ଆନ୍ଧ୍ରର ଦାଦାଗିରି ପରେ ଗଜପତି ଗଲେ ମୁଖ୍ୟ ଶାସନ ସଚିବ, ହେଲେ ସୀମା ପ୍ରସଙ୍ଗରେ ଖୋଲିଲେନି ମୁହଁ

author img

By

Published : Sep 12, 2021, 7:29 PM IST

inchief secretary visit gajapati district but he did not visit border dispute area

ଓଡିଶାରେ ପଡୋଶୀ ଆନ୍ଧ୍ରର ଦାଦାଗିରି। ଆନ୍ଧ୍ରପ୍ରଦେଶ ସରକାରର ମନ୍ତ୍ରୀ ଗଜପତି ଜିଲ୍ଲାରେ ଅନୁପ୍ରବେଶ କରି ଦେଇଛନ୍ତି ଧମକ। ପୋଲିସ ବଳ ଧରି ଏହା ଆମ ଅଞ୍ଚଳ ବୋଲି କହି ଜୋରଜବରଦସ୍ତ ଧସେଇ ପଶିଥିଲେ ମନ୍ତ୍ରୀ । ହେଲେ ଏ ଭଳି ସ୍ଥିତିରେ ମୁଖ୍ୟ ଶାସନ ସଚିବ ଗଜପତି ଗସ୍ତ କରି ମଧ୍ୟ ସୀମା ବିବାଦକୁ ନେଇ ମୁହଁ ଖୋଲିନାହାନ୍ତି କି ସେ ଅଞ୍ଚଳକୁ ଯାଇ ସ୍ଥିତି ପଚାରି ବୁଝିନାହାଁନ୍ତି । ଯାହାକୁ ନେଇ ଗଜପତିରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଅଧିକ ପଢନ୍ତୁ...

ପାରଳାଖେମୁଣ୍ଡି: ଶନିବାର ଦିନିକିଆ ଗଜପତି ଗସ୍ତ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜିଲ୍ଲା ଗସ୍ତରେ ଆସିଥିଲେ ମଧ୍ୟ ସୀମାକୁ ନେଇ ବିବାଦୀୟ ହୋଇପଡିଥିବା ରାୟଗଡ ବ୍ଲକର ମାଣିକପାଟଣାକୁ ଗଲେ ନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ବୁଦ୍ଧିଜୀବିମାନେ ପ୍ରଶ୍ନ ଉଠାଇବା ସହ ସରକାରଙ୍କ ଏଭଳି ନୀତି ଯୋଗୁଁ ହିଁ ଆନ୍ଧ୍ରର ସାହସ ବଢ଼ୁଛି ଏବଂ ସେ ଓଡିଶା ଭିତରେ ପଶି ଦାଦାଗିରି କରୁଛି ।

ଦିନିକିଆ ଗଜପତି ଗସ୍ତ କଲେ ମୁଖ୍ୟ ଶାସନ ସଚିବ, ସୀମା ପ୍ରସଙ୍ଗରେ ଖୋଲିଲେନି ମୁହିଁ

ଆନ୍ଧ୍ରର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଏସ.ଆପଲରାଜୁ ଗତ ଗୁରୁବାର ଓଡିଶା ସୀମାରେ ଅନୁପ୍ରବେଶ କରି ଲୋକଙ୍କ ସହ ବୈଠକ କଲେ। ଗଜପତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଖୋଲା ଧମକ ଦେଲେ । ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣାକୁ ଆସିବା ସମୟରେ ଆନ୍ଧ୍ର ମନ୍ତ୍ରୀଙ୍କ ଠାଣି ଏବଂ ଆୟୋଜନ ଦେଖିଲେ ଲାଗୁଥିଲା ସତେ ଯେମିତି ସେମାନେ ମାଣିକପାଟଣା ଦଖଲ ପାଇଁ ଆସିଛନ୍ତି । ମନ୍ତ୍ରୀ ଏସ.ଆପଲରାଜୁ ନିଜ ସହ କିଛି ପ୍ରଶାସନିକ ଅଧିକାରୀ ଏବଂ ଜଣେ ଡିଏସପିଙ୍କ ନେତୃତ୍ବରେ ୫ ପ୍ଲାଟୁନ ଫୋର୍ସ ସହ ଆସିଥିଲେ । ହେଲେ ଓଡିଶା ପକ୍ଷରୁ ଜଣେ ଅତିରିକ୍ତ ଜିଲ୍ଲାପାଳ ସେଠାକୁ ଯାଇଥିବା ବେଳେ ଜଣେ ଇନ୍ସପେକ୍ଟର ମାତ୍ର ୪ଜଣ ହୋମଗାର୍ଡଙ୍କୁ ସାଙ୍ଗରେ ନେଇ ସେଠାରେ ଉପସ୍ଥିତ ରହିଥିଲେ । ଦେଖିଲେ ଲାଗୁଥିଲା ଆନ୍ଧ୍ରକୁ ଜବାବ ଦେବା ପାଇଁ ଓଡିଶାର କୌଣସି ପ୍ରସ୍ତୁତି ହିଁ ନଥିଲା । ଏହାର ଫାଇଦା ନେଇ ଆନ୍ଧ୍ରର ମନ୍ତ୍ରୀ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦୁବ୍ୟବହାର କରିବା ସହ ଖୋଲା ଧମକ ଦେଇଥିଲେ। । ଆନ୍ଧ୍ରମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ଓଡିଶାର ଅଧିକାରୀଙ୍କୁ ପରିଚୟପତ୍ର ମାଗିବା ସହ ଏହି ସ୍ଥାନ ଆନ୍ଧ୍ରର, ତେଣୁ ଏଠାରେ ଚାଲୁଥିବା ଆନ୍ଧ୍ରର ଅଙ୍ଗନବାଡି କେନ୍ଦ୍ରକୁ ଯିଏ ବନ୍ଦ କରିବ ତାକୁ ଗିରଫ କରାଯିବ । ଏଠାରେ ଥିବା ଓଡିଶା ଅଙ୍ଗନବାଡି କେନ୍ଦ୍ରକୁ ଉଡାଇଦେବି । କେବଳ ଏତିକି ନୁହେଁ, ନିଜ ସହ ଆଣିଥିବା ଡିଏସପିଙ୍କୁ ଡାକି ଅତିରିକ୍ତ ଜିଲ୍ଲାପାଳଙ୍କୁ ଉଠାଇନେଇ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଓଡିଶାରେ ପଶି ଆନ୍ଧ୍ରମନ୍ତ୍ରୀ ଜିଲ୍ଲାର ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଉଠାଇନେବା ସହ ସେଠାରେ ଥିବା ଓଡିଶା ଅଙ୍ଗନବାଡି କେନ୍ଦ୍ରକୁ ଉଡାଇ ଦେବାର ଧମକ ଦେବା ଘଟଣାକୁ ଇତି ମଧ୍ୟରେ 72 ଘଂଟାରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ଗଜପତି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏପରିକି ଆନ୍ଧ୍ର ମନ୍ତ୍ରୀଙ୍କ ବିରୁଦ୍ଧରେ ଏଯାଏଁ ଏତଲାଟିଏ ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇନାହିଁ ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶନିବାର ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସୁଥିବା ଖବର ପାଇବା ପରେ ସୀମା ବିବାଦ ସଂପର୍କରେ ତଦାରଖ ପାଇଁ ସେ ଆସୁଥିବା ଚର୍ଚ୍ଚା ହୋଇଥିଲା । ହେଲେ ସେ ମହେନ୍ଦ୍ରଗିରି ଏବଂ ଚନ୍ଦ୍ରଗିରି ନିକଟସ୍ଥ ବୌଦ୍ଧ ମନ୍ଦିରକୁ ଯାଇ ଫେରିଯାଇଛନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସ୍ଵାଭିମାନୀ ଓଡିଆ । ଆନ୍ଧ୍ରର ଜଣେ ମନ୍ତ୍ରୀ ଓଡ଼ିଶାରେ ପଶି ଦାଦାଗିରି କରୁଥିବା ବେଳେ ମୁଖ୍ୟ ଶାସନ ଜିଲ୍ଲାକୁ ଆସି ମଧ୍ୟ ବିବାଦୀୟ ଅଂଚଳକୁ ନଯିବା ସ୍ଥାନୀୟ ପ୍ରଶାସନ ଏବଂ ଲୋକଙ୍କୁ ନିରୁତ୍ସାହିତ କରୁଛି ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି । ସେହିଭଳି ସୀମାନ୍ତରେ ରହି ଆନ୍ଧ୍ର ସହ ଲଢେଇ କରୁଥିବା ପୂର୍ବତନ ସରପଞ୍ଚ କହିଛନ୍ତି ଯେ, ଯେତେବେଳେ ପ୍ରଶାସନ ଆନ୍ଧ୍ରକୁ ସାମ୍ନା କରିବାକୁ ଡରୁଛି ସେତେବେଳେ ଆମକୁ କିଭଳି ସୁରକ୍ଷା ଦେବ । ତେଣୁ ସୀମାରେ ଯାହା ହେଲେ ବି ଆଉ ସେ ପ୍ରତିବାଦ କରିବା ପାଇଁ ସାହସ କରିପାରୁନଥିବା କହିଛନ୍ତି ।


ଆନ୍ଧ୍ରର ଜଣେ ମନ୍ତ୍ରୀ ଓଡ଼ିଶାରେ ପଶି ଦାଦାଗିରି ପ୍ରଦର୍ଶନ କରିବା ସହ ଓଡିଶାର ଜଣେ ଅଧିକାରୀଙ୍କୁ ଧମକ ଦେବା ଘଟଣା ପ୍ରତ୍ୟେକ ସ୍ବାଭିମାନୀ ଓଡିଆଙ୍କୁ ଆନ୍ଦୋଳିତ କରୁଥିବା ବେଳେ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ସରକାରଙ୍କ ସୀମା ସୁରକ୍ଷା ପ୍ରତି ଥିବା ଆନ୍ତରିକତାକୁ ପଦାରେ ପକାଇଛି । ତେବେ ଏନେଇ ଜିଲ୍ଲାପାଳ ମୁହଁ ଖୋଲୁନଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ଏବଂ ଅତିଶୀଘ୍ର ବିହୀତ ପଦକ୍ଷେପ ହଗ୍ରହଣ କରାଯିବ ବୋଲି କହିଛନ୍ତି । ସେପଟେ ମୁଖ୍ୟ ଶାସନ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ବେଳେ ସାମ୍ବାଦିକଙ୍କ ସୀମା ସୁରକ୍ଷା ପ୍ରଶ୍ନର ଉତ୍ତର ଦେବା ବଦଳରେ ମୁହଁ ଆଡେଇ ଚାଲିଯାଇଥିଲେ । ଯାହା ସରକାରଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟିଏ ପଟେ ଆନ୍ଧ୍ର ସୀମାରେ ଅନୁପ୍ରବେଶ କରିବା ସହ ଦାଦାଗିରି କରୁଥିବା ବେଳେ ଓଡିଶା ସରକାରଙ୍କ ଅସମ୍ଭବ ନୀରବତାକୁ ନେଇ ଉଠି୍ଛି ପ୍ରଶ୍ନ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.