଖିଆଲି ମନୋଭାବ ଏହି ସମସ୍ୟାକୁ ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଥିବା ଲୋକେ ଅଭିଯୋଗ କରିଛନ୍ତି । "ଜିଲ୍ଲାରେ ଗତ ବର୍ଷ 146 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଏଯାଏଁ 31ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ପ୍ରଦୀପ କୁମାର ପାତ୍ର କହିଛନ୍ତି ।" ତେବେ ଚିହ୍ନଟ 31 ଜଣଙ୍କ ମଧ୍ୟରୁ 24 ଜଣଙ୍କ ଚିକିତ୍ସାଧିନ ରହିଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଏପରିକି 3 ଜଣ ମଧ୍ୟ ରାୟଗଡାରେ ଚିତିତ୍ସାଧିନ ଅଛନ୍ତି ।

ତେବେ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ସେଭଳି ହେଲେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଥିବା ଡ.ପ୍ରଦୀପ କୁମାର ପାତ୍ର କହିଛନ୍ତି । ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପୌରପ୍ରଶାସନର ଏଭଳି ଖାମଖିଆଲି ମନୋଭାବ ସ୍ଥିତକୁ ବିଗାଡିବା ଆଶଙ୍କା ପ୍ରକାଶ ପାଇଛି । ତେଣୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.