ରଣକ୍ଷେତ୍ର ପାଲଟିଲା ଅଡ଼ବା ପୋଲିସ ଷ୍ଟେସନ, ଥାନାରେ ପଶି ପୋଲିସକୁ ପିଟିଲେ ଗ୍ରାମବାସୀ

author img

By

Published : Sep 13, 2022, 2:13 PM IST

Updated : Sep 13, 2022, 10:47 PM IST

ଥାନାରେ ପଶି ପୋଲିସକୁ ଆକ୍ରମଣ

ଗଞ୍ଜେଇ କାରବାର ନେଇ ବିଳମ୍ବିତ ରାତିରେ ଝରଣପୁର ଗାଁରେ ଚଢ଼ାଉ କରିଥିଲା ପୋଲିସ । ଏହାକୁ ବିରୋଧ କରି ଥାନାରେ ପଶି ପୋଲିସକୁ ଆକ୍ରମଣ କରିଛନ୍ତି ଉତ୍ୟକ୍ତ ଲୋକ । ଅଧିକ ପଢନ୍ତୁ

ଗଜପତି: ରଣକ୍ଷେତ୍ର ପାଲଟିଲା ଗଜପତି ମୋହନା ଅଡ଼ବା ଥାନା । ପୋଲିସ କର୍ମଚାରୀଙ୍କୁ ମାଡ ମାରିବା ସହ ଥାନା ପରିସରରେ ଲଙ୍କାକାଣ୍ଡ ଘଟାଇଛନ୍ତି ଉତ୍ୟକ୍ତ ଗ୍ରାମବାସୀ । ଗେଟ୍ ଭାଙ୍ଗି ଥାନାକୁ ପୋଲିସକୁ ଆକ୍ରମଣ ସହ ଥାନାରେ ଭଙ୍ଗାରୁଜା କରିଛନ୍ତି ଲୋକ । ଭୟରେ ଥାନା ଛାଡ଼ି ପଳାଇଛନ୍ତି ପୋଲିସ କର୍ମଚାରୀ ଫଳରେ ଖାଲି ପଡ଼ିଛି ଥାନା । ଗଞ୍ଜେଇ କାରବାର ନେଇ ବିଳମ୍ବିତ ରାତିରେ ଝରଣପୁର ଗାଁରେ ପୋଲିସ ଚଢ଼ାଉ କରିଥିଲା । ଯାହାର ପରିଣାମ ଏପରି କାଣ୍ଡ ଘଟାଇଛନ୍ତି ଲୋକେ । ପୋଲିସ କାର୍ଯ୍ୟନୁଷ୍ଠାନକୁ ବିରୋଧ କରି ଥାନା ଘେରାଉ କରି ପୋଲିସକୁ ଆକ୍ରମଣ କରିଛନ୍ତି ଉତ୍ୟକ୍ତ ଲୋକ । ଗଜପତି ଅଡ଼ବା ଥାନା ପୋଲିସ ଗତକାଲି ଝରଣପୁର ଗାଁରେ ରାତି ଅଧିଆ ଚଢ଼ାଉ କରିଥିଲା । ସେଠାରୁ ପୋଲିସ୍‌ ବିଶ୍ବନାଥ ଭୂୟାଁ ନାମକ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇଥିଲା ।

ରଣକ୍ଷେତ୍ର ପାଲଟିଲା ଅଡ଼ବା ପୋଲିସ ଷ୍ଟେସନ, ଥାନାରେ ପଶି ପୋଲିସକୁ ପିଟିଲେ ଗ୍ରାମବାସୀ

ଘରେ ରଖିଥିଲେ ଗଞ୍ଜେଇ

ଗଜପତି ଜିଲ୍ଲରୁ ଗଞ୍ଜେଇ ଚୋରାଚାଲାଣ ହେବା କିମ୍ବା ଏହି ସମୟରେ ପୁଲିସ୍ ହାତରେ ଧରା ପଡି ଗିରଫ ହେବା କିଛି ନୂଆ କଥା ନହେଁ । ରବିବାର ଦିନ ଅଡବା ପୋଲିସ୍ ଏକ ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା ଯେ, ଚୁଡଙ୍ଗପୁର ପଞ୍ଚାୟତର ଝରଣପୁର ଗାଁର ବିଶ୍ବନାଥ ଭୂୟାଁ ଚୋରାଚାଲାଣ ପାଇଁ ନିଜ ଘରେ ରଖିଛନ୍ତି । ସୋମବାର ଦିନ ଏହାକୁ ଚାଲାଣ କରାଯିବ । ଏହାପରେ ଝରଣପୁର ଗାଁର ବିଶ୍ବନାଥ ଭୂୟାଁଙ୍କୁ ଗିରଫ କରିଥିଲା। ବିଶ୍ବନାଥଙ୍କ ଘରୁ 207କିଲୋ ଗଞ୍ଜେଇ ମଧ୍ୟ ପୋଲିସ୍ ଜବତ କରିଥିଲା । ତେବେ ମିଥ୍ୟା ମାମଲାରେ ବିଶ୍ବନାଥଙ୍କୁ ଗିରଫ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ଗ୍ରାମବାସୀ ।

ଥାନାରେ ପଶି ପୋଲିସକୁ ପିଟିଲେ

ସୋମବାର ବିଶ୍ବନାଥଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲା । ଏହାପୂର୍ବରୁ ସୋମବାର ଦିନ ତମାମ ବିଶ୍ବନାଥଙ୍କୁ ଛାଡ଼ିବାକୁ ଦାବି କରି ଆସୁଥିଲେ ଗ୍ରାମବାସୀ । ତେବେ କୋର୍ଟ ଚାଲାଣ କଥା ଜାଣିବା ପରେ ଗ୍ରାମବାସୀ ଥାନା ଭିତରକୁ ଧସେଇ ପଶିଥିଲେ । ଏହାପରେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସକୁ ଆକ୍ରମଣ କରିଥିଲେ । ପୋଲିସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଗ୍ରାମବାସୀ ।

ଥାନାରେ ପଶି ପୋଲିସକୁ ଆକ୍ରମଣ

ବିଶ୍ବନାଥଙ୍କୁ ଖଲାସ ପାଇଁ ଦାବି

ସୋମବାର ଦିନ ତମାମ ଲୋକେ ତାଙ୍କୁ ଛାଡିବା ପାଇଁ ଚାପ ପକାଇ ଆସୁଥିଲେ। କିନ୍ତୁ ଏଥିରେ ବିଫଳ ହେବା ପରେ ମଙ୍ଗଳବାର ସକାଳୁ ଏହି ଅଞ୍ଚଳର ଶତାଧିକ ଲୋକେ ଥାନା ଘେରାଉ କରିବା ସହ ପୋଲିସ୍ ମିଛ ମାମଲାରେ ବିଶ୍ବନାଥଙ୍କୁ ଗିରଫ କରିଥିବା ଅଭିଯୋଗ କରିଥିଲେ । ପୋଲିସ୍ ଆକ୍ରୋଶମୂଳକ ଭାବେ ବିଶ୍ବନାଥଙ୍କୁ ଗିରଫ କରିଥିବା ଅଭିଯୋଗ କରିଥିଲେ । ତାଙ୍କ ଘରୁ କୌଣସି ଗଞ୍ଜେଇ ମିଳିନଥିବା ଲୋକେ ଅଭିଯୋଗ କରିବା ସହ ତୁରନ୍ତ ବିଶ୍ବନାଥକୁ ଖଲାସ କରିବା ଦାବିରେ ଅଡ଼ି ବସିଥିଲେ ।

ଏହାକୁ ନେଇ ଆନ୍ଦୋଳନକାରୀ କହିଛନ୍ତି, " ପୋଲିସ ରାତି ଅଧରେ ଘରେ ଭିତରେ ପଶି ଲୋକଙ୍କୁ ଏଭଳି ମିଥ୍ୟା ମାମଲାରେ ଗିରଫ କରୁଛି । ବିଶ୍ବନାଥଙ୍କୁ ଖଲାସ ନକରିବା ଯାଏଁ ଆମେ ଆନ୍ଦୋଳନରୁ ହଟିବୁ ନାହିଁ ।"

ବୁଝାସୁଝା କରୁଛି ପୋଲିସ ଓ ପ୍ରଶାସନ

ପୋଲିସକୁ ଆକ୍ରମଣ ଖବର ମିଳିବା ପରେ ଘଟଣାସ୍ଥଳରେ ଆର.ଉଦୟଗିରି ଏସଡିପିଓ ଏବଂ ମୋହନା ବିଡିଓ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ତେବେ ଏଥିରୁ କୌଣସି ସୁଫଳ ମିଳିପାରିନାହିଁ । ବିଶ୍ବନାଥଙ୍କୁ ଖଲାସ କରିବା ପାଇଁ ଲୋକେ ଅଡିବସିଥିବାରୁ କୌଣସି ନିସ୍କର୍ଷ ବାହାରି ପାରିନାହିଁ । ତେବେ ବର୍ତ୍ତମାନ ଶାନ୍ତି କମିଟି ବୈଠକ ଆରମ୍ଭ ହୋଇଛି ।

ଏହାକୁ ନେଇ ମୋହନା ବିଡିଓ ତପସ୍ବିନୀ ହାଁସଦା କହିଛନ୍ତି, "ଲୋକ ପ୍ରତିନିଧିଙ୍କୁ ଏଥିରେ ସାମିଲ କରାଯିବ । ତା ସହିତ ଉପରିସ୍ଥ ଅଧିକାରୀଙ୍କ ସହ ଏସମ୍ପର୍କରେ ଆଲୋଚନା କରାଯିବ । ନିଶ୍ଚିତ ଭାବରେ କୌଣସି ନା କୌଣସି ନିଷ୍କର୍ସ ବାହାର କରାଯିବ ।"

ଏହାକୁ ନେଇ ଆର.ଉଦୟଗିରି ଏସଡିପିଓ ଦୀଲ୍ଲିପ କୁମାର ନାୟକ କହିଛନ୍ତି, "ଗ୍ରାମବାସୀଙ୍କ ଆକ୍ରମଣରେ ଆହତ ହୋଇଥିବା ପୋଲିସ କର୍ମୀଙ୍କୁ ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି । ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଘଟଣାର ଖବର ପାଇ ମୋହନା ବିଡିଓ, ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାର ସମାଧାନ ପାଇଁ ଉଦ୍ୟମ ଚାଲିଥିବା ଏସ୍‌ଡିପିଓ କହିଛନ୍ତି । ମିଥ୍ୟା ମାମଲାରେ ବିଶ୍ୱନାଥଙ୍କୁ ପୋଲିସ ଫସାଇଛି ତାଙ୍କୁ ଛାଡ଼ିବା ସହ ତାଙ୍କ ନାମରେ ଥିବା ମାମଲା ପ୍ରତ୍ୟାହାର କରିବାକୁ କହିଛନ୍ତି ଲୋକେ ।

ଇଟିଭି ଭାରତ, ଗଜପତି

Last Updated :Sep 13, 2022, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.