ବଢୁଛି ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା, ଚିନ୍ତାରେ ପାରଳାଖେମୁଣ୍ଡି ମୃଣ୍ମୟୀ ମୂର୍ତ୍ତି କାରିଗର

author img

By

Published : Aug 28, 2022, 6:41 PM IST

Updated : Aug 28, 2022, 8:21 PM IST

ବଢୁଛି ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା, ଚିନ୍ତାରେ ପାରଳାଖେମୁଣ୍ଡି ମୃଣ୍ମୟୀ ମୂର୍ତ୍ତି କାରିଗର

ଯୁଗ ବଦଳିବା ସହିତ ଏବେ ବଜାରରେ ବଢୁଛି ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା । ଏଥିଯୋଗୁଁ ମୃଣ୍ମୟୀ ମୂର୍ତ୍ତି କାରିଗରଙ୍କ ବେପାର ମାନ୍ଦା ହେଉଥିବା ବେଳେ ଏପଟେ ଏହି ମୂର୍ତ୍ତି ଯୋଗୁଁ ପରିବେଶ ପ୍ରଦୂଷଣ ମଧ୍ୟ ହେଉଛି । ଏଥିଲାଗି ଚିନ୍ତାରେ ପାରଳାଖେମୁଣ୍ଡିର ମୂର୍ତ୍ତି କାରିଗର । ଅଧିକ ପଢନ୍ତୁ

ଗଜପତି: ଆଉ କିଛି ଦିନ ପରେ ପୂଜା ପାଇବେ ବିଘ୍ନ ବିନାଶକ । ସେଥିପାଇଁ ବଜାରରେ ହଲଚଲ ଦେଖିବାକୁ ମିଳିଛି । ମୃଣ୍ମୟୀ ମୂର୍ତ୍ତି ପରିବର୍ତ୍ତେ ଏବେ ବଜାରରେ ଶୋଭା ପାଉଛି ପ୍ଲାଷ୍ଟର ଅଫ ପ୍ୟାରିସରେ ନିର୍ମିତ ଶହ ଶହ ମୂର୍ତ୍ତି । ଏହି ମୂର୍ତ୍ତିର ଚାହିଦା ବଢିଥିବା ବେଳେ ଏବେ ଚିନ୍ତାରେ ମୃଣ୍ମୟୀ ମୂର୍ତ୍ତି କାରିଗର । ଏହି ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବା ଯୋଗୁଁ ଚିତ୍ରକାର ପରିବାର ଏହାର ବିକ୍ରି ଉପରେ ରୋକ ଲଗାଇବା ପାଇଁ ଦାବି କରିଛନ୍ତି ।

ବଢୁଛି ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା, ଚିନ୍ତାରେ ପାରଳାଖେମୁଣ୍ଡି ମୃଣ୍ମୟୀ ମୂର୍ତ୍ତି କାରିଗର

ପୁରାଣ ଅନୁସାରେ ମୃଣ୍ମୟୀ ପ୍ରତିମା ପୂଜା କରିବା ବିଧେୟ । ତେଣୁ ପୂର୍ବରୁ ମୃଣ୍ମୟୀ ପ୍ରତିମାର ଚାହିଦା ରହିଥିଲା । ଯୁଗ ବଦଳିବା ସହ ପୂଜାର ମାହୋଲ ମଧ୍ୟ ବଦଳିଛି । ବର୍ତ୍ତମାନ ଗାଁଠୁ ସହର ସବୁ ସ୍ଥାନରେ ପ୍ରତି ସାହିରେ ଅତିକମରେ ଗୋଟିଏ ପୂଜା ମଣ୍ଡପ ପ୍ରସ୍ତୁତ କରାଯିବା ସହ ପୂଜା କରାଯାଉଛି । ଆଗରୁ ହାତ ଗଣତି କିଛି ସ୍ଥାନରେ ପୂଜା ହେଉଥିଲେ ମଧ୍ୟ ପ୍ରତିବର୍ଷ ଅତି କମରେ ଗୋଟିଏ ଚିତ୍ରକାର ପରିବାର ୪୦ରୁ ୫୦ଟି ବଡ଼ ଏବଂ ଅନେକ ଛୋଟ ମୃଣ୍ମୟୀ ପ୍ରତିମା ବିକ୍ରି କରୁଥିଲେ ।

ଏଥିରୁ ମିଳୁଥିବା ଟଙ୍କାରେ ସାରା ବର୍ଷ ନିଜର ପରିବାର ପ୍ରତିପୋଷଣ କରୁଥିଲେ ପାରଳାଖେମୁଣ୍ଡିରେ ଥିବା ୫୦ରୁ ଅଧିକ ଚିତ୍ରକର ପରିବାର । ଏବେ ପୂଜା ମଣ୍ଡପ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମୂର୍ତ୍ତି କିନ୍ତୁ ସରୁନାହିଁ । ତେଣୁ ଅନେକ ଚିତ୍ରକାର ପରିବାର ନିଜର କୌଳିକ ବୃତ୍ତି ଛାଡି ଅନ୍ୟକାମ କରିବାକୁ ଚାଲିଗଲେଣି । ଯେଉଁ କେତେଜଣ ଏହି କାମ ଜାରି ରଖିଛନ୍ତି ସେମାନେ ନିଜର ପରିବାର ଚଳାଇବା କଷ୍ଟ ହୋଇପଡୁଛି ବୋଲି ମୂର୍ତ୍ତି କାରିଗର ଦିବାକର ମହାପାତ୍ର କହିଛନ୍ତି ।

ଏହାର ମୁଖ୍ୟ କାରଣ ହେଉଛି ବଜାରରେ ମିଳୁଥିବା ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି । ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଚିତ୍ରକାର ପରିବାର ବାରମ୍ବାର ଗୁହାରି କରିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବୁଦ୍ଧିଜୀବୀମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ପରିବେଶ ପ୍ରଦୂଷଣକୁ ନେଇ ସମସ୍ତେ ଚିନ୍ତିତ ଥିବା କହିଛନ୍ତି । ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି ପୂଜା ପାଇବା ପରେ ବିଭିନ୍ନ ଜଳାଶୟରେ ବିସର୍ଜନ କରୁଥିବା ବେଳେ ଏହା ପାଣିରେ ମିଶିବା ପାଇଁ ବହୁ ଦିନ ଲାଗୁଛି । ସେହିପରି ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତିରେ ବ୍ୟବହୃତ ରଙ୍ଗ ଜଳକୁ ପ୍ରଦୂଷିତ କରୁଛି ।

କିନ୍ତୁ ଏହାକୁ ରୋକିବାରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବା ସମସଙ୍କୁ ଆଶ୍ଚର୍ଯ୍ୟ କରୁଛି ବୋଲି ସେମାନେ କହିଛନ୍ତି । ବର୍ତ୍ତମାନ ପାରଳାଖେମୁଣ୍ଡି ବଜାରରେ ଶହ ଶହ ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ବିକ୍ରି ପାଇଁ ଖୋଲା ବଜାରରେ ରଖାଯାଇଥିବା ବେଳେ କିଭଳି ଏହା ପ୍ରଶାସନର ଦୃଷ୍ଟିରେ ଆସୁନାହିଁ ତାହା ନିଶ୍ଚିତ ଭାବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏନେଇ ପାରଳାଖେମୁଣ୍ଡି ପୌରରିଷଦର ନିର୍ବାହୀ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନର ମତାମତ ସଂଗ୍ରହ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ ।

ଇଟିଭି ଭାରତ, ଗଜପତି

Last Updated :Aug 28, 2022, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.